-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2021
କଟକ :ଗାଁରେ ଆଉ ଦେଖିବାକୁ ମିଳିବନି କଚ୍ଚା ଘର। ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ପକ୍କା ଘର ଦିଆଯିବ। ଯେଉଁମାନଙ୍କ ପକ୍କାଘର ନାହିଁ ସେମାନେ ଆବେଦନ କରିବେ ଓ ସେଗୁଡିକୁ ସର୍ଭେ କରାଯିବା ପରେ ପ୍ରଶାସନ ଚୂଡାନ୍ତ ତାଲିକା ପ୍ରକାଶ କରିବ। ଏହାପରେ ପକ୍କା ଘର ମିଳିବା ବ୍ୟବସ୍ଥା ହେବ। କିନ୍ତୁ ଆଜିକୁ ଅଢ଼େଇ ବର୍ଷ ବିତିଗଲା ପରେ ବି ସରୁନି ତାଲିକା ପ୍ରସ୍ତୁତି ପ୍ରକ୍ରିୟା। ପ୍ରକାଶ ପାଇପାରୁନି ଚୂଡାନ୍ତ ଆବାସ ଯୋଜନା ତାଲିକା ବା ହିତାଧିକାରୀ ତାଲିକା। ଏପଟେ ସର୍ଭେ ସମୟରେ ଯେଉଁ ଯୋଗ୍ୟଙ୍କୁ ଅଯୋଗ୍ୟ ଦେଖାଇ ପଞ୍ଚାୟତସ୍ତରରେ କାଟି ଦିଆଯାଇଛି ତା’ ଉପରେ ଆସୁଥିବା ଅଭିଯୋଗଗୁଡ଼ିକର ତଦନ୍ତ ପରେ ସେମାନେ ଯୋଗ୍ୟ ବା ଅଯୋଗ୍ୟ ବୋଲି ପ୍ରଶାସନ ଜାଣୁଥିଲେ ସୁଦ୍ଧା ସେମାନଙ୍କୁ ପରବର୍ତ୍ତୀ ସମୟରେ ତାଲିକାରେ ଯୋଡ଼ି ପାରୁନି କି କାଟି ପାରୁନି। କାରଣ ଯୋଡ଼ିବା ପାଇଁ ‘ଆୱାସ ସପ୍ଟ’କୁ ପୋର୍ଟାଲ ବନ୍ଦ ରହିବା ସହ ‘ରୁରାଲ୍ ହାଉସିଂ ପୋର୍ଟାଲ୍’କୁ ମଧ୍ୟ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଯା’ ଫଳରେ ଏପଟେ ନା’ ତାଲିକା ଚୂଡାନ୍ତ ହୋଇପାରୁଛି ନା’ ହିତାଧିକାରୀଙ୍କୁ ଘର ମିଳୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହି ଆବାସ ଯୋଜନା ଘର ଏକ ପ୍ରସଙ୍ଗ ପାଲଟିପାରେ ବୋଲି ଆଲୋଚନା ଆରମ୍ଭ ହେଲାଣି।
‘ଫନି’ ବାତ୍ୟା ଉପକୂଳରେ ତାଣ୍ଡବ ଚରି ଅନେକ ଘରଦ୍ବାରା ଭାଙ୍ଗିଥିଲା। କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଚାଳ ଖଣ୍ଡିଏ ନଥିଲା। ତାକୁ ଦୃଷ୍ଟିରେ ରଖି ସରକାର ଗାଁରେ ସମସ୍ତଙ୍କ ପାଖରେ ଯେପରି ପକ୍କାଘର ହେବ ବା ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ସାମିଲ ହେବେ ସେଥିପାଇଁ ଦରଖାସ୍ତ ଆହ୍ବାନ କରିଥିଲେ। କଟକ ଜିଲ୍ଲାରେ ଏହି କ୍ରମରେ ୧ଲକ୍ଷ ୨୨ହଜାର ହିତାଧିକାରୀ ଆବେଦନ କରିଥିଲେ। ସେଥିରୁ ପାଖାପାଖି ୭୦ହଜାର ହିତାଧିକାରୀଙ୍କ ଆବେଦନ ସର୍ଭେ ସମୟରେ କଟିଥିବା ସୂଚନା ମିଳିଛି। କାରଣ ସେଥି ମଧ୍ୟରୁ କାହାକୁ ପୂର୍ବରୁ ଘର ମିଳିଛି, କାହାର ସ୍ତ୍ରୀ ଘର ପାଇଛି ସ୍ବାମୀ ଆବେଦନ କରିଛି ଏଭଳି ଅନେକ କିଛି…
କିନ୍ତୁ ବାସ୍ତବିକ କ୍ଷେତ୍ରରେ କେତେ ଲୋକଙ୍କ ଆବେଦନ କଟିଛି ଓ କେତେ ଜଣ ଆବାସ ଯୋଜନାରେ ଘର ପାଇବେ ସେ ନେଇ ଅଢ଼େଇ ବର୍ଷ ପରେ ବି ଚୂଡାନ୍ତ ତାଲିକା ପ୍ରକାଶ ପାଇପାରିନି। ତେଣୁ କେତେ ଘର ପାଇବେ ସେ ନେଇ ଏବେବି ହିତାଧିକାରୀ ଅନ୍ଧାରରେ। ଅନ୍ୟପଟେ ଅନେକ ଯୋଗ୍ୟ ହିତାଧିକାରୀ ଭଙ୍ଗା ଚାଳଘରେ ରହୁଥିଲେ ବି ସେମାନଙ୍କୁ ତାଲିକାରେ ସାମିଲ କରାଯାଉନି। ସେମାନଙ୍କୁ ଅର୍ଥ ଦାବି କରାଯିବା ଓ ଯେଉଁମାନେ ଅର୍ଥ ଦେଇ ପାରିନାହାନ୍ତି ସେମାନଙ୍କୁ ସର୍ଭେ ସମୟରେ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିବାରେ ଲାଗିଛି। ଅବଶ୍ୟ ତାଲିକାରୁ ବାଦ୍ ପଡିଥିବା ଓ ସର୍ଭେ ସମୟରେ ସେମାନଙ୍କ ପାଖକୁ ସର୍ଭେ ପାଇଁ କେହି ଅଧିକାରୀ ଯାଇ ନଥିବା ନେଇ ଆସୁଥିବା ଅଭିଯୋଗର ତଦନ୍ତ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କରାଯାଇଥିଲା। ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିବା ନେଇ ତଦନ୍ତ ପରେ ଜଣାପଡ଼ିଥିଲେ ସୁଦ୍ଧା ସେମାନଙ୍କୁ ତାଲିକାରେ ଯୋଡ଼ାଯାଇପାରୁନି। ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଛି ସେମାନଙ୍କୁ ମଧ୍ୟ ତାଲିକାରୁ କଟାଯାଇପାରୁନି। ଅନ୍ୟପଟେ ସରକାର ଆଜି ପର୍ଯ୍ୟନ୍ତ ଚୂଡାନ୍ତ ତାଲିକା ପ୍ରକାଶ କରୁ ନଥିବାରୁ ହିତାଧିକାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।