-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
ବଲାଙ୍ଗୀର(ପ୍ରେରଣା ଖବର ): ବିଶିଷ୍ଟ ଲେଖକ ତଥା ସଙ୍ଗୀତଜ୍ଞ ଉଦୟନାଥ ଦର୍ଜି ଙ୍କ ଆଜି ପ୍ରାତଃରେ ସ୍ଵର୍ଗବାସ ହୋଇଯାଇଛି। କିଛିଦିନ ହେଲା ସେ ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ପ୍ରାତଃ ୩ ଟା ବେଳେ ବଲାଙ୍ଗୀର ମେଡିକାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।ଆରପାରିକୁ ଚାଲିଗଲେ ଦରଦୀ ବନ୍ଧୁ।ଅନ୍ୟ ମାନଙ୍କ ଦୁଃଖରେ ଦୁଃଖୀ ଥିବା ମଣିଷ ଶୋଇଗଲେ ଚିର ନିଦ୍ରାରେ। ଆଉ ଦେଖିବାକୁ ମିଳିବ ନାହିଁ ସେ ହସହସ ସତେଜ ମୁଁହ। ଆଉ ଶୁଣିବାକୁ ପାଇବେନି ପରିବାରରେ ବାବୁ ରାଜ କିଶୋର ଶବ୍ଦ।ସମସ୍ତଙ୍କୁ ଦୁଃଖ ଦେଇ ଚାଲିଗଲେ ଦରଦୀ ବନ୍ଧୁ।ତାଙ୍କ ମୃତ୍ୟୁରେ ମର୍ମାହତ ଶୋକାକୁଳ ପରିବାର।ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁତ୍ର ରାଜ କିଶୋର ଦର୍ଜି, ପୁତ୍ରବଧୂ ମଞ୍ଜୁ ଦର୍ଜି, ଝିଅ ହରିପ୍ରୀୟା ଦର୍ଜି, ନାତି ଦେବତୋଷ ଦର୍ଜି, ଅନ୍ୟ ନାତି ନାତୁଣୀ ବନ୍ଧୁ ପରିବାର ସ୍ୱଜନ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।ବିଭୂତି ପଡ଼ା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମାପନ କରାଯାଇଥିଲ।ପୁତ୍ର ରାଜ କିଶୋର ଦର୍ଜି ମୁଖଗ୍ନୀ ଦେଇଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହେଉଥିଲା।ତାଙ୍କ ମୃତ୍ୟରେ ସଙ୍ଗୀତପ୍ରେମୀ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ସେ କେବଳ ଜଣେ ଲେଖକ କିମ୍ବା ସଙ୍ଗୀତଜ୍ଞ ନ ଥିଲେ।ସେ ଥିଲେ ଜଣେ ଅନେକ ପ୍ରତିଭାର ମଣିଷ।ମଣିଷ ଭିତରେ ଜଣେ ମଣିଷ।ତୁଷୁରା ହେଉଛି ତାଙ୍କ ଜନ୍ମଭୂମି।ଅନେକ ବର୍ଷରୁ ସେ ବଲାଙ୍ଗୀରକୁ ପରିବାର ସହ ଆସି ତାଙ୍କର ଜୀବନ ଜୀବିକାରେ ପରିବାର ପ୍ରତିପୋଷଣ କରୁଥିଲେ।ବଲାଙ୍ଗୀର ଥିଲା ତାଙ୍କ ପାଇଁ କର୍ମଭୂମି।ସେ ହଳଧର ଦର୍ଜି ଏବଂ ସୁଶୀଳା ଦର୍ଜି ଙ୍କ ଜୈଷ୍ଠ ସନ୍ତାନଥିଲେ।ତୁଷୁରା ହେଉଛି ଏକ ସଂସ୍କୃତିସମ୍ପନ୍ନ ଗ୍ରାମ।ତୁଷୁରା ରାମଲୀଳା ସେତେବେଳ ପ୍ରସିଦ୍ଧି ଲାଭ କରିଥିଲା। ସେ ଏହି ରାମଲୀଳାରେ ରାମ ଭୂମିକା ସହ ଆଉ ଅନେକ ଭୂମିକାରେ ଅଭିନୟ କରିଥିଲେ।ସମ୍ବଲପୁରୀ ଭାଷା ରେ ଲେଖିବା ତାଙ୍କର ସଉକ ଥିଲା।ସେ ସବୁ ଭାଷାଭାଷୀକୁ ମାନ୍ୟତା ଦେଉଥିଲେ।ଯେଉଁ ସମୟରେ ଲୋକେ ସମ୍ବଲପୁରୀ ଗୀତର ମାନ୍ୟତା ଜାଣି ନ ଥିଲେ ସେହି ସମୟରେ ସେ ଅନେକ ମନଛୁଆଁ ସମ୍ବଲପୁରୀ ସଙ୍ଗୀତ ଲେଖି ସାରା ଓଡ଼ିଶା ରେ ସମ୍ବଲପୁରୀ ସଙ୍ଗୀତର ଚାହିଦାକୁ ଲୋକଲୋଚନକୁ ଆଣି ପାରିଥିଲେ।ତାଙ୍କ ସଙ୍ଗୀତରେ ସଙ୍ଗୀତପ୍ରେମୀ ମାନେ ଝୁମୁଥିଲେ। ତାଙ୍କର ସୁପର ହିଟ୍ ସମ୍ବଲପୁରୀ ସଙ୍ଗୀତ"ନଦୀର ପାନି ଝଲ " ସଙ୍ଗୀତ ଜଗତରେ ଚହଳ ପକାଇ ଦେଇଥିଲା।ଆଜି ସେ ଆଉ ନାହାନ୍ତି।ରହି ଯାଇଛି ତାଙ୍କ ସଙ୍ଗୀତ। ଚାଲିଗଲେ ସେ ସବୁଦିନ ପାଇଁ ଆରପାରିକୁ।ଆଉ ଦେଖା ହେବନି ଏ ଜନମରେ।ନିରବି ଗଲା ତାଙ୍କ ଲେଖନୀ ମୁନ।ହେ ଶାଶ୍ଵତ ସାଧକ ତୁମର ମୃତ୍ୟୁରେ
ପରିବାର, ଆତ୍ମୀୟ ସ୍ୱଜନ,ବନ୍ଧୁ ବର୍ଗ,ସଙ୍ଗୀତଜଗତ ତଥା ତୁମକୁ ଭଲ ପାଉଥିବା ତୁମର ସମାଜ ଆଜି ତୁମର ସ୍ୱର୍ଗରୋହଣରେ ଦୁଃଖିତ ମର୍ମାହତ।ତୁମର ସ୍ଥାନ କେହି ପୁରଣ କରି ପାରିବେ ନାହିଁ।ଅପୂରଣୀୟ ହୋଇଗଲା ସବୁଦିନ ପାଇଁ।ତୁମେ ଯେଉଁଠି ବି ଥାଅ ସୁଖ ଏବଂ ଶାନ୍ତିରେ ରୁହ।ତୁମର ଅମର ଆତ୍ମାର ସଦଗତି ହେଉ।ଏହାହିଁ ଶୋକାକୁଳ ପରିବାର ର କାମନା।