-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ବଲାଙ୍ଗୀର(ଚିତ୍ରସେନ ବେହେରା ): ବର୍ଷ ଗୋଟିଏ ସରକାର ପାଇଁ ଦୀର୍ଘ ସମୟ ଅଟେ । କିନ୍ତୁ ଏତେ ପର୍ଯ୍ୟାପ୍ତ ସମୟ ପାଇ ମଧ୍ୟ ସରକାର ଲୋକଙ୍କର ମଙ୍ଗଳ ପାଇଁ କୌଣସି ପ୍ରକାର ସ୍ଥାୟୀ ସମାଧାନ କରିପାରିନାହିଁ । ଧିରେ ଧିରେ ଆମ ଜିଲ୍ଲାରେ ଯୁବକମାନଙ୍କ ସଂଖ୍ୟା କମିବାରେ ଲାଗିଛି କାରଣ ଯିଏ ଭଲ ପାଠ ପଢିବାକୁ ଚାହୁଁଛି ଜିଲ୍ଲାରେ ଭଲ ଶିକ୍ଷାନୁଷ୍ଠାନ ନାହିଁ । ରୋଜଗାର ପାଇଁ ଯୁବକ ଯେତେ ଚେଷ୍ଟା କଲେ ବି ଆମ ଜିଲ୍ଲାରେ ସେଭଳି କର୍ମ ସଂସ୍ଥାନ କିମ୍ବା ଶିଳ୍ପ ନାହିଁ । ଫଳରେ ବାଧ୍ୟ ହୋଇ ଆମ ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଲୋକେ ଗୋଟିଏ ସରକାରକୁ ଲମ୍ବା ସମୟ ପାଇଁ ଶାସନ ଗାଦିରେ ବସାଇଥିଲେ ହେଁ ଏହି ଲୋକ ବିରୋଧି ସରକାର ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାରେ କାହିଁକି ବିଫଳ ହେଲା ବୋଲି ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାରପୁଡୁଗିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏଆଇସିସି ସଭ୍ୟ ତଥା ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ପ୍ରଶ୍ନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟର ଯୁବକମାନଙ୍କର ଆର୍ଥିକ ସ୍ଥିତି ଏତେ ଉତ୍କଟ ହୋଇଯାଇଛି ଯେ ଥରେ ଅନ୍ୟ ରାଜ୍ୟକୁ ଦାଦନ ଖଟିଗଲେ ସେମାନେ ଆଉ ଫେରି ପାରୁନାହାନ୍ତି । ଯଦି ଏପରି ସ୍ଥିତି ଜାରି ରହେ ତେବେ ନିଶ୍ଚିତ ଭାବେ ଆମ ଅଂଚଳ ଯୁବକ ଶୂନ୍ୟ ହୋଇଯିବ ବୋଲି ସେ କହିଥିଲେ । ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏ ଅଂଚଳରେ ଯୁବକମାନଙ୍କ କର୍ମସଂସ୍ଥାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗରେ ବାରମ୍ବାର ଦାବି କଲେ ହେଁ ଏମାନେ ସେଥି ପ୍ରତି ଧ୍ୟାନ ଦେଉନାହାନ୍ତି । ମୁଁ ତ କହିବି ବଲାଙ୍ଗିର ଯେଉଁ ଦାଦନ ପ୍ରବଣ ଜିଲ୍ଲା ଭାବେ କୁଖ୍ୟାତି ପାଇଛି ସେଥି ପାଇଁ ରାଜ୍ୟ ଓ କେନ୍ଦ୍ର ଦାୟୀ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଯଦି ରାଜ୍ୟରେ ସରକାର କରେ ତେବେ କୃଷି ଋଣ ସମ୍ପୁର୍ଣ୍ଣ ମାଫ, ବିଧବା ବାର୍ଦ୍ଧକ୍ୟ ଭତ୍ତା ବର୍ତ୍ତମାନ ଯେତେ ହୋଇଥିବା ତାର ଦ୍ୱିଗୁଣ, ସ୍ୱୟଂ ସହାୟକ ଗୋଷ୍ଠିର ଋଣ ମାଫ, ବେକାରି ଭତ୍ତା
ଏ ସବୁ ନିଶ୍ଚିତ ଭାବରେ ପ୍ରଦାନ କରାଯିବାର ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ମାନ୍ୟବର ବିଧାୟକଙ୍କ ଦ୍ୱାରା ଗେଡାବାଞ୍ଜି ରୁ ବାନ୍ଧନଘୋର ରାସ୍ତା , ବନ ସୁରକ୍ଷା ସମିତି , ପିଇବା ପାଣି ପ୍ରକଳ୍ପ , ହରିଜନପଡା କଂକ୍ରିଟ ରାସ୍ତା ର ଭିତ୍ତିପ୍ରସ୍ତର ସହ ଧୁବା ହାଇସ୍କୁଲ ହର୍ଡାଟାଲ, ସାରସପିଟା କମ୍ୟୁନିଟି ସେଣ୍ଟର ର ଶୁଭ ଉଦ୍ଘାଟନ କରାଯାଇଥିଲା । ବାରପୁଡୁଗିଆ ଠାରେ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କୁ ଗାଁ ର ସମସ୍ତ ପୁରୁଷ ମହିଳାଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବାରପୁଡୁଗିଆ ଠାରେ ଅନୁଷ୍ଠିତ ସାଧାରଣ ସଭା ବରିଷ୍ଠ ଆଇନଜିବୀ ବୈଷ୍ଣବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶନ୍ନ ମିଶ୍ର,ଘାସିରାମ ବେହେରା, ନିମାଇଁ ପାଣିଗ୍ରାହୀ, ସରପଂଚ ଯନ୍ମଜୟ ମିଶ୍ର ମଞ୍ଚାସୀନ ଥିଲେ । ସଭା ସଂଯୋଜନା ଜୟକୃଷ୍ଣ ମିଶ୍ର ଏବଂ ଲକ୍ଷ୍ମୀକାନ୍ତ ସାହୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।