-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-May-2024
ଚନ୍ଦାହାଣ୍ଡି (ମିହିର ଶଙ୍କର ପାତ୍ର )
ମଶାଣିରେ ପୁଅର ସମାଧିକୁ ଜଗିଛନ୍ତି ବାପା । ସପ୍ତାହେ ହେଲା ଦିନରାତି ସେଠାରେ ପହରା ଦେଉଛନ୍ତି । ତନ୍ତ୍ର ସାଧନା ପାଇଁ କାଳେ କିଏ କବର ଖୋଳି ୪ ବର୍ଷ ପୁଅର ହାଡ଼କଙ୍କାଳ ନେଇଯିବ, ସେହି ଭୟ ଘାରିଛି ତାଙ୍କୁ । ୨୧ ଦିନ ପର୍ଯ୍ୟନ୍ତ ପୁଅର ସମାଧି କୁ ଜଗିରହିବେ ବୋଲି କହିଛନ୍ତି ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ହଳଦୀ ଗାଁର ରାଜେଶ ନାଗ ।ଏହି ଘଟଣା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ଶିଶୁପୁତ୍ର ଭୋଳାନାଥ ଗତ ୧୯ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ସଂଗେ ସଂଗେ ତାକୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ପୁଅର ଶବକୁ ପାଖ ମଶାଣିରେ ସମାଧି ଦେଇଥିଲେ ପରିବାର । ତାକୁ ଯେମିତି କେହି ଖୋଳିପାରିବେ ନାହିଁ, ସେଥିପାଇଁ ପୋତାଯାଇଥିବା ସ୍ଥାନକୁ ସିମେଣ୍ଟ କରାଯାଇଛି । ବିଜ୍ଞାନ ଯୁଗରେ ବି ଗାଁଗଣ୍ଡାର ଲୋକେ ତନ୍ତ୍ରସାଧନା ଏବଂ ଗୁଣିଗାରେଡ଼ି ଉପରେ ବିଶ୍ୱାସ ରଖିଛନ୍ତି । ଏହି ଘଟଣାକୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ ।
ମଶାଣିରେ ପୁଅର ସମାଧିକୁ ଜଗିଥିବା ବାପା ରାଜେଶ କହିଛନ୍ତି। ଏହାକୁ ୨୧ ଦିନ ପର୍ଯ୍ୟନ୍ତ ଜଗିବାକୁ ପଡ଼ିଥାଏ । ବିଶ୍ୱାସ ରହିଛି, ସମାଧି ଦିଆଯିବାର ୨୧ ଦିନ ଭିତରେ ତନ୍ତ୍ରସାଧନା ପାଇଁ କେହି ତାନ୍ତ୍ରିକ ଏହାକୁ ଖୋଳିପାରେ । ଶବକୁ ସାଧନା କାମରେ ଲଗାଇପାରେ । ଏହି କାରଣରୁ ସେ ପୁଅର ସମାଧି କୁ ୨୧ ଦିନ ପର୍ଯ୍ୟନ୍ତ ଜଗିବେ ବୋଲି ସ୍ଥିର କରିଛନ୍ତି । ଜଣେ ସଂପର୍କୀୟ ଭାଇ ସହିତ ଦିନରାତି ମଶାଣିରେ ବସି ରହୁଛନ୍ତି ରାଜେଶ। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର