-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
22-Sep-2026
ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ଏକ ଶାନ୍ତିପ୍ରିୟ ସହର ଅଟେ। ଏହି ସହରରେ ରହିଛି ଟିଟିଲାଗଡ ରେଳ ଜଙ୍କସନ। ଯଦ୍ୱାରା ଟିଟିଲାଗଡରୁ ଦେଶର ସବୁ ପ୍ରାନ୍ତକୁ ଯିବା ପାଇଁ ଟ୍ରେନ ମିଳିଥାଏ, ସେଥିପାଇଁ ଟିଟିଲାଗଡ ରେଳ ଷ୍ଟେସନ ଉପରେ ଆଖପାଖ ଅଞ୍ଚଳର ଗ୍ରାମ ସମେତ ପଡୋଶୀ ଜିଲ୍ଲାର ଲୋକେ ଯାତାୟାତ ପାଇଁ ଦିନରାତି ସଦାବେଳେ ନିର୍ଭର କରିଥାନ୍ତି। ଦିନକୁ ଦିନ ଟ୍ରେନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଯାତାୟାତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଅପର ପକ୍ଷରେ ସହରର ଯୁବ ପିଢ଼ି ଏବେ ନିଶା ଗ୍ରସ୍ତ ହେବାରେ ଦେଖିବାକୁ ମିଳୁଛି। ଗୋଟିଏ ପଟେ ଭଲ ଶିକ୍ଷା ଦେଇ ନିଜ ପୁଅ ମାନଙ୍କ ଭବିଷ୍ୟତ ଗଢି ତୋଳିବା ପାଇଁ ଅଭିଭାବକ ମାନେ କେତେ ସ୍ୱପ୍ନ ଦେଖୁଥିବା ବେଳେ ଏବେ ସେମାନେ ଧୀରେ ଧୀରେ ଅବାଟକୁ ଯାଉଥବା ନଜିର ରହିଛି। ସହରର ପ୍ରମୁଖ ଚାରୋଟି ପ୍ରବେଶ ଦ୍ୱାର ନିକଟରେ ଥିବା ଖେଳ ପଡ଼ିଆ ତଥା ଅନ୍ଧାରିଆ ସ୍ଥାନ ମାନଙ୍କରେ ଯୁବ ପିଢ଼ିଙ୍କ ଭିଡ ପରିଲକ୍ଷିତ ହେଉଛି। ଯୁବ ପିଢ଼ିଙ୍କ ହାତରେ ରହୁଛି ସିଗାରେଟ, ଗଞ୍ଜେଇ ସିଗାରେଟ,ମଦ, କୋରେକ୍ସ ସିରଫ ଓ ନିଶା ବଟିକା। ଧୀରେ ଧୀରେ ମଦ ପିଇବା କମ କରି ନିଶା ବଟିକା ଓ କଫ ସିରପ ପିଇବାରେ ଅଭ୍ୟସ୍ଥ ହେଲେଣି ଯୁବ ପିଢ଼ି। ଟିକିଏ କଥାରେ ଝଗଡ଼ା ଲାଗିବା, ଗ୍ୟାଙ୍ଗ ହୋଇ ବୁଲିବା, ଅସ୍ତ୍ର ଶସ୍ତ୍ର ଧରି ବୁଲିବା ଭଳି ସ୍ଥିତି ଦେଖିବାକୁ ମିଳୁଛି।
ତେବେ ଏଭଳି ସ୍ଥିତି କାହିଁକି ହେଉଛି ? ମଦ ଯେହେତୁ କିଣିବାକୁ ହେଲେ ମଦ ଦୋକାନ ଯିବାକୁ ପଡ଼ିବ ଏବଂ ମଦର ଦର ବି ଅଧିକ, ସବୁଦିନ କିଣି କି ପିଇବା ସମ୍ଭବ ପର ନୁହେଁ ସେଥିପାଇଁ କମ ଦରରେ ନିଶା କରିବାକୁ ଅନ୍ୟ ଉପାୟ ଖଞ୍ଜିବା ପାଇଁ ନିଶା ବଟିକା ଓ କଫ ସିରପ ବ୍ୟବହାର କରୁଛନ୍ତି। ମଦ ପିଇଲେ ଗନ୍ଧ ହେବ, ଗନ୍ଧ ହେଲେ ଘର ଲୋକ କିମ୍ବା ଅନ୍ୟ କେହି ଜାଣି ଯିବେ, ମଦ ଦର ମଧ୍ୟ ଅଧିକ ସେଥିପାଇଁ ଏବେ ଏହି ନିଶା ବଟିକା ଓ କଫ ସିରପ ବ୍ୟବହାର କରୁଛନ୍ତି ଯୁବ ପିଢ଼ି। ଏହା ଖାଇଲେ କି ପିଇଲେ ଗନ୍ଧ ହେବନି କିନ୍ତୁ ନିଶା ଅଧିକ ହୁଏ। ଏହି ନିଶା କଲାପରେ ସେମାନଙ୍କ ଆଖି ଖାଲି ପାଣି ପାଣି ଭଳି ଦିଶିବା ସହ ମୁହଁ ଲାଲ ହୋଇଯାଉଛି, କଥା କମ କହିବେ କିନ୍ତୁ ରାଗିଗଲେ ସେମାନେ କଣ କରୁଛନ୍ତି ସେମାନେ ଜାଣି ପାରନ୍ତି ନାହିଁ। ବଡ ଲୋକଙ୍କୁ ନା ଡର ନା ଖାତିର କରୁଛନ୍ତି ସେମାନେ। ସେଥିପାଇଁ ଏହାର ବ୍ୟବହାର ଧୀରେ ଧୀରେ ବୃଦ୍ଧି ପାଉଛି। ସେମିତିବି ସହରର ପ୍ରାୟ ସ୍ଥାନରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ଏହି ନୂତନ ନିଶା ତାଠାରୁ ବି ଅଧିକ ମାତ୍ରାରେ ବ୍ୟବହାର ହେଉଛି।
ସରକାର ଏବେ ନିଶା ନିବାରଣ ଅଭିଯାନ ପାଇଁ ଡାକରା ଦେଇଛନ୍ତି , ସେଥିପାଇଁ ଗୁଟଖାର ଜରଦା, କଫ ସିରପ ବିକ୍ରି ଉପରେ କଟକଣା ଜାରି କରିବା ସହ ବିକ୍ରି ତଥ୍ୟ ଦେବା ସହ ସବୁ ଔଷଧ ଦୋକାନରେ ସିଶି ଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଅପର ପକ୍ଷରେ କେଉଁ ଠାରୁ ଏହି ନିଶା ବଟିକା ବା କଫ ସିରପ ଆସୁଛି ସେ ଦିଗରେ ଧର ପଗଡ ଆରମ୍ଭ କରିବା ଜରୁରୀ ହୋଇଗଲାଣି। ମୂଳରୁ ଯଦି ନିପାତ ନ କରାଯାଏ ତାହେଲେ ଆଗକୁ ଆହୁରି ଏହାର କୁପ୍ରଭାବ ବଢ଼ି ଚାଲିବ। ଅଭିଭାବକ ମାନଙ୍କୁ ଅନୁରୋଧ ନିଜର ପୁଅ କାହା ସଙ୍ଗେ ମିଶୁଛି ? କୁଆଡେ ଯାଉଛି ? ତାହାର ବିଷୟରେ ତଥ୍ୟ ସଂଗ୍ରହ କରିବା ସହ ସେ କୁଆଡେ କୁଆଡେ ଯାଉଛି ଟିକିଏ ନିଘା ରଖନ୍ତୁ ନହେଲେ ଆଗାମୀ ଦିନରେ କଣ ହେବ କିଏ କହିବ ? କିଛି ଭଲ ପିଲା ଏ ବାଟରେ ନ ଯାଇ ନିଜର ପଢ଼ା ପଢ଼ି ଉପରେ ଧ୍ୟାନ ଦେବା ସହ ରାତିରେ କୁଆଡେ ନ ବୁଲି ଘରେ ରହି ପାଠ ପଢୁଛନ୍ତି ଯାହାକି ଏ ବୟସରେ ଜରୁରୀ ଅଟେ। ତେଣୁ ଅଭିଭାବକ ମାନେ ମଧ୍ୟ ଏ ଦିଗରେ ଟିକିଏ ଚିନ୍ତା କରନ୍ତୁ। ସମାଜରେ ବହୁତ ଖରାପ ଲୋକ ଥିଲେ ହେଁ ଭଲ ଲୋକଙ୍କ ବି ଅଭାବ ନାହିଁ। ସେମାନଙ୍କ ସହ ସଂଗ କଲେ ନିଜର ଭବିଷ୍ୟତ ଗଢି ଉଠିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।