-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Mar-2024
ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳିରେ ଚଳିତଥର ଯୁବନେତାମାନେ ଆଶାୟୀ ତାଲିକାରେ ରହିଛନ୍ତି । ଏହି ନିର୍ବାଚନମଣ୍ଡଳିରେ କଂଗ୍ରେସ ମଜବୁତ ନଥିଲେ ମଧ୍ୟ ଆଶାୟୀଙ୍କ ସଂଖ୍ୟା କମନୁହେଁ । ୧୯୯୬ ମସିହା ପରଠାରୁ ଏଠାରେ କଂଗ୍ରେସ ଆଉ ଲୋକସଭା ନିର୍ବାଚନ ଜିଣୁନାହିଁ । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ ଶେଷଥର ପାଇଁ କଂଗ୍ରେସର ସାଂସଦ ରହିଥିଲେ । ଏହା ପରେ ଶରତ ପଟ୍ଟନାୟକ ୧୯୯୮, ୧୯୯୯, ୨୦୦୪ ଓ ୨୦୧୪ ନିର୍ବାଚନରେ ହାରିଥିଲେ । ୨୦୦୯ ମସିହାରେ ନରସିଂହ ମିଶ୍ର କଂଗ୍ରେସଦଳରୁ ସାଂସଦ ପ୍ରାର୍ଥି ହୋଇ ବିଜେଡିର କଳିକେଶଙ୍କଠାରୁ ଲକ୍ଷାଧିକ ଭୋଟରେ ହାରିଥିଲେ । ୧୯୫୧ ମସିହାଠାରୁ ଆଜି ପର୍ଯ୍ୟନ୍ତ କେବଳ କଂଗ୍ରେସଦଳର ନିତ୍ୟାନନ୍ଦ ମିଶ୍ର ୧୦୮୦ ଓ ୧୯୮୫ ମସିହା,ଶରତ ପଟ୍ଟନାୟକ ୧୯୯୧ ଓ ୧୯୯୬ ମସିହାରେ ସାଂସଦ ଭାବରେ ଜିଣିଥିଲେ । ବାକି ସବୁ ସମୟ ଅଣ କଂଗ୍ରେସଦଳ ଏଠାରୁ ଜିଣି ସାଂସଦ ହୋଇଛନ୍ତି । ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଓ ନୂଆପଡା ଜିଲ୍ଲାକୁ ମିଶାଇ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ହୋଇଥିଲା । ୨୦୦୯ ମସିହାରେ ସୀମା ପୁନଃନିର୍ଦ୍ଧାରଣ ପରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ମିଶାଇ ବଲାଙ୍ଗୀର ସଂସଦୀୟ ନିର୍ବାଚନମଣ୍ଡଳି ହୋଇଛି । ଗତ ୨୦୧୯ ମସିହାରେ କଂଗ୍ରେସର ସମରେନ୍ଦ୍ର ମିଶ୍ର ଲୋକସଭା ପ୍ରାର୍ଥି ହୋଇ ମାତ୍ର ୨ଲକ୍ଷ ୭୧ ହଜାର ଭୋଟ ପାଇଥିଲେ । କିନ୍ତୁ ଚଳିତଥର ସେ ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି ।
ଯଦିଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ମଜବୁତ ନାହିଁ ତଥାପି କିନ୍ତୁ ଆଶାୟୀଙ୍କ ସଂଖ୍ୟା କମ ନୁହେଁ । ଅନେକ ଯୁବକ ଚଳିତଥର କଂଗ୍ରେସଟିକେଟ ପାଇଁ ଆବେଦନ କରିଛନ୍ତି । ଏହା କଂଗ୍ରେସ ପାଇଁ ଏକ ଶୁଭ ସଂକେତ । ମୁଖ୍ୟ ଆଶାୟୀଙ୍କ ମଧ୍ୟରେ ବଲାଙ୍ଗୀର ଯୁବକଂଗ୍ରେସରେ ବହୁବର୍ଷ ପର୍ଯ୍ୟନ୍ତ ଦାୟୀତ୍ୱରେ ଥାଇ ସଂଗଠନ କରିଥିବା ବିଧୁଭୂଷଣ ତ୍ରୀପାଠୀ,ସଂଖ୍ୟାଲଘୁ ସଂପ୍ରଦାୟରୁ ଆସିଥିବା ଯୁବସଂଗଠକ ମହମ୍ମଦ ଆକବର ଖାନ ଲୋକସଭା ଟିକେଟ ଆଶାୟୀ ରହିଛନ୍ତି । ବିଧୁଭୁଷଣ ତ୍ରୀପାଠୀ ବର୍ତ୍ତମାନର ପିସିସି ସଭାପତି ଥିବା ଶରତ ପଟ୍ଟନାୟକଙ୍କର ଜଣେ ଦୃଢସମର୍ଥକ । ଶ୍ରୀ ତ୍ରୀପାଠୀ ସମ୍ଭଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦର ସଭାପତି ରହିଥିଲେ ଓ ଏହାପରେ ଜିଲ୍ଲା ଯୁବକଂଗ୍ରେସ ସଭାପତି,ପ୍ରଦେଶ କଂଗ୍ରେସକମିଟିର ସଭ୍ୟ,ଏଆଇସିସି ସଭ୍ୟ ରହିଛନ୍ତି । ଅସାମ,ଛତିଶଗଡ ଓ ଅନ୍ୟାନ୍ୟ କିଛି ରଜ୍ୟର ସେ ପର୍ଯ୍ୟବେକ୍ଷକ ଦାୟୀତ୍ୱ ମଧ୍ୟ ସମ୍ଭାଳିଛନ୍ତି । ସେହିପରି ଯୁବସଂଗଠକ ମହମ୍ମଦ ଆକବର ଖାନ ଜଣେ ଯୁବସଂଗଠକ ଭାବରେ ପରିଚିତ । କଂଗ୍ରେସ ପରିବାରରୁ ଆସି ରାଜନୀତିରେ ଯୋଗଦେଇ ଲୋକଙ୍କ ସହିତ ରହିଛନ୍ତି । ମୁଖ୍ୟତଃ ଛାତ୍ର ଓ ଯୁବକମାନେ ତାଙ୍କର ସଂଗଠନରେ ଉତ୍ସାହିତ ରହିଛନ୍ତି । ଏବେ ସେ ପିସିସି ସଭ୍ୟ ମଧ୍ୟ ରହିଛନ୍ତି । କିନ୍ତୁ ସେପଟେ ସିନେମାରେ ଆଞ୍ଚଂଳିକ ବୈଷମ୍ୟ ପ୍ରସଙ୍ଗ ଉଠାଇ ରାଜନୀତିକୁ ଆସିଥିବା ସମ୍ବଲପୁରର ଅଭିନେତା ମନୋଜ ମିଶ୍ର ମଧ୍ୟ ବଲାଙ୍ଗୀର ଲୋକସଭାରୁ କଂଗ୍ରେସ ଟିକେଟ ଆଶାୟୀ ରହିଛନ୍ତି । ପ୍ରଥମେ ସିନେମାରେ ଆଞ୍ଚଳିକ ବୈଷମ୍ୟ ଓ ପରେ କୋସଲସମର୍ଥନରେ ଲୋକଙ୍କ ସହ ମିଶୁ ମିଶୁ କଂଗ୍ରେସରେ ଯୋଗଦାନ କରିଗଲେ । ସେ ମଧ୍ୟ ବଲାଙ୍ଗୀର ଓ ସୋନପୁର ଉଭୟ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହିତ ମିଶୁଛନ୍ତି । କଂଗ୍ରେସର ବରିଷ୍ଠନେତା ନରସିଂହ ମିଶ୍ରଙ୍କ ପ୍ରେରଣା ଓ ଆଦର୍ଶରେ ମନୋଜ କଂଗ୍ରେସରେ ଯୋଗଦେଇଥିବା କହିଥିଲେ । ଏବେ ଲୋକସଭା କ୍ଷେତ୍ରରୁ ପ୍ରାର୍ଥି ହେବାକୁ ମନୋଜ ଆବେଦନ କରିଥିବା ବେଳେ ନରସିଂହ ଓ ତାଙ୍କ ପୁଅ ସମରେନ୍ଦ୍ରଙ୍କ ତାଙ୍କ ପ୍ରତି ଦୃଢସମର୍ଥନ ରହିଛି । ତେବେ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ବିଧାୟକ ପ୍ରାର୍ଥି ହେଉଥିବା ବେଳେ ମନୋଜଙ୍କୁ ଲୋକସଭା ପାଇଁ ପ୍ରୋଜେକ୍ଟ କରୁଛନ୍ତି । ଅନେକ ମିଟିଂରେ ନରସିଂହ,ସମରେନ୍ଦ୍ର ଓ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ସେପଟେ ମନୋଜ ମିଶ୍ରଙ୍କ ପ୍ରାର୍ଥିତ୍ୱକୁ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଅନେକ ଯୁବକ ଗ୍ରହଣ କରିପାରୁନାହାଁନ୍ତି । ମନୋଜଙ୍କ ପ୍ରାର୍ଥିତ୍ୱକୁ ସୋସିଆଲ ମିଡିଆରେ ଖୋଲାଖୋଲି ସମାଲୋଚନା ମଧ୍ୟ କରୁଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ଉଭୟ ଶରତ ପଟ୍ଟନାୟକ ପିସିସି ସଭାପତି ରହିଥିବା ବେଳେ ନରସିଂହ ମିଶ୍ର ଦୀର୍ଘବର୍ଷ ହେଲା କଂଗ୍ରେସର ବିଧାୟକଦଳ ନେତା ଓ ବିରୋଧିଦଳ ନେତା ରହିଆସିଛନ୍ତି । କିନ୍ତୁ ତଥାପି ବଲାଙ୍ଗୀର ଲୋକସଭା କ୍ଷେତ୍ରରୁ ଜଣେ ଦକ୍ଷ ଯୁବନେତା ସୃଷ୍ଟି କରିନପାରିବାରୁ ସମ୍ବଲପୁରରୁ ନେତା ଆଣି ଛିଡା କରାଉଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ଯୁବକମାନେ କହୁଛନ୍ତି ଯେ,ପକ୍କା ବଲାଙ୍ଗୀରିଆ ନାରା ଦେଉଥିବା ଯୁବନେତା ସମ୍ବଲପୁରିଆ ପ୍ରାର୍ଥିଙ୍କୁ ସମର୍ଥନ ଦେବା ପଛରେ ରହସ୍ୟ କଣ?ବଲାଙ୍ଗୀରିଆ ଯୁବନେତାମାନଙ୍କୁ ନ୍ୟୁନ କରିବାକୁ ଏହା ଅପଚେଷ୍ଟା ନୁହେଁ ତ ବୋଲି ଆଲୋଚନା ହେଉଛି । ଶୁଣିବାକୁ ମିଳୁଛି ଯେ,କଂଗ୍ରେସଦଳର ସ୍କ୍ରିନିଂ କମିଟିରେ ମନୋଜଙ୍କ ନାମ ସବୁଠୁ ଆଗରେ ରହିଛି । ଯେହେତୁ ନରସିଂହଙ୍କ ଗୋଷ୍ଠୀର ସମର୍ଥନ ତାଙ୍କ ପ୍ରତି ରହିଛି ସେଥିପାଇଁ ତାଙ୍କ ପଲା ଭାରି ରହିଛି ବୋଲି କୁହାଯାଉଛି । ଯଦି ଏହା ହୁଏ ତାହେଲେ ବଲାଙ୍ଗୀରିଆ ପ୍ରାର୍ଥି ବିଧୁଭୂଷଣ ତ୍ରୀପାଠୀ ଓ ମହମ୍ମଦ ଆକବର ଖାନ ଟିକେଟରୁ ବାଦ ପଡିବା ଆଶଂକା ରହିଛି ।