-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ସୁବର୍ଣ୍ଣପୁର,( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ବରକୁ ବନ୍ଧୁକ ଦେଖାଇ ନବବିବାହିତା ପ୍ରେମିକାକୁ ଅଧବାଟରୁ ଅପହରଣ କରିନେବା ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ କୁ ସଫଳତା ମିଳିଛି । ତରଭା ଥାନା ପୁଲିସ ସମ୍ବଲପୁରରୁ ଅଭିଯୁକ୍ତ ପ୍ରେମିକ ଓ ନବବିବାହିତା ଯୁବତୀଙ୍କୁ ଠାବ କରିବାରେ ସକ୍ଷମ ହୋଇଛି । ନବବଧୂ କୁ ଧରି ଫେରାର ମାରିବା ପରେ ସେମାନେ ସମ୍ବଲପୁର ଅଇଁଠାପାଲି ଥାନା ବୁଢ଼ାରଜା ପ୍ରଫେସର୍ କଲୋନୀରେ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ଲୁଚିଥିଲେ । ସୋନପୁର ପୁଲିସ ସମ୍ବଲପୁର ପୁଲିସକୁ ଯୋଗାଯୋଗ କରିବା ପରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଠାବ କରାଯାଇଥିଲା । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଅଇଁଠାପାଲି ପୁଲିସ ସହାୟତାରେ ତରଭା ପୁଲିସ ସେମାନଙ୍କୁ ଉକ୍ତ ଘରୁ ଉଠାଇ ଆଣିଥିଲା। ସେମାନଙ୍କ ଠାରୁ ପୁଲିସ ଗୋଟିଏ ସୁନା ହାର, ଗୋଟିଏ ସୁନା ଚେନ, ହଳେ କାନ ରିଙ୍ଗ, ହଳେ ରୁପା ଗୋଡ଼ ମୁଦି, ଗୋଟିଏ ମୋବାଇଲ ଜବତ କରିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାର ରଶ୍ମି ପୁଟେଲ ଓ ତାଙ୍କ ପ୍ରେମିକ ସଞ୍ଜୀବ ସାହୁ (୩୬) ଙ୍କୁ ତରଭା ପୁଲିସ ଅଧିକ ପଚରାଉଚୁରା ଜାରି ରଖିଛି। ରଶ୍ମି ଓ ସଞ୍ଜାବ ପରସ୍ପରକୁ ପ୍ରେମ କରୁଥିଲେ କିନ୍ତୁ ଘର ଲୋକ ସେମାନଙ୍କ ସଂପର୍କରେ ରାଜି ନହେବାରୁ ଅପହରଣର ନାଟକ ରଚିଥିବା ସଞ୍ଜୀବ କହିଛି । ସୂଚନାଯୋଗ୍ୟ, ଗତ ୨୨ତାରିଖ ବଲାଙ୍ଗିର ଜିଲ୍ଲାର କାମାକ୍ଷୀନଗରରୁ ହରିବନ୍ଧୁ ପୁଟେଲଙ୍କ କଣ୍ଟାମାଳ ଥାନା ବନ୍ଧପାଲିରେ ବିବାହ ସମ୍ପନ୍ନ ହେବା ପରେ ନବବଧୂଙ୍କୁ ସାଙ୍ଗରେ ଧରି ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ତରଭା ବଡ଼ବନ୍ଧ ନିକଟରେ ଗୋଟିଏ କାର୍ରେ ଚାଳକ ଓ ତିନିଜଣ ଯୁବକ ପହଞ୍ଚି ସିନେମା ଷ୍ଟାଇଲରେ ବନ୍ଧୁକ ଦେଖାଇ ଧମକଚମକ ଦେଇ ନବବିବାହିତା ରଶ୍ମିଙ୍କୁ ଅପହରଣ କରି ନେଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ତରଭା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ୍ପି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନାନୁଯାୟୀ, ରବିବାର ଭୋରରେ ଉକ୍ତ ଘଟଣା ଘଟିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରି ଦେଇଥିଲା । ଏସପି ଶ୍ରୀ ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଅନିତା କିଡୋଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍ରେ ତରଭା ଥାନାର ଏସ୍ଆଇ ପ୍ରସଂଜିତ୍ ବେହେରା, କନେଷ୍ଟବଳ କୈଳାସ ଭୋଇ, ଧନପତି ମୁଣ୍ଡା ଓ ସୀମା ବିଶ୍ବାଳ ସାମିଲ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ଓ ରଶ୍ମୀ କୁ ବୁଧବାର କୋର୍ଟଚାଲାଣ କରାଯିବ। ଅପରାଧୀ ପ୍ରବୃତ୍ତିର ସଞ୍ଜୀବ ନାମରେ କଣ୍ଟାମାଲ ଥାନା ରେ ପୂର୍ବରୁ ୩ଟି ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ତା'ର ଅନ୍ୟ ସହଯୋଗୀ ମାନଙ୍କୁ ଖୁବ୍ଶୀଘ୍ର ଧରାହେବ ବୋଲି ଏସ୍ପି ଶ୍ରୀ ନାଏକ କହିଛନ୍ତି l ସାମ୍ବାଦିକ ସମ୍ମିଳନୀରେ ଏସପି ଙ୍କ ସହିତ ଡିଏସ୍ପି ସୁନିତା ପ୍ରଧାନ ଓ ଆଇଆଇସି ଅନିତା କିଡୋ ପ୍ରମୁଖ ଉପସ୍ଥିତ ଥିଲେ ।