-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
20-Jul-2025
ରାୟଗଡ଼(ସୁପ୍ରିୟା ଷଡଙ୍ଗୀ): ଡାକିଦେଲେ ଓ କରେ ମା ମଝିଘରିଆଣୀ । ରାୟଗଡ଼ ସହର ଝଂଜାବତି ନଦୀ କୂଳରେ ମା ମଝିଘରିଆଣୀଙ୍କ ମନ୍ଦିର। ମା ଭାରି ପ୍ରତ୍ୟକ୍ଷ, ଡାକିଦେଲେ ଓ କରେ ମା ମଝିଘରିଆଣୀ ବୋଲି ବିଶ୍ୱାସ ରହିଛି ଶ୍ରଦ୍ଧାଳୁ ମାନଙ୍କର। ଏହିଭଳି ମନୋଭାବ ନେଇ ମା ମଝିଘରିଆଣୀଙ୍କ ଦର୍ଶନ ପାଇଁ ଭାରତର କଣ ଅନୁକୋଣରୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପ୍ରତ୍ୟେକ ମଙ୍ଗଳବାର, ବୁଧୁବାର ଓ ରବିବାର ଭିଡ଼ ପରିଲକ୍ଷିତ ହୋଇଥାଏ। ବିଶେଷ କରି ରବିବାର ଦିନ ମନ୍ଦିରରେ ଭାରି ଭିଡ଼ ଦେଖିବାକୁ ମିଳେ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ମନସ୍କାମନା ପୂରଣ କରନ୍ତି ମା ମଝିଘରିଆଣି। ଦର୍ଶନ ସାରି ମା ଙ୍କ ମନ୍ଦିର ଉନ୍ନତି ଦିଗରେ ଦକ୍ଷିଣା ସ୍ୱରୂପ ଶ୍ରଦ୍ଧାଳୁ ମାନେ ଦାନ ହୁଣ୍ଡିରେ କିଛି ଅର୍ଥ ରାଶି,ସୁନା ଓ ରୂପା ପକାଇ ଥାଆନ୍ତି। ବିଶେଷ କରି ଟଙ୍କା ଆକାରରେ ହୁଣ୍ଡିରେ ଦାନ କରନ୍ତି। ଯାହା ପ୍ରତି ଦୁଇ/ତିନି ମାସରେ ଥରେ ଖୋଲାଯାଇଥାଏ। କିଛି ଦିନ ତଳେ ଦୀର୍ଘ ୬ମାସ ପରେ ହୁଣ୍ଡି ଖୋଲା ଯାଇଥିବାରୁ ସୁନା, ରୂପା, ବିଦେଶୀ ମୁଦ୍ରା ବ୍ୟତିତ ଚଳିତ ମାସ ହୁଣ୍ଡିରୁ ପ୍ରାୟ ଏକ କୋଟି ୪ଲକ୍ଷ ଟଙ୍କା ଅର୍ଥ ଆକାରରେ ବାହାରିଥିଲା।
ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଅଭିଯୋଗ ରହିଛି ପରିଚାଳନା କମିଟି ମନ୍ଦିର ଚତୃପାର୍ଶ୍ୱରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉ ନାହାନ୍ତି, ଅନ୍ୟପଟେ ମା ଙ୍କର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଧାରଣ ଦର୍ଶନରେ ଶୃଙ୍ଖଳା ର ଅଭାବ। ଅନ୍ୟପଟେ ସ୍ଵତନ୍ତ୍ର ଦର୍ଶନ ନିମନ୍ତେ ୩୦୦ଟଙ୍କା ଟିକେଟ ପାଇଁ ଲମ୍ବା ଲାଇନ୍। ସ୍ୱତନ୍ତ୍ର ଟିକେଟ ଅନଲାଇନ୍ ବ୍ୟବସ୍ଥା ନ ହୋଇଥିବା ଯୋଗୁଁ। ଗୋଟିଏ ଟିକେଟରେ ୩/୪ଜଣ ଚାଲିଯାଉଥିବା ଅଭିଯୋଗ ହୋଇଛି। ମାନସିକ କରି ଥିବା ଶ୍ରଦ୍ଧାଳୁ ମନ୍ଦିର ପୁଜା ସାରି କୁକୁଡ଼ା ଓ ଛେଳି କାଟିବା ପାଇଁ ନିଅନ୍ତି। ଯେଉଁ ସ୍ଥାନ ଅଳିଆ ଗଦା ବୋଲି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମାନସିକ ଧାରି ଛେଳି ଓ କୁକୁଡ଼ା ମାଂସ ରାନ୍ଧି ଖାଈବାକୁ ଉପଯୁକ୍ତ ସ୍ଥାନର ଅଭାବ ରହିଛି। ଯାହାଦ୍ବାରା ଭକ୍ତ ନିଜ ପରିବାର ସହ ସ୍ଥାନୀୟ ବାସିନ୍ଦାଙ୍କ ଘରେ ରହି ଗୋଟିଏ ଥାଳି ପିଛା ଶହେରୁ ଶହେ ପଚାଶ ଟଙ୍କା ଦେଇ ରୋଷେଇ କରି ଖାଆନ୍ତି ଅନ୍ୟପଟେ ମନ୍ଦିର ନିକଟରେ ଖୁଲାମ୍ ଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ, ଆସୁଥିବା ପରିବାର କିଛି ସଦସ୍ୟ ମାତାଲ ହୋଇ ଟଙ୍କା ପଇସା ଓ ମୋବାଇଲ ହଜାଇ ସଂଧ୍ୟା ପର୍ୟ୍ୟନ୍ତ ମନ୍ଦିର ପରିସର ମଧ୍ୟରେ ପଡି ରହନ୍ତି, ଯାହାକୁ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ମଦ ବିକ୍ରି ବନ୍ଦ ହେଉ ବୋଲି କହିଛନ୍ତି। ସାଧାରଣ ଦର୍ଶନ ଓ ସ୍ଵତନ୍ତ୍ର ଦର୍ଶନରେ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଲେ ମଧ୍ୟ ମୁଣ୍ଡ ଉପରେ ଛାତ କିମ୍ୱା ପାଲ ବ୍ୟବସ୍ତା ନାହିଁ। ଲମ୍ବା ଲାଇନରେ ଠିଆ ପିଇବା ପାଣି ପାଇଁ ଡହଳ ବିକଳ ହୁଅନ୍ତି। ଧାଡ଼ିରେ ଥିବା ଭକ୍ତ ଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉ ନାହିଁ। ଧାଡ଼ିରେ ଛୁଆଙ୍କୁ ଧରି ଠିଆ ହୋଇଥିବା ମହିଳାଙ୍କ ପାଇଁ ସ୍ତନ୍ୟପାନ କଠୋରି ନାହିଁ। ଆସୁଥିବା ଶ୍ରଦ୍ଧାଳୁ ରାତ୍ରି ଖୋଲା ଜାଗାରେ ବିଶ୍ରାମ କରନ୍ତି।
ଶୌଚାଳୟ ବ୍ୟବସ୍ଥା ନ କହିବା ଭଲ ବୋଲି କହୁଛନ୍ତି ଶ୍ରଦ୍ଧାଳୁ। ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ୪/୫ଗୋଟି ଶୌଚାଳୟ ନିଅଣ୍ଟ। ବାଧ୍ୟ ହୋଇ ଲୋକେ ପାଖରେ ଥିବା ନଦୀକୁ ଯାଆନ୍ତି। ଯେଉଁଠି ବିପଦକୁ ଆମନ୍ତ୍ରଣ ଭଳି ସ୍ଥାନ। ମନ୍ଦିର ଚାରିପଟେ ବ୍ୟାରିକେଟ୍ ଯୋଗୁଁ ଧାଡ଼ିରେ ଠିଆ ହୋଇ ଅଣ ନିଶ୍ବାସୀ ଭଳି ଲାଗେ। ପ୍ରସ୍ଥାନ ଦ୍ଵାର ମଧ୍ୟରୁ କିଛି ହାତଗୁଞ୍ଜା ନେଇ ସିକ୍ୟୁରିଟି ଗାର୍ଡ ଛାଡି ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ।
ମନ୍ଦିର ପରିଚାଳନା କମିଟି ବାରମ୍ବାର ରେଳବାଇକୁ ନିନ୍ଦା କରି ରେଳବାଇ କାମ ସରିଲେ ମନ୍ଦିର କାର୍ଯ୍ୟ ଆରମ୍ଭ ହେବ ବୋଲି କହି ଆସୁଛି। କିନ୍ତୁ, ଯେଉଁ ସବୁ ମୌଳିକ ସୁବିଧା ଯୋଗାଇବା ଅପରିହାର୍ଯ୍ୟ ସେଥିରୁ ଓହରି ଯାଉଛନ୍ତି। ଅସ୍ଥାୟୀ ସୌଚାଳୟ ଓ ବାଥରୁମ୍ ଥିଲେ ମଧ୍ୟ କିଛି ମାତ୍ରାରେ ସୁବିଧା ହୋଇ ପାରିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
ମନ୍ଦିରକୁ ୩ପଟୁ ପ୍ରବେଶ ପଥ ରହିଛି। ଅଣ୍ଡର ପାସ୍ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ଭିଡ଼ ପରିଲକ୍ଷିତ ହୋଇଥାଏ।ମନ୍ଦିର ପକ୍ଷରୁ କୌଣସି ସୁରକ୍ଷା କର୍ମୀ ଏଠାରେ ରୁହନ୍ତି ନାହିଁ। ଅନ୍ୟଟି ମଝିଘରିଆଣୀ ମନ୍ଦିର ପୋଲ ଦେଇ ଆସିବାକୁ ହୋଇଥାଏ, ଏହା ମାଟି ରାସ୍ତା ହୋଇଥିବା ହେତୁ ସାମାନ୍ୟ୍ ବର୍ଷାରେ ନାହିଁ ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଭକ୍ତ। ଅନ୍ୟଟି ରାଣିଗୁଡ଼ା ଦେଇ ଆସିବାକୁ ହୋଇଥାଏ। ଏହି ରାସ୍ତାରେ ଚାରି ଚକିଆ ପାର୍କିଂ ଷ୍ଟାଣ୍ଡ କରି ଦେଇଛନ୍ତି ଟେଣ୍ଡର ମାଲିକ, ଏହି ରାସ୍ତାରେ ସହର ଅଳିଆ ଗଦା କରିବା ପାଇଁ ଡମ୍ପିୟାର୍ଡ ହୋଇଛି ଏଥିସହ ମାଂସ ବ୍ୟବସାୟୀ କୁକୁଡ଼ା ପର,
ଚମଡା, ଏବଂ ବର୍ଜ୍ୟ ବସ୍ତୁ ପକାଇ ଦିଅନ୍ତି ଯାହାର ଦୁର୍ଗନ୍ଧ ରେ ନାକ ଫାଟି ଯାଉଥାଏ।ମନ୍ଦିର ପାଇଁ ଦାନହୁଣ୍ଡିରେ ବାହାରୁଥିବା ଅର୍ଥ ମନ୍ଦିର ଉନ୍ନତି ଦିଗରେ ଖର୍ଚ୍ଚ ହେଉ ନ ଥିବା ଯୋଗୁଁ ଚିନ୍ତା ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ। ରବିବାର ଅଟୋ ଚାଳକ ମାନେ ଆକାଶଛୁଆଁ ଦର ନେଉଥିବା ବେଳେ, ମନ୍ଦିର ପକ୍ଷରୁ ଗଢିଥିବା ଗୋଟିଏ ମାତ୍ର ମାଗଣା ବସ୍ ସେବାରେ ଖୁନ୍ଦାଖୁନ୍ଦି ହୋଇ ଯିବା ଆସିବା କରନ୍ତି ଶ୍ରଦ୍ଧାଳୁ। ମନ୍ଦିର ସମସ୍ୟାଗୁଡ଼ିକୁ ପରିଚାଳନା କମିଟି ଦୁର କରି ପାରୁ ନ ଥିବା ଯୋଗୁଁ ଦୁର ଦୁରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁ ମନ୍ଦିର ୱେବ୍ ସାଇଟରେ ଦୁଃଖ ଜଣାଇ ଅସନ୍ତଶ ବ୍ୟକ୍ତ କରିଛନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିର ଚତୃପାର୍ଶ୍ୱରେ ସିସିଟିଭି ଲାଗିଛି। କିନ୍ତୁ ଅଧାରୁ ଅଧିକାଂଶ ଅଚଳ ହୋଇ ରହିଛି। ମନ୍ଦିର ପରିସର ପଛପଟେ ଥିବା ସ୍ଥାନୀୟ ପୁଲିସ ଫାଣ୍ଡିରେ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ପୁଲିସ୍ ରହୁ ନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ପରି ଚାଳନା କମିଟି ଆଗାମୀ ଦିନରେ ଶ୍ରଦ୍ଧାଳୁ ମାନଙ୍କ ଯଥା ସମ୍ଭବ ଅସୁବିଧା ଦୁର କରିପାରିଲେ ମନ୍ଦିର ଉନ୍ନତି ହେବା ସହ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।