-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
26-Apr-2021
ଝାରସୁଗୁଡ଼ା(ପ୍ରେରଣା ଖବର ବ୍ୟୁରୋ): ଝାରସୁଗୁଡାରେ କରୋନା ଛଡ଼ାଇନେଲା ଜଣେ ଯୁବ ସାମ୍ବାଦିକଙ୍କ ଜୀବନ । ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯୁବ ସାମ୍ବାଦିକ ଅମଜାଦ ବାଦଶାହ । ଅମଜାଦ ବାଦଶାହଙ୍କୁ ମୃତ୍ୟୁ ବେଳକୁ ୪୫ ବର୍ଷ ହୋଇଥିଲା । ସେ କୋଭିଡରେ ଆକ୍ରାନ୍ତ ହୋଇ ଗତ ୯ ତାରିଖରେ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ରାଉରକେଲାର ଜୟ ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ଅପରାହ୍ନ ସାଢେ ୪ଟାରେ ଅମଜାଦ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଅମଜାଦଙ୍କ ଗୋଟିଏ ୪ ବର୍ଷର ଝିଅ ସହ ଦୁଇ ମାସର ଶିଶୁପୁତ୍ର ଅଛନ୍ତି । ଅମଜାଦ ୨୦୦୯ ମସିହାରେ ଇଟିଭିର ଟିଟିଲାଗଡ଼ ପ୍ରତିନିଧି ଭାବେ ଯୋଗଦାନ କରିବା ପରେ ବିଭିନ୍ନ ଗଣମାଧ୍ୟମରେ ବଲାଙ୍ଗିର ଓ ଝାରସୁଗୁଡାରେ କାର୍ଯ୍ୟ କରି ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।
ତାଙ୍କ ଅକାଳ ବିୟୋଗରେ ଝାରସୁଗୁଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି କହିବା ସହ ପ୍ରେସ କ୍ଳବ ପକ୍ଷରୁ ସନ୍ତୋଷ ମିଶ୍ର, ମେହେବୁବ ମେହେତାଵ, ବସନ୍ତ ଜେନା,ପ୍ରଶାନ୍ତ ମହାନ୍ତି, ଭାଗିରଥି ସାହୁ, ସୁରେନ୍ଦ୍ର ବାରିକ, ଜୀବନ ମହାନ୍ତି, ପ୍ୟାରେଲାଲ ଶ୍ରୀବାସ୍ତବ, ପ୍ରମୂଖ ଶୋକ ପ୍ରକାଶ କରିଛନ୍ତି। ଶୋକ ପ୍ରକାଶ କରିବା ସହ ପରିବାରକୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ବିଧାୟକ କିଶୋର ମହାନ୍ତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।