-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2026
ଭବାନୀପାଟଣା (ପ୍ରେରଣା ଖବର )
କଳାହାଣ୍ଡି ଜିଲ୍ଲାର ଜଣେ ଅତ୍ୟନ୍ତ ଲୋକପ୍ରିୟ, ମହାନୁଭବ ତଥା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନଙ୍କର ଆକସ୍ମିକ ପରଲୋକ ଘଟିଛି। ତାମିଲନାଡୁର କୋଏମ୍ବାଟୁରସ୍ଥିତ ଏକ ହୋଟେଲରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏହି ବିୟୋଗ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ପ୍ରଧାନ ନିଜ ପରିବାର ସଦସ୍ୟଙ୍କ ସହ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ। ଆଜି ସକାଳେ ସେ ସ୍ୱାଭାବିକ ଭାବେ ଉଠିବା ପରେ କିଛିଟା ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ କପେ ଚା’ ପିଇ ପୁଣି ଶୋଇପଡ଼ି ଥିବାବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ପଲଉ ପ୍ରଧାନ କେବଳ ଜଣେ ଚିକିତ୍ସକ ନଥିଲେ, ବରଂ କଳାହାଣ୍ଡିବାସୀଙ୍କ ପାଇଁ ଜଣେ ସେବାବ୍ରତୀ ଥିଲେ। ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ରୋଗୀ ସେବାରୁ ଦୂରେଇ ଯାଇନଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସେ ଗରିବ ଓ ଅସହାୟ ଶିଶୁମାନଙ୍କର ଚିକିତ୍ସା କରୁଥିଲେ। ତାଙ୍କର ଏହି ଅମାୟିକ ବ୍ୟବହାର ଓ ସ୍ୱଳ୍ପ ଖର୍ଚ୍ଚରେ ସେବା ଯୋଗାଇଦେବା ଗୁଣ ଯୋଗୁଁ ସେ ପ୍ରତିଟି ଘରେ ଆଦରଣୀୟ ହୋଇପାରିଥିଲେ। ଚିକିତ୍ସାକୁ ବ୍ୟବସାୟ ନୁହେଁ, ବରଂ ବ୍ରତ ଭାବେ ଗ୍ରହଣ କରିଥିବା ଏଭଳି ଜଣେ ଡାକ୍ତରଙ୍କୁ ହରାଇ କଳାହାଣ୍ଡି ଆଜି ଜଣେ ପ୍ରକୃତ ଜନସେବକଙ୍କୁ ହରାଇଛି। ତାଙ୍କର ଏହି ଅକାଳ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲ, ଚିକିତ୍ସକ ସଂଘ ଓ ସାଧାରଣ ଜନତା ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।