-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
30-Dec-2021
ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର)// ଚାଷୀ ଅନେକ କଷ୍ଟ କରି ଫସଲ କରିଥାଏ । ନକଲି ବିହନ, ନକଲି ସାର, ରୋଗପୋକର ଦାଉରୁ ଯେନ ତେଣ କରି ଫସଲକୁ ବଞ୍ଚାଇଥାଏ । ଫସଲକୁ ଦେଖି ଚାଷୀ ବିଚରା ତାଲିକା କରିଥାଏ । ଝିଅ ବାହାଘର , ପିଲାଙ୍କ ପାଠପଢା, ସରକାରୀ ବେସରକାରୀ ଋଣ ପରିଶୋଧ, ଘର କରିବା ଇତ୍ୟାଦିକୁ ସେ ତାର ବ୍ୟୟକୁ ଆକଳନ କରିଥାଏ । ଯଦି ଧାନ ଅମଳପରେ ପେକ୍ସ କିମ୍ବା ମଣ୍ଡିରେ ଧାନ ନଷ୍ଟ ହୋଇଗଲେ ଚାଷୀର ଆତ୍ମାକୁ କେତେ ବାଧିବ ଅନୁଭବୀ ଚାଷୀ ହିଁ ଜାଣିପାରିବ । ଗତ ରାତିରେ ପ୍ରବଳ ବର୍ଷା ଏହି ଅଂଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷୀ ମଣ୍ଡିରେ ପକାଇଥିବା ଧାନ ପାଣିରେ ବୁଡି ଯାଇଛି । ପେକ୍ସ ଗୁଡିକରେ ଆନୁସଙ୍ଗୀକ ବ୍ୟବସ୍ଥା ରହିଥିବା ବେଳେ ସ୍ୱୟଂସହାୟକ ଗୋଷ୍ଠିର ଧାନ କିଣାବିକାର କୌଣସି ଅଭିଜ୍ଞତା କିମ୍ବା ଆନୁସଙ୍ଗୀକ ଧାନ ରଖିବାର ବ୍ୟବସ୍ଥା ନଥିବାରୁ ଚାଷୀର ଧାନ
ବର୍ଷାରେ ବୁଡି ଯାଇଛି । ଏଭଳି ଅବସ୍ଥା ଆଜି ଡୁଙ୍ଗୁରିପାଲିର ବିଭିନ୍ନ ମଣ୍ଡି ଯେଉଁଠି ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନେ ଧାନ କିଣୁଛନ୍ତି । ଏହି ବ୍ଲକରେ ଲଙ୍ଗଲକଟାରେ ମାଁ ମଙ୍ଗଳା ଏସଏଚଜି, ଲିଙ୍ଗମାର୍ଣ୍ଣିରେ ଅରୁଣିମା, କର୍ଲାଯୁରୀରେ ମାଁ ଅସୁରଗଡିଏନ୍, ଭୀମଟିକିରାରେ ମାଁ ବିରଜା, ଦିଗସିରାରେ ସମଲେଶ୍ୱରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଯାଗୃତୀ, ଅର୍ଣ୍ଣପୂର୍ଣ୍ଣା, ମାଁ ଭବାନୀ, ମାଁ ଶକ୍ତି, ସାଇବାବା, ଓଁଶାନ୍ତି ନାମରେ ଏସଏଚଜି ମହିଲାମାନେ ଧାନ କିଣୁଛନ୍ତି । ଗାଇଡଲାଇନ ଅନୁସାରେ ଚାଷୀ ଉକ୍ତ ପେକ୍ସ ବା ମଣ୍ଡିକୁ ଧାନ ଆଣିବା କଥା । ଚାଷୀର ଧାନ ପହଞ୍ଚିବା ପରେ ସେଠାରେ କାର୍ଯ୍ୟରତ ଆରଏମସି କର୍ମଚାରୀ ଧାନର ମାନ ତଥା ମଶ୍ଚର ନିର୍ଦ୍ଧାରଣ କରିବେ । ତାପରେ ପେକ୍ସ ଉକ୍ତ ଧାନ ରଖିବା ପରେ ମିଲର୍ସ ଏହାକୁ ଉଠାଇବା କଥା । କିନ୍ତୁ କେତେକ ସ୍ଥଳରେ ଚାଷୀଙ୍କ ଧାନ ସିଧାସଳଖ ମିଲଗୁଡିକୁ ଯାଉଛି । ସେଠାରେ ମିଲର୍ସ ହିଁ ଏହାର ମାନ ନିର୍ଦ୍ଧାରଣ କରୁଅଛି । କାଗଜ କଲମରେ ପେକ୍ସ ଏବଂ ମଣ୍ଡିକୁ ଧାନ ଆସୁଥିବା ବେଳେ ପ୍ରକୃତରେ ସିଧାସଳଖ ମିଲକୁ ଯାଉଛି । ଆହୁରି ମଧ୍ୟ ମିଲ ଗୁଡିକର ଓଜନମାପ ଯନ୍ତ୍ର ଓ ମଶ୍ଚର ମେସିନ ମଧ୍ୟରେ ତାଳମେଳ ମଧ୍ୟ ରହୁ ନଥିବା ଡୁଙ୍ଗୁରିପାଲି ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ସମସ୍ତ ମିଲର ଓଜନମାପ ଯନ୍ତ୍ରକୁ ପ୍ରସାଶନ ପକ୍ଷରୁ ଯାଞ୍ଚ କରାଯିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏହା କରାଯାଇ ନାହିଁ । ଏସ୍ଏଚଜି ଗୁଡିକ ପାଖରେ ଧାନ ରଖିବାର କୌଣସି ବ୍ୟବସ୍ଥା ନଥିବାରୁ ଖୋଲାମେଲାରେ ଧାନ ରଖି ତ୍ରିପାଳ ଘୋଡାଇ ରଖାଯାଉଛି । ଯାହାକୁ ଚାଷୀଙ୍କ ଧାନ ସୁରକ୍ଷିତ ରହୁନାହିଁ । ଗତ ରାତିର ବର୍ଷାରେ ପାଣି ତଳଆଡୁ ଜମା ହୋଇ ଭିଜି ଯାଇଛି । ଉପର ଅଂଶରେ ଘୋଡାଯାଇଥିବା ବେଳେ ତଳଆଡୁ ପ୍ରବଳ ପାଣି ହେବାରୁ ଏହା ଭିଜି ଯାଇଛି । ଆସନ୍ନ ମେଘକୁ ଦେଖି ମଣ୍ଡି ଗୁଡିକରେ ସେଭଳି କୌଣସି ପଦକ୍ଷେପ ଆଗରୁ ନିଆଯାଇଥିଲେ ଅସୁବିଧା ହୋଇ ନଥାନ୍ତା । ଆଲୋଚନାର ବିଷୟ ଯେ, ଏସଏଚଜି ଗୁଡିକ ନିଜେ ଉକ୍ତ ଧାନ ସିଧାସଳଖ କିଣୁ ନାହାନ୍ତି । କେତେକ ମଣ୍ଡିରେ ଏସଏଚଜିର ମହିଳାମାନେ ଉପସ୍ଥିତ ନଥିବା ବେଳେ ଜଣେ ଡାଟାଏଣ୍ଟ୍ରିି ରହୁଛନ୍ତି । ସେଠାରେ କେତେକ ମିଲର୍ସ ଗୁଡିକର ପ୍ରତିନିଧିମାନେ ଉପସ୍ଥିତ ରହି ପରୋକ୍ଷରେ ଏହାକୁ ପରିଚାଳନା କରୁଛନ୍ତି । ଧାନ ବିକ୍ରୀ ଶେଷରେ ନିଜର କମିଶନ ପାଇ ଏସଏଚଜି ଗୁଡିକ ସେଥିରେ ସନ୍ତୁଷ୍ଟ ରହୁଥିବା ବେଳେ ତୃତୀୟ ପକ୍ଷ ମାଲେମାଲ ହେଉଥିବା ଆଲୋଚନା ହେଉଛି । ଆହୁରି ମଧ୍ୟ କେତେ ଚାଷ ଜମି ରେଜିଷ୍ଟ୍ରେସନ ହୋଇଛି ଏହା ମଧ୍ୟ ଠିକ ଭାବରେ କେତେକ ଏସଏଚଜି କହିପାରୁ ନାହାନ୍ତି । ଚାଷ ହୋଇ ନଥିବା ପଡିଆ, ଗୋଚର , ଅନାବାଦୀ, ଜଳାଶୟ ଗୁଡିକରେ ଚାଷ ହୋଇଥିବା ଜମିକୁ ମଧ୍ୟ ରେଜିଷ୍ଟ୍ରେସନ କରାଯାଇଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏଣୁ ଏସଏଚଜିକୁ ଧାନ କିଣାବିକା ଦାୟିତ୍ୱ ଦେବା ପୂର୍ବରୁ ଏମାନଙ୍କୁ ପ୍ରଶିକ୍ଷଣ ଦେଇ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଗଲେ ଚାଷୀମାନେ ଉପକୃତ ହେବେ ବୋଲି ଚାଷୀ ମହଲରେ ଦାବୀ ହେଉଛି ।