-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ବାଲିଗୁଡ଼ା.(ସୁଶିଲ କୁମାର ପାଣିଗ୍ରାହୀ):ପୁଣି ରକ୍ତମୁଖା ହେଲେ ମାଓବାଦୀ । କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁ ରେ ମାଓବାଦୀଙ୍କ ହତ୍ୟାକାଣ୍ଡ । ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ବିଳମ୍ବିତ ରାତିରେ ଗୋଛାଗୁଡ଼ା ଗାଁ ରେ ପଶି ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର ନାମକ ଦୁଇଜଣ ଯୁବକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ମୃତଦେହ ନିକଟରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଗତ ସେପ୍ଟେମ୍ବର ମାସରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଗୁଳି ବିନିମୟ ଘଟଣାରେ ଏହି ଦୁଇଜଣ ପୋଲିସକୁ ଆମ ବିଷୟରେ ସୂଚନା ଦେଇଥିଲେ ଏଣୁ ଏମାନଙ୍କୁ ଦଣ୍ଡ ଦିଆଯାଇଛି । ପୋଲିସ୍ ଇନଫର୍ମର ଭାବେ କାମ କରୁଥିବା ସମସ୍ତ ଲୋକଙ୍କୁ ଆମେ ଜାଣିଛୁ । ଆସନ୍ତା ୧୫ଦିନ ମଧ୍ୟରେ ସେମାନେ ଯଦି ଜନ ଅଦାଲତରେ ନିଜକୁ ସରେଣ୍ଡର୍ କରନ୍ତି ତେବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଅନ୍ୟପଟେ ଏହି ଅଞ୍ଚଳର ଗଣ୍ଡ ସମ୍ପ୍ରଦାୟର ଯୁବକମାନେ
ପୋଲିସ୍ ଇନଫରମର୍ ଭାବେ କାମ କରୁଛନ୍ତି l ଏଣୁ ସେମାନେ ଏଥିରୁ ଦୁରେଇ ରୁହନ୍ତୁ ବୋଲି ଗଣ୍ଡ ସମାଜକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ସଙ୍ଗଠନ । ଏଥିସହିତ ମୁଣ୍ଡିଗଡ଼ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ସରପଞ୍ଚ ବିପ୍ଳବୀ ସଙ୍ଗଠନ ଆଣ୍ଟି ନକ୍ସଲ ପିପୁଲ ଟିମ୍ ଫୋର୍ସ ରେ ଯୋଗ ଦେଇଛନ୍ତି । ସ୍ଥାନୀୟ ଯୁବକମାନଙ୍କୁ ବିପ୍ଳବ ବିରୋଧରେ ଯିବାପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏ କାମ ଶୀଘ୍ର ଛାଡ଼ନ୍ତୁ । ନଚେତ୍ ଦଣ୍ଡ ଦିଆଯିବ । ଆର୍ଥିକ ଲୋଭ ଦେଖାଇ ସ୍ଥାନୀୟ ଗରିବ ଯୁବକମାନଙ୍କୁ ସୂଚନା ଦାତା ବନାଇ ପୋଲିସ୍ ସେମାନଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ବା.ଘୁ.ନା(ବାସଧାରା ଘୁମୁସର ନାଗାବଳୀ)ଡିଭିଜନ ସିପିଆଇ ମାଓ ସଂଗଠନ ପକ୍ଷରୁ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛି ଆଣ୍ଟି ନକ୍ସଲ ପିପୁଲ ପିସ୍ ଫୋର୍ସ । ଏହାର ଉଚିତ୍ ଜବାବ୍ ଦିଆଯିବ ବୋଲି ସଙ୍ଗଠନର ଓଡ଼ିଶା ମୁଖ୍ୟ ଭାରତ ଭୁଷଣ କହିଛନ୍ତି ।