-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ନୂଆଦିଲ୍ଲୀ: ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ପ୍ରସ୍ତୁତ କରିଥିବା କୋଭିଡ୍-ନିରୋଧୀ ଖାଇବା ଔଷଧ ‘ଟୁ-ଡିଜି’କୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉନ୍ମୋଚନ କରିଛନ୍ତି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ଦିଲ୍ଲୀ-ଏମ୍ସ୍ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।
‘୨-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧକୁ ହାଇଦ୍ରାବାଦର ପ୍ରଖ୍ୟାତ ଔଷଧ ନିର୍ମାତା ‘ଡକ୍ଟର୍ ରେଡିସ୍ ଲାବ୍ରଟରିଜ୍’ ସହଯୋଗରେ ‘ଡିଆର୍ଡିଓ’ ଲ୍ୟାବ୍ ପ୍ରସ୍ତୁତ କରିଛି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ଏହି ଔଷଧରେ ଥିବା ଏକ ପ୍ରକାରର ‘କୃତ୍ରିମ ଗ୍ଲୁକୋଜ୍ ମଲିକ୍ୟୁଲ୍’ ଶରୀର ମଧ୍ୟରେ ଭାଇରସ୍ର ଗତିରୋଧ କରୁଛି। ଚୂର୍ଣ୍ଣ ରୂପରେ ଆସୁଥିବା ଏହି ଔଷଧକୁ ପାଣି ସହ ପିଇ ହେବ।
‘ଡିଆର୍ଡିଓ’ର ଅଧ୍ୟକ୍ଷ ଡକ୍ଟର୍ଜି ସତୀଶ ରେଡ୍ଡି କହିଛନ୍ତି, ‘ଟୁ-ଡିଜି’ର ପ୍ରଥମ ଓ ଦ୍ବିତୀୟ ବ୍ୟାଚ୍ ସୀମିତ ଭାବେ ପ୍ରୟୋଗ ହେବ। ସେସବୁ ‘ଏମ୍ସ୍’, ‘ଆର୍ମଡ୍ ଫୋର୍ସ ହସ୍ପିଟାଲ୍’, ‘ଡିଆର୍ଡିଓ ହସ୍ପିଟାଲ୍’ ଏବଂ ଆବଶ୍ୟକମତେ ଅନ୍ୟ କେତେକ ହସ୍ପିଟାଲ୍ରେ ଦିଆଯିବ। ଜୁନ୍ ପର ଠାରୁ ଏହା ସବୁ ହସ୍ପିଟାଲ୍ରେ ମିଳିବ।
ସାମାନ୍ୟରୁ ସାଙ୍ଘାତିକ କୋଭିଡ୍-୧୯ ସଂକ୍ରମଣ ଚିକିତ୍ସା ନିମନ୍ତେ ଜରୁରୀକାଳୀନ ଭାବେ ଏହି ଔଷଧ ବ୍ୟବହାର କରିବା ପାଇଁ ମେ ୮ ତାରିଖ ଦିନ ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ ଅନୁମତି ଦେଇଥିଲେ।
ଗତବର୍ଷ ମେ ରୁ ଅକ୍ଟୋବର ମଧ୍ୟରେ ଉପରୋକ୍ତ ଔଷଧକୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଖୁଆଇବା ପରେ ତାହା ଫଳପ୍ରଦ ହେଉଥିବା ଜଣାପଡ଼ିଥିଲା। ବିଶେଷକରି ଏହି ଔଷଧ ଆକ୍ରାନ୍ତମାନଙ୍କର ଡାକ୍ତରଖାନା ରହଣି ସମୟ ଓ ଅକ୍ସିଜେନ୍ ନିର୍ଭରଶୀଳତା ହ୍ରାସ କରୁଛି। (ଦୀପକ କୁମାର ଷଡଙ୍ଗୀ)