-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
ଭୁବନେଶ୍ୱର,(ଶୁଭାଶିଷ ନାୟକ) :ପ୍ରଥମେ ବିଶ୍ୱାସ ଜନ୍ମାଇଲେ ପରେ ବିଶ୍ୱାସ ରେ ବିଷ ଦେଇ କମ୍ପାନୀ ଆକାଉଣ୍ଟ୍ରୁ ୧୮ କୋଟି ଟଙ୍କା ହଡପ କରିଦେଲେ । ଲୁଚାଇ ଚୋରାଇ ନୁହେଁ, ଜାଲ୍ କାଗଜପତ୍ର ବଳରେ ନିଜକୁ ମାଲକଙ୍କ ଦସ୍ତଖତ ଜାଲିଆତି କରି ୧୮ କୋଟି ଟଙ୍କା ନେଇଗଲେ । ସଂସ୍ଥାର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଏହି ମୋଟା ଅଙ୍କର ଟଙ୍କା ଉଠାଇ ନେଇଥିଲେ। ମାଲିକ ଜାଣିବା ବେଳକୁ ସଂସ୍ଥା ବୁଡ଼ିବାକୁ ବସିଲାଣି।ଅଭିଯୋଗକାରୀ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୨୧ଟି ଏତଲା ଦେଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶକ୍ରମେ ନୂଆପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରିବା ସହ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ ଆଣିଛି।ଦୀର୍ଘ ଦିନ ଫେରାର ରହିବା ପରେ ଆଜି ପୁଲିସ ପଞ୍ଝାକୁ ଆସିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି, ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ।
ଅଭିଯୋଗ ଅନୁଯାୟୀ, ଆଇଆରସି ଭିଲେଜ୍ର ନନ୍ଦକିଶୋର ବେହେରା ଜଗନ୍ନାଥ ସୁପର ଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଂ ଡ଼ାଇରେକ୍ଟର ଅଛନ୍ତି। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ କରେ। ନନ୍ଦକିଶୋର ବେହେରାଙ୍କର ଅଭିଯୁକ୍ତଙ୍କ ସହ ଅନେକ ଦିନ ଧରି ବନ୍ଧୁତା ରହିଥିଲା। ନନ୍ଦକିଶୋର ଏହି କନ୍ଷ୍ଟ୍ରକସନ୍ ସଂସ୍ଥା ଖୋଲିବା ପରେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ସେମାନେ ଟଙ୍କା ଦେବା ସହ ପାର୍ଟନର ହେବାକୁ ଚାହିଥିଲେ। ହେଲେ ନନ୍ଦକିଶୋର ସେମାନଙ୍କୁ ପାର୍ଟନର କରିନଥିଲେ।ନନ୍ଦକିଶୋରର ବିଭିନ୍ନ ପ୍ରକଳ୍ପ ବୁଲିବା ବେଳେ ଏମାନେ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଥିଲେ। ଏହାର ଫାଇଦା ନେଇ ଏମାନେ ଅଫିସ୍ରୁ ନନ୍ଦକିଶୋରଙ୍କର ଡିଜିଟାଲ ଦସ୍ତଖତ ନେଇ ନକଲି କାଗଜ ପ୍ରସ୍ତୁତ କରିଥିଲେ । ଏବଂ ମ୍ୟାନେଜିଂ ଡ଼ାଇରେକ୍ଟର ପଦରୁ ନନ୍ଦକିଶୋର ଇସ୍ତଫା ଦେଇଛନ୍ତି ବୋଲି କାଗଜ ପ୍ରସ୍ତୁତ କରିଥିଲେ। ନକଲି କାଗଜକୁ ନେଇ ବିଭିନ୍ନ ସରକାରୀ ଅଫିସ୍ରେ ଜମା କରିଥିଲେ ସଂସ୍ଥା କୋଟି କୋଟି ଟଙ୍କାର କାମ କରୁଥିବାରୁ ବିଭିନ୍ନ ସମୟରେ ଏମାନେ ଲକ୍ଷ ଲକ୍ଷ ଟଙ୍କାର ବିଲ ହଡ଼ପ କରିବାକୁ ଲାଗିଥିଲେ। ଏଭଳି ପାଖାପଖି ୬କୋଟି ଠକିବା ପରେ ନନ୍ଦକିଶୋର ଥାନାରେ ଏତଲା ଦେଇଥିଲେ । ଥାନାରେ ଅଭିଯୋଗ ପରେ ସମସ୍ତ ଟଙ୍କା ସୁଝି ଦେବେ ବୋଲି କହି ଠକି ଚାଲିଲେ ।ଏଭଳି ୧୮କୋଟି ୩୧ ଲକ୍ଷ ୪୮ ହଜାର ୯୭୮ ଟଙ୍କା ଠକି ନେଇଥିଲେ। ଏ ନେଇ ନନ୍ଦକିଶୋର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା। ଏଣୁ ସେ କୋର୍ଟ ରଆଶ୍ରୟ ନେଇଥିଲେ ।
ଅନ୍ୟପଟେ ଅଭିଯୁକ୍ତଦ୍ବୟ କହିଛନ୍ତି, ସେମାନଙ୍କର ମୋଟା ଅଙ୍କର ଟଙ୍କା ଏହି ବେପାରରେ ଲାଗିଛି। ହିସାବ ହେଲେ ଏହାଠାରୁ ଆମେ ଅଧିକ ଟଙ୍କା ପାଇବୁ।ଏଣୁ ଅଭିଯୋଗ ମିଥ୍ୟା ବୋଲି ସେମାନେ କହିଛନ୍ତି। ଏନେଇ ଅଧିକ ତଥ୍ୟ ପାଇବା ପାଇଁ ସମସ୍ତ କାଗଜପତ୍ର ସଂଗ୍ରହ କରାଯାଇଛି ।