-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲାର ଜଣେ କରୋନା ଆକ୍ରାନ୍ତ ଦିବ୍ୟାଙ୍ଗ ଗର୍ଭବତୀ ମହିଳାଙ୍କୁ ସଫଳତାର ସହ ପ୍ରସବ କରାଇଛନ୍ତି ଡାକ୍ତର। ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରିଛନ୍ତି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶାନ୍ତ ନାୟକ ଓ ତାଙ୍କ ସହଯୋଗୀମାନେ। ଡାକ୍ତର ନାୟକଙ୍କ ସୂଚନା ଅନୁସାରେ ଉଭୟ ମା ଓ ନବଜାତକ ସୁସ୍ଥ ଅଛନ୍ତି, ତେବେ ନବଜାତକ ବି କରୋନା ଆକ୍ରାନ୍ତ ଥାଇପାରେ ବୋଲି ଅନୁମାନ କରାଯାଉଛି। ସେମାନଙ୍କୁ ଏବେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଗରୋଧରେ ରଖାଯାଇଛି। ଜିଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ବ୍ରାହ୍ଣଣପାଦ ବିଦ୍ୟୁତ କଲୋନୀ ବାସିନ୍ଦା ଏହି ଦିବ୍ୟାଙ୍ଗ ମହିଳା ଜଣକ ଗର୍ଭବତୀ ଥିଲେ। ଚଳିତ ମାସ ୮ ତାରିଖରେ ସେ କୋଭିଡ ଆକ୍ରାନ୍ତ ଥିବା ଜଣାପଡିଥିଲା। ଏହା ପରଠାରୁ ତାଙ୍କୁ ବଡଗାଁ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା। ଆଜି ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବ୍ରାହ୍ମଣପାଦ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନାୟକ ଓ ତାଙ୍କ ସହଯୋଗୀମାନେ ସଂପୂର୍ଣ୍ଣ କୋଭିଡ ପ୍ରୋଟୋକଲ ସହ ତାଙ୍କର ପ୍ରସବ କରାଇଥିଲେ। ଏ ନେଇ ଡାକ୍ତର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଏଭଳି ଏକ ଘଟଣାକୁ ନେଇ ସେ ପ୍ରଥମେ ଦ୍ବନ୍ଦ୍ବରେ ପଡିଥିଲେ। କୋଭିଡ ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ଆମ୍ବୁଲାନ୍ସରେ ଫୁଲବାଣୀ ସ୍ଥାନାନ୍ତର କରିବା ମନା। ଅନ୍ୟ ପଟେ ପ୍ରସବ ବେଦନା ଭୋଗୁଥିବା ଜଣେ ମହିଳାଙ୍କୁ କୋଭିଡ ଆମ୍ବୁଲାନ୍ସରେ ପଠାଇବା ବି ସମ୍ଭବ ନୁହେଁ। ସେ ଏ ନେଇ ଜିଲା ମୂଖ୍ୟ ଚିକିତ୍ସାଳୟର ବରିଷ୍ଠ ପ୍ରସୂତୀ ବିଶେଷଜ୍ଞ ଡ.ଅଭୟ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବ୍ରାହ୍ମଣପାଦଠାରେ ହିଁ ପ୍ରସବ କରାଇବା ପାଇଁ ସ୍ଥିର କରିଥିଲେ ବୋଲି ଡା.ନାୟକ ପ୍ରକାଶ କରିଛନ୍ତି। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଆପଣେଇ ଏହି କାର୍ଯ୍ୟ ସଂପାଦନ କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀ ଆବଶ୍ୟକୀୟ ସହଯୋଗ କରିଥିଲେ। ସଫଳ ପ୍ରସବ ପରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତକ କନ୍ୟା ସନ୍ତାନ ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି। କିନ୍ତୁ ନବଜାତକ ଶିଶୁର କୋଭିଡ ପରୀକ୍ଷା କରିବା ଏକ କଷ୍ଟକର ବ୍ୟାପାର ହୋଇଥିବାରୁ ଏହା କରାଯାଇ ନାହିଁ। ୪୮ ଘଣ୍ଟା ପରେ ଏହି ପରୀକ୍ଷା କରାଯିବ ବୋଲି ଡାକ୍ତର ହିଁ
କହିଛନ୍ତି। ତେବେ ମା ପଜିଟିଭ ଥିବାରୁ ଶିଶୁ ମଧ୍ୟ କରୋନା ଆକ୍ରାନ୍ତ ଥିବାର ସମସ୍ତ ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ପରୀକ୍ଷା ପରେ ଆବଶ୍ୟକ ପଡିଲେ ଶିଶୁର କରୋନା ଚିକିତ୍ସା କରାଯିବ। ତେବେ ବ୍ରାହ୍ମଣପାଦ ଡାକ୍ତରଖାନାର ଡାକ୍ତର ନିଶାନ୍ତ ନାୟକ ଓ ଅନ୍ୟ କର୍ମଚାରୀଙ୍କ ଏଭଳି କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ କୁ ପ୍ରଶଂସା କରାଯାଇଛି। ଅପରପକ୍ଷରେ ମା’ ଓ ନବଜାତକଙ୍କୁ ଡ଼ାକ୍ତରଖାନା ସଙ୍ଗୋରୋଧ ଗୃହରେ ମଧ୍ୟ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିବା ଜଣାପଡ଼ିଛି।