-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
20-Apr-2022
ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ପୂର୍ବ ଘୋଷିତ ପ୍ରତିଶ୍ରୁତି ଅନୁସାରେ କଂଗ୍ରେସ ବିଧାୟକ ଦଳନେତା ତଥା ବଲାଙ୍ଗୀର ବିଧାୟକ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାମାମଲାରେ ପୁଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ, ତାଙ୍କ ଓକିଲପୁତ୍ର ଅମରେନ୍ଦ୍ର ମିଶ୍ର ହଠାତ୍ ସରକାରଙ୍କ ଦ୍ବାରା ସ୍ପେଶାଲ୍ ପିପି ନିଯୁକ୍ତ ହୋଇ କଣ୍ଟାବାଞ୍ଜି କୋର୍ଟରେ ସେହି ମାମଲା ଲଢୁଥିବା ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି । ସଂପ୍ରତି ଦଳରେ ପିସିସି ସଭାପତି ପରିବର୍ତ୍ତନ ଯୋର୍ ଧରିଥିବାବେଳେ, ସମ୍ଭବତଃ ଏଇଥି ପାଇଁ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ହଟାଇବାକୁ ସ୍ଥାନୀୟ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ବିଧାୟକମାନେ ସ୍ବର ଉତ୍ତୋଳନ କରିଛନ୍ତି । ଏବେ ଏହି ପ୍ରସଙ୍ଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।
ଉଲ୍ଲେଖନୀୟ ଯେ, କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରେକେଲା ଥାନାର ଝରଣୀ ଗ୍ରାମର ମମିତା ମେହେର ପଡୋଶୀ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜ ସଂଲଗ୍ନ ସନସାଇନ ପବ୍ଲିକ୍ ସ୍କୁଲ୍ ରେ ଶିକ୍ଷୟିତ୍ରୀ ବନାମ ଅଧ୍ୟକ୍ଷା ଥିଲେ ଓ ସେହି କଲେଜର କମିଟିର ମୁଖ୍ୟ ତଥା ସ୍କୁଲର ମାଲିକ ମହାଲିଙ୍ଗ ଗ୍ରାମର ଗୋବିନ୍ଦ ସାହୁଙ୍କ ସହ ତାଙ୍କର ବିବାଦରୁ ଗୋବିନ୍ଦ ତାଙ୍କୁ ଅପହରଣ କରି ହତ୍ୟା କରି ସେଠାକାର ହାଇସ୍କୁଲ ପଡିଆରେ ଗାତ ଖୋଳି ପୋଡି ପୋତିଦେଇଥିଲା । ଏହି ଅଭିଯୋଗରେ ତାକୁ ପୁଲିସ୍ ମୁଖ୍ୟ ଅଭିଯୁକ୍ତଭାବେ ଓ ତା'ର ଡ୍ରାଇଭର ରାଧେ ଚଣ୍ଡୀକୁ ସହଯୋଗୀ ଭାବେ ଗିରଫ କରିବା ପରେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ ବନ୍ଦୀଭାବରେ ରଖାଯାଇଛି । ଏହି ମାମଲା ସମଗ୍ର ରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା ଓ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ଅନୁଗତ ହୋଇଥିବା ସହ ତାଙ୍କ ପ୍ରଭାବରେ ଆରମ୍ଭରୁ ଏହି ମାମଲାରେ ପୁଲିସ୍ ତାହା ବିରୋଧରେ ଏତଲା ନେଉ ନଥିବା ସହ ଟିଟିଲାଗଡ ଥାନା ବାରେକରୁ ଫେରାର୍ କରାଇଦେବା, ଏହା ଏକ କଲେଜର ସେକ୍ସରାକେଟ୍ ଜନିତ ଷଡଯନ୍ତ୍ର ଓ ଏଥିରେ ମନ୍ତ୍ରୀଙ୍କ ସମେତ ଆହୁରି ବଡବଡିଆଙ୍କର ସମ୍ପୃକ୍ତି ରହିଛି ଇତ୍ୟାଦି ଅଭିଯୋଗ ଚର୍ଚ୍ଚାରେ ରହିଆସିଛି । ସ୍ଥାନୀୟ ଜନସାଧାରଣଙ୍କଠାରୁ ବିରୋଧୀଦଳ, ବିଧାନସଭା ଓ ଗଣମାଧ୍ୟମରେ ଏହା ତୁମୁଳ ଆଲୋଡନ ସୃଷ୍ଟି କରିଥିଲା । ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କର କଳାହାଣ୍ଡିର ପ୍ରାକ୍ ନିର୍ବାଚନୀସଭାରେ ମଞ୍ଚ ଉପରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ପାଖରେ ବସାଇ ଏକପ୍ରକାର କ୍ଲିନ୍ ଚିଟ୍ ଦେବା ବିସ୍ମୟ ସୃଷ୍ଟି କରିଥିଲା । ସେହିପରି ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସ୍ ତଦନ୍ତରେ ବହୁ ତଥ୍ୟପ୍ରମାଣ ଛାଡିଦିଆଯିବା ଓ ଖୋଲାଖୋଲି ଭାବରେ ଅଧାଅଭିଯୋଗକୁ ପୁଲିସ୍ ଜାଣି ଜାଣି ଏଡାଇଯିବା ଜନଅସନ୍ତୋଷ ସୃଷ୍ଟି କରିଆସିଛି । ଏଥିମଧ୍ୟରେ ପୁଲିସ୍ ହେପାଜତରୁ ରହସ୍ୟଜନକ ଭାବେ ଫେରାର୍ ହୋଇ ଦିନକପରେ ଗିରଫ ହେବା ମଧ୍ୟରେ ମହାଲିଙ୍ଗ କଲେଜର ସନ୍ଦିଗ୍ଧ କୋଠରୀର ସିସିଟିଭି ଭଙ୍ଗାରୁଜା , ମମିତାଙ୍କର ମୋବାଇଲ୍ ଓ ପେନ୍ ଡ୍ରାଇଭ୍ ଆଦି ନ ମିଳିବା ଏବଂ ଅଭିଯୁକ୍ତର କଲ୍ ଡିଟେଲ୍ସ ଦାଖଲ ନହେବା ଇତ୍ୟାଦି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଅଦ୍ୟାବଧି ନ ମିଳିବା । ରାଜ୍ୟ ଅପରାଧ ଇତିହାସର ଏହି ବିଚିତ୍ର ଜଘନ୍ୟ ଅପରାଧମାମଲା ଓ ବିଲକ୍ଷଣ ପୁଲିସ୍ ତଦନ୍ତ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରୁ ବଞ୍ଚାଇବାକୁ ସରକାରଙ୍କ ଘଣ୍ଟଘୋଡାଇବା ବୋଲି ଅଦ୍ୟାପି ଜନମାନସରେ ସନ୍ଦେହ ରହିଆସିଛି । ଏହା ବିରୁଦ୍ଧରେ ଭାଜପା ରାଜ୍ୟବ୍ୟାପି ଆନ୍ଦୋଳନ କରିଥିବାବେଳେ, କଂଗ୍ରେସ ମଧ୍ୟ ଏହା ବିରୁଦ୍ଧରେ ସମାନ ଭୂମିକା ପ୍ରଦର୍ଶନ କରିଥିଲା । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଏଥଘ ସରକାରଙ୍କୁ ଘେରିଆସିଥିଲେ । ମମିତାଙ୍କର ଘରକୁ ଯାଇ ଶ୍ରୀ ମିଶ୍ର ' ମମିତାକୁ ନ୍ୟାୟ ଦେବାପାଇଁ ଆବଶ୍ୟକ ପଡିଲେ , ମୁଁ ଏଇ ପରିଣତ ବୟସରେ କଳାକୋର୍ଟ ପିନ୍ଧିବି ' ବୋଲି ଘୋଷଣା କରିଥିଲେ ।
ସଂପ୍ରତି ଏହି ମାମଲାଟି ସ୍ଥାନୀୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରୁ କଣ୍ଟାବାଞ୍ଜି ଏଡିଜେଙ୍କ କୋର୍ଟରେ ପହଞ୍ଚି ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ପୂର୍ବପ୍ରତିଶ୍ରୁତି ଅନୁଯାୟୀ ଜଣେ ଆଇନଜୀବୀ ଭାବରେ ହାଇକୋର୍ଟରେ ଶ୍ରୀ ମିଶ୍ର ଏହି ମାମଲାର ପୁଲିସ୍ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କ ପୁଅକୁ ସରକାର ଏହି ମାମଲାର ସ୍ପେଶାଲ୍ ପିପି ନିଯୁକ୍ତ କରିବା ତାଙ୍କ ନିଜଦଳରେ ଏହାର କାରଣକୁ ନେଇ ସନ୍ଦେହରୁ ହଟଚମଟ ସୃଷ୍ଟି ହୋଇଥିବା ପ୍ରକାଶ । ଏସମ୍ପର୍କରେ ଶ୍ରୀ ମିଶ୍ର ତାଙ୍କର ଓ ତାଙ୍କ ପୁଅର ପିପି ଭୂମିକାକୁ ନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏଥିରେ ମୋ ପୁଅ ରାଜନୀତି କରୁନାହିଁ ଓ ଆମ ଉଭୟଙ୍କର ଲକ୍ଷ୍ୟ ଏକ : ଦୋଷୀକୁ ଦଣ୍ଡ ଦେବା । ' ତେବେ ଏହା ଯଥେଷ୍ଟ ନୁହେଁ ଓ ଏହା ପଛରେ ଶ୍ରୀ ମିଶ୍ରଙ୍କର ଭିନ୍ନ ପ୍ରଚ୍ଛନ୍ନ ଏକ ଉଦ୍ଦେଶ୍ୟ ରହିଛି ବୋଲି ଏଠାରେ ଚର୍ଚ୍ଚା ହେଉଛି ।
ଏହି ଅନୁଯାୟୀ , ଯଦି ଶ୍ରୀମିଶ୍ର ଓ ତାଙ୍କ ପୁଅଙ୍କର ଡବଲ୍ ବ୍ୟାରେଲ୍ ଗନ୍ ରେ ଏହି ମାମଲାର ଆହୁରି କେତେକ ଅଭିଯୁକ୍ତ ବା ଷଡଯନ୍ତ୍ରକାରୀଭାବେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଇନର ପରିସର ମଧ୍ୟକୁ ଟାଣି ଅଣାଯାଏ , ପ୍ରକାରାନ୍ତରେ ଗୃହବିଭାଗର ମନ୍ତ୍ରୀଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅଭିଯୋଗ ନିର୍ଦ୍ଦିଷ୍ଟ ହୋଇଯିବ । ଅର୍ଥାତ୍ ସରକାର କାଠଗଡାକୁ ଭିଡିହୋଇ ଆସିବେ । ଏଣୁ କ୍ଷମତାସୀନଦଳ ବିଜେଡି ବନାମ ମୁଖ୍ୟମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହିତ କୌଣସି ସମାଧାନମୂଳକ ଡିଲ୍ କରିପାରନ୍ତି ! ଏବଂ ସଂପ୍ରତି ଦେଶ ବା ରାଜ୍ୟରେ କଂଗ୍ରେସର ଆଉ କୌଣସି ସମ୍ଭାବନା ରହି ନଥିଲାବେଳେ ପୂର୍ବରୁ ଜନତାଦଳ , ଓଜିପି ଆଦି ଏକାଧିକ ଦଳ ଡେଇଁଆସିଥିବା ଏବଂ ବିରୋଧୀଦଳରେ ରହି ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଅଧ୍ୟକ୍ଷ ପଦ ହାସଲ କରିପାରିଥିବା ବିଚକ୍ଷଣ ରାଡନୀତି ବିଶାରଦ ନରସିଂହ ମିଶ୍ରଙ୍କୁ ଆଗାମୀ ରାଜ୍ୟସଭା ସାଂସଦ ଟିକେଟ୍ ଯଚାଯିବା ଆଶ୍ଚର୍ଯ୍ୟଜନକ ନୁହେଁ । ଏବଂ ରାଜନୀତିରେ ସବୁକିଛି ସମ୍ଭବ । ସେହିପରି ତାଙ୍କର ଆଉଜଣେ ପୁଅକୁ ଆଗାମୀ ନିର୍ବାଚନରେ ବିଜେଡିର ବଲାଙ୍ଗୀର ବିଧାନସଭା ଟିକେଟ୍ ମିଳିବା ବି ଅସମ୍ଭବ ନୁହେଁ । ଅବଶ୍ୟ ଲୋକଙ୍କର ଏଭଳି ଚର୍ଚ୍ଚାରେ ଥିବା କଳ୍ପନାଜଳ୍ପନାର କୌଣସି ଉତ୍ତର ଶ୍ରୀ ମିଶ୍ର ବା କାହାଠାରୁ ଅଦ୍ୟାବଧି ମିଳିନାହିଁ । ଅନେକଦିନରୁ ଶ୍ରୀ ମିଶ୍ରଙ୍କର ବିଜେଡିରେ ମିଶିବାର ଶୁଣାଯାଇଆସୁଥିଲେ ହେଁ , ତାଙ୍କ ତରଫରୁ ଏହା ସ୍ପଷ୍ଟ କରାଯାଇନାହିଁ ।