-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
14-Sep-2023
ବଲାଙ୍ଗୀର,ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଟିକ୍ରାପଡା କାର୍ଯ୍ୟାଳୟ ଠାରେ ପରିଷଦର ସଭାପତି ଡ. ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ‘କବି ଓ କବିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ମର୍ଯ୍ୟଦାରେ ଏବଂ ବଲାଙ୍ଗିର ନାଗରିକ କମିଟି ସଂପାଦକ ମନୋରଂଜନ ସାହୁ ମୁଖ୍ୟବକ୍ତା ମର୍ଯ୍ୟଦାରେ ମଂଚାସୀନ ଥିଲେ । ପ୍ରଥମେ ଅତିଥିଗଣ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ଉପଦେଷ୍ଟା ଧର୍ମବ୍ରତ ରଥ ପରିଷଦର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ କଥାକାର କୃଷ୍ଣଚନ୍ଦ୍ର ମହାକୁର ଏବଂ ସମାଜସେବୀ କବିୟତ୍ରୀ କସ୍ତୁରୀ ରଥଙ୍କୁ ଅତିଥି ଗଣ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କବି ଧିରେନ୍ଦ୍ର ନାରାୟଣ ସିଂଦେଓ ଏବଂ କବିତା ମିଶ୍ର ମାନପତ୍ର ପଠନ କରିଥିଲେ । କବିୟତ୍ରୀ ଜ୍ୟୋତିରାଣୀ ମିଶ୍ର, ସବିତା ମିଶ୍ର ତଥା ଛବିଲାଲ ବେହେରା ସମ୍ମାନିତ ପ୍ରତିଭାଦ୍ୱୟଙ୍କ ରଚିତ ପୁସ୍ତକରୁ ନିର୍ବାଚିତ କବିତା ପଠନ କରିଥିଲେ ।
ସାମାଜିକ ତଥା ପ୍ରଶାସନିକ କ୍ଷେତ୍ରରେ ମାନବୀୟ ମୁଲ୍ୟବୋଧର ଦୃତ ଅବକ୍ଷୟ ହେଉଥିବା ବେଳେ କବି, ଲେଖକଙ୍କ ଅଭିନବ ସୃଷ୍ଟି ସମ୍ଭାର ହିଁ ଶାନ୍ତି, ସୌହାଦ୍ଦ ତଥା ପ୍ରଗତିର ବାର୍ତ୍ତା ବହନ କରି ଏକ ନୂତନ ଆନନ୍ଦମୟ ପଥ ପ୍ରଦର୍ଶନ କରିବ ବୋଲି ମଂଚାସୀନ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଦିବାକର ହୋତା କାର୍ଯ୍ୟକ୍ରମକୁ ସଂଚାଳିତ କରିଥିଲେ । ଦ୍ୱିତୀୟ ଅଧିବେଶନରେ କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା । କବି ପ୍ରଶନ୍ନ କୁମାର ମିଶ୍ର, ବଳିଷ୍ଠ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ହୃଷିକେଶ ପୁରୋହିତ, ପ୍ରଭାସିନୀ ଭୋଇ, ତପସ୍ମିନୀ ପଶାୟତ, କପିଳ ପତି ପ୍ରମୁଖ ସ୍ୱରଚିତ କବିତା ପଠନ କରିଥିଲେ । ମାଳତି ଉଦ୍ଗାତା, ପୁରୁଷୋତ୍ତମ ପଣ୍ଡା, ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ । ସଦସ୍ୟ ମଦନ ମୋହନ ରଥ ଧନ୍ୟବାଦ ଦେଇଥିଲେ ।