-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
ଭୁବନେଶ୍ୱର,(ପ୍ରେରଣା ଖବର) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ । ଧୀରେ ଧୀରେ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ପେଡ଼ି ମଧ୍ୟ ଖୋଲୁଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସହ ଚାର୍ଟର ପ୍ଲେନରେ ଉଡ଼ିଥିଲେ ଓଡ଼ିଶା ମୋ ପରିବାର ମୁଖ୍ୟ ତଥା ବିଜେଡି ନେତା ଅରୂପ ପଟ୍ଟନାୟକ । ଏକଥା ଆମେ କହୁନାହୁଁ । ଏକଥା କହିଛନ୍ତି ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।
ଶ୍ରୀମତୀ ପାଣିଗ୍ରାହୀ କହିଛନ୍ତି ଯେ, ଜୁଲାଇ ୧୧ ତାରିଖ ଦିନ ଆକାଶଙ୍କ ସହ ଅରୂପ ପଟ୍ଟନାୟକ ଚାର୍ଟରରେ ଯାଇଥିଲେ । ଭୁବନେଶ୍ୱରରୁ ପୁନେ ପର୍ଯ୍ୟନ୍ତ ସମସ୍ତେ ଏକାଠି ଯାତ୍ରା କରିଥିଲେ । ପୁନେରୁ ମୁମ୍ବାଇ ଉକ୍ତ ଚାର୍ଟର ପ୍ଲେନରେ ଅରୂପ ଏକା ଯାଇଥିଲେ । ଆମେ ଚାର୍ଟର ପ୍ଲେନରେ ଗଲୁ, ତାହା ହେଲା ଜନବିରୋଧୀ । ଅରୂପ ପଟ୍ଟନାୟକ ଗଲେ, ସେ କ’ଣ ଜନବିରୋଧୀ ନୁହନ୍ତି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି । ସେ ସରକାରରେ ଅଛନ୍ତି ବୋଲି ଜନବିରୋଧୀ ନୁହନ୍ତି କି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି । ସରକାରରୁ ବାହାରିଗଲା ଆମେ ଜନବିରୋଧୀ ହୋଇଗଲୁ ବୋଲି କି ସେ ପ୍ରଶ୍ନ କରିଛନ୍ତି । ତେବେ ସୁଜାତା ପାଣିଗ୍ରାହୀଙ୍କ ଅଭିଯୋଗ ନେଇ ଅରୂପ ପଟ୍ଟନାୟକଙ୍କ ପ୍ରତିକ୍ରୟା ମିଳିପାରିନାହିଁ ।
ପ୍ରକାଶ ଯେ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି । ପାଠକ ବାପା ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି । ତେବେ ବହିଷ୍କୃତ ପରେ ଦୀର୍ଘ ଅନୁଭୂତିରୁ ସେ ଦଳର ପରିଚାଳନା ସମ୍ପର୍କରେ ଅନେକ ଗୁମର ଖୋଲିଛନ୍ତି ।