-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଥିବା ସରକାରୀ ମଦ ଦୋକାନକୁ ମଦ ବିରୋଧୀ ଆନ୍ଦୋଳନକାରୀ ମହିଳାମାନେ ଭାଙ୍ଗିବା ସହିତ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର ମଦ ନଷ୍ଟ କରିଥିବା ଅଭିଯୋଗ ହେଉଛି। ହଜାରହଜାର ମହିଳା ଗୁରୁବାର ଦିନ ଏକତ୍ର ହୋଇ ପ୍ରଦୀପ ବାରିକଙ୍କ ମାଲିକାନାରେ ଥିବା ଏହି ଦୋକାନକୁ ଭାଙ୍ଗି ଦେଇଥିଲେ। ମ୍ୟାନେଜର ଗୋପୀନାଥ ବାରିକଙ୍କ ଠାରୁ ଖବର ପାଇ ନୟାକୋଟ ଥାନା ଅଧିକାରୀ ସ୍ୱର୍ଣ୍ଣମୟୀ ହେମ୍ଭ୍ରମ, ବାଂଶପାଳ ଫାଣ୍ଡି ଅଧିକାରୀ ଏସ ଏନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ସେମାନେ ସେଠାରୁ ଫେରି ଯାଇଥିଲେ।
ସୂଚନା ଅନୁଯାଇ ବାଂଶପାଳ ବ୍ଲକରେ ଆଞ୍ଚଳିକ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଗତ କିଛି ଦିନ ଧରି ଚାଲୁ ରହିଛି। ଗୁରୁବାର ବାଂଶପାଳ ସାପ୍ତାହିକ ହାଟରେ ବିକ୍ରି ହେଉଥିବା ହାଣ୍ଡିଆ ଓ ଦେଶୀ ମଦ ବିକ୍ରିକୁ ମହିଳାମାନେ ବନ୍ଦ କରିଥିଲେ ଓ ହାଟ ପଦା ପାଖରେ ଥିବା ବିଦେଶୀ ମଦ ଦୋକାନକୁ ସାପ୍ତାହିକ ହାଟ ଦିନ ବିକ୍ରି ନକରିବା ପାଇଁ ସୂଚନା ଦେଇଥିଲେ। ଗୁରୁବାର ଦିନ ବିଦେଶୀ ମଦ ଦୋକାନ ଖୋଲା ଥାଇ ମଦ ବିକ୍ରି ହେଉଥିବାରୁ ମଦ ବିରୋଧୀ ଆନ୍ଦୋଳନକାରୀ
ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ମହିଳା ଉତକ୍ଷିପ୍ତ ହୋଇ ମଦ ଦୋକାନକୁ ଭାଙ୍ଗି ଦେଇଥିଲେ। ଦୋକାନରେ ଗଚ୍ଛିତ ସବୁ ମଦକୁ ବୋହି ନେଇ ଏକ ପଡ଼ିଆରେ ମଦକୁ ନଷ୍ଟ କରିଦେଇଥିଲେ। ମହିଳାମାନେ ପୁଲିସ ଉପସ୍ଥିତିରେ ଲକ୍ଷଲକ୍ଷ ଟଙ୍କାର ମଦକୁ ଭାଙ୍ଗି ନଷ୍ଟ କରିବା ଓ ପୁଲିସ ୨/୩ ଘଣ୍ଟା ରହି ପରିସ୍ଥିତି ନିୟନ୍ତ୍ରଣ ନ କରି ପାରି ସଦଳବଳେ ଫେରିଯିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।