-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
14-Mar-2021
ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ପ୍ରଥମ ମ୍ୟାଚ୍ ପରାଜୟକୁ ଭୁଲି ପ୍ରତିଶୋଧ ନେବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ ଅଛି । ରବିବାର ସବୁ ତ୍ରୁଟି ସୁଧାରି ଭାରତ ପୁଣି ଥରେ ବିଜୟଧାରାକୁ ଫେରିବାକୁ ଉଦ୍ୟମ କରିବ । ଅନ୍ୟ ପଟରେ ଇଂଲଣ୍ଡ ଦଳ ଆଧିପତ୍ୟ ଜାରି ରଖି ସିରିଜକୁ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରିଛି ।
ପ୍ରଥମ ମୁକାବିଲାରେ ଭାରତୀୟ ଦଳ ଏକାଧିକ ତ୍ରୁଟି କରିଥିଲା । ଯାହାର ଫାଇଦା ଉଠାଇ ଇଂଲଣ୍ଡ ସହଜ ବିଜୟ ହାସଲ କରିଥିଲା । ବିସ୍ଫୋରକ ବ୍ୟାଟିଂ ଆଳରେ ଭାରତୀୟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ବେପରୁଆ ସଟ୍ମାନ ଖେଳିଥିଲେ । ଅଧିନାୟକ ବିରାଟ କୋହଲି ଏହାର ମୁଖ୍ୟ ଉଦାହରଣ କହିଲେ ଭୁଲ ହେବ ନାହିଁ । ଦ୍ୱିତୀୟତଃ ଭାରତୀୟ ଦଳ ପିଚ୍କୁ ପଢିବାରେ ତ୍ରୁଟି କରିଥିଲା । ପିଚ୍ ପେସ୍ ବୋଲରଙ୍କୁ ଯଥେଷ୍ଟ ସହାୟତା କରିଥିବା ଦେଖିବାକୁ ମିଳିଥିଲା। ଜୋଫ୍ରା ଆର୍ଚର, ମାର୍କ ଉଡ୍, କ୍ରିସ୍ ଜୋର୍ଡାନ ଓ ବେନ ଷ୍ଟୋକ୍ସ ଘାତକ ବୋଲିଂ କରିଥିଲେ । ଅତିରିକ୍ତ ବାଉନ୍ସ ଯୋଗୁ ଆର୍ଚର ଓ ଉଡ୍ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ । ଇଂଲଣ୍ଡ ୪ଜଣ ପେସ୍ ବୋଲରଙ୍କୁ ନେଇ ଖେଳିଥିଲା । ଷ୍ଟୋକ୍ସ ଥିଲେ ପଞ୍ଚମ ପେସ୍ ବୋଲର । ସେହିପରି ଭାରତୀୟ ଦଳ ୨ଜଣ ପେସ୍ ବୋଲର ଓ ୩ଜଣ ସ୍ପିନରଙ୍କୁ ନେଇ ଖେଳିଥିଲା । ଫଳ ସ୍ୱରୂପ କାକରରେ ଓଦା ଆଉଟ୍ ଫିଲ୍ଡରେ ବଲ୍ ଅଟକାଇବା କଷ୍ଟକର ହୋଇଯାଇଥିଲା । ସ୍ପିନରମାନେ ଓଦା ବଲ୍କୁ ଟର୍ଣ୍ଣ କରାଇପାରି ନଥିଲେ । ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ସହଜରେ ରନ୍ ସଂଗ୍ରହ କରିଥିଲେ । ରବିବାର ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ଭାରତୀୟ ଦଳ ପିଚ୍କୁ ପରଖିବା ନିହାତି ଜରୁରୀ । ବ୍ୟାଟ୍ସମ୍ୟାନମାନେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ପଡ଼ିବ । ବିଶେଷ କରି ଓପନର ଓ କୋହଲି କ୍ରିଜ୍ରେ ଜମିବା ଆବଶ୍ୟକ । ଭାରତ ଏକାଦଶ:ରୋହିତ ଶର୍ମା/ଶିଖର ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଶ୍ରେୟାସ ଆୟର, ରିଶଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର/ନବଦୀପ ସାଇନି, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ ।