-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ପାଟଣାଗଡ଼(ସଚ୍ଚିଦାନନ୍ଦ ମହାକୁର )- ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର ପାଟଣାଗଡ଼ ଶାଖା ପକ୍ଷରୁ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼ଃ.ବାବା ସାହେବ ଆମ୍ବେଦକର, ଅନ୍ୟତମ ସମ୍ବିଧାନ ପ୍ରଣେତା ଜୟପାଳ ସିଂ ମୁଣ୍ଡା, ଆଦିବାସୀ ସହିଦ ବୀର ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ଷା ମୁଣ୍ଡା, ରେଣ୍ଡୋ ମାଝୀ,ବୀର ସୁରେନ୍ଦ୍ର ସାଏ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲା ସଭାପତି ସ୍ବର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ବଳନ କରି ଦିବଂଗତ ସମସ୍ତ ସହିଦ ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତିକାରୀ ଦିବସ ସଭାରେ ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଶ୍ରୀଯୁକ୍ତ ମନୋଜ କୁମାର ଲୁହାଙ୍କ ସଭା ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ନିରଞ୍ଜନ ବିଶିଙ୍କୁ ରାଜ୍ୟ ସରକାର ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିବାରୁ ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଆସନରେ ଅଳଙ୍କୃତ କରିଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଥା ଉଭୟ ବିଶି ମହୋଦୟ ଓ ଶ୍ରୀମତୀ ମୁର୍ମୁ ମହୋଦୟାଙ୍କୁ ସଭାରେ ଶୁଭେଚ୍ଛା ଅଭିନନ୍ଦନ ଜଣାଯାଇଥିଲା । ଆଦିବାସୀ ମାନଙ୍କ ଐତିହ୍ୟ, କଳା ସଂସ୍କୃତି, ପରମ୍ପରା,ପୂଜା ପଦ୍ଧତି, ଚାଲିଚଳଣି, କଥାବାର୍ତ୍ତା, ବେଶ ପୋଷାକ,ଜୀବନ ଜୀବିକା, ଜୀବନଶୈଳୀ, ଖାଦ୍ୟ ପେୟ ସ୍ୱତନ୍ତ୍ର କିନ୍ତୁ ଆଧୁନିକତାର ପରଦାରେ ଧୀରେ ଧୀରେ ଏ ସବୁ ଲୁକ୍କାୟିତ ହେବାକୁ ବସିଛି । ସେ ସମୟରେ ଏ ସବୁକୁ ପୁନର୍ଜିବିତ କରିବା ପାଇଁ ଜାତିସଂଘ କାର୍ଯ୍ୟକାରୀ ସମୂହର ଏକ ବୈଠକ ରେ ୧୯୮୨ ମସିହାରେ ପ୍ରସ୍ତାବ ଆଗତ କରଯାଇଥିଲା । ପର୍ଯ୍ୟାୟ କ୍ରମେ ଆଲୋଚନା ପର୍ଯ୍ୟାଲୋଚନା ପରେ ତାହା ୧୯୯୪ ମସିହାରେ ଜାତିସଂଘ ଏ ବିଷୟକୁ ଗୁରୁତ୍ୱ ଦେଇ ଅଗଷ୍ଟ ୯କୁ ବିଶ୍ୱ ଆଦିବାସୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ । ସେ ଦିନରେ ଆଦିବାସୀ ମାନଙ୍କ କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ପୂଜାପଦ୍ଧତି,ଭାଷା, ଚାଲିଚଳଣି, ଖାଦ୍ୟପେୟ, ଜୀବନଜୀବିକା, ବେଶ ପୋଷାକ, ଜୀବନ ଶୈଳୀକୁ ଆଦିବାସୀମାନେ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରି ଆସୁଛନ୍ତି । ଉକ୍ତ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ଅବସରରେ ସମଗ୍ର ଆଦିବାସୀ ସମାଜ ଶିକ୍ଷାକୁ ଗୁରୁତ୍ୱ ଦେଇ ଏକ ଉନ୍ନତ ସମାଜ ଗଢ଼ି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଯାହା ଆଦିବାସୀ ମାନଙ୍କୁ ପଥଭ୍ରଷ୍ଟ କରିଛି ଓ କରିବ ତାହାକୁ ବର୍ଜନ କରିବାକୁ ବକ୍ତା ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ତତ୍ ସହିତ ନିଶା ରୂପକ ଅସୁରକୁ ମୂଳତ୍ପାଟନ କରି ନିଶାକୁ ସମାଜରୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି । ଆଜିର ଦିନକୁ ସମଗ୍ର ରାଜ୍ୟ ତଥା ଦେଶରେ ଛୁଟି ଘୋଷଣା କରି ଆଦିବାସୀ ଦିବସ କୁ ସମସ୍ତ
ସରକାରୀ କାର୍ଯ୍ୟାଳୟରେ ତଥା ବେସରକାରୀ ସଂସ୍ଥା ତଥା ପୁର ପଲ୍ଲୀରେ ପାଳନ କରିବାକୁ ଆଗାମୀ ବର୍ଷ ରେ ହିଁ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଙ୍କୁ ଦାବୀ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଯଦି ଆଦିବାସୀ ମାନଙ୍କୁ ସତରେ ଭଲ ପାଉଛନ୍ତି ତାହେଲେ ଆଦିବାସୀ ମାନଙ୍କ ପାଇଁ ଯାହା ସରକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହାକୁ ଠିକ ଭାବରେ ସଫଳ ରୁପାୟନ କରିବାକୁ ଦାବୀ ଉପସ୍ଥାପନ କରିଥିଲେ ।
ଆଜିର ଏହି ପବିତ୍ର ଦିବସରେ ବ୍ଲକ ସମ୍ପାଦକ ଶ୍ରୀ ସାରଥୀ ବାଗ, ଯୁଗ୍ମ ସମ୍ପାଦକ ଶ୍ରୀ ଗିରିଧାରୀ ଭୋଇ, ଉପଦେଷ୍ଟା ନିତ୍ୟା ଶବର, ଲେକ୍ରୁ ଧରୁଆ, ଧବଳେଶ୍ବର ଭୋଇ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜଳ ଧରୁଆ, ହୃଷିକେଶ ଭୋଇ, ପିତାମ୍ବର ଖାଡ଼ିଆ,ଚୁଡାମଣି ଧରୁଆ, ସହଦେଵ ଧରୁଆ, ଗୌରାଙ୍ଗ ବରିହା,ଝେକ୍ରୁ ଭୋଇ,ନିମେଇ କୁଅଁର, ଶେଷ ଦେବ ଧରୁଆ ଙ୍କ ସହ ଶତାଧିକ ଆଦିବାସୀ ମାନେ ଯୋଗ ଦେଇଥିଲେ । ସଭା ଶେଷରେ ଶ୍ରୀ ପିଣ୍ଟୁ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।