-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
26-Feb-2025
(ଅଚ୍ୟୁତାନନ୍ଦ ଦାଶ )
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନରେ ଯାଉଥିବା ବଡବାଉଁଶେନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ/କନ୍ଦଡିହ ଗ୍ରାମ ରାସ୍ତା ପାର୍ଶ୍ବରେ ଅଡାଡୁଙ୍ଗୁରି। କେଉଁ ଆବାହମାନ କାଳରୁ ଏ ଅଞ୍ଚଳର ଜନସାଧାରଣଙ୍କର ଆସ୍ଥାର ପ୍ରତୀକ ଭାବରେ ଏକ ବିଶାଳକାୟ କଳା ମଚମଚ ପଥରର ଏକ ସୁନ୍ଦର ପାହାଡ ମୁଣ୍ଡ ଟେକିଥିଲା। ଏହି ଅଡାଡୁଙ୍ଗୁରି ଉପରେ ଲୋକଙ୍କ ମୁଖରୁ ଅନେକ କିମ୍ବଦନ୍ତୀ ଶୁଣାଯାଏ। ନିକଟସ୍ଥ ସାଧୁପାଲି ଗ୍ରାମର ବୀର ପୁରୁଷ ପ୍ରଭୁ ବରିହା ଏହି ଅଡାଡୁଙ୍ଗୁରିକୁ ଆସି ମରୁଡି ପଡ଼ିଥିବା ବର୍ଷ ଏହି ପାହାଡ଼ରେ ଛିଡ଼ାହୋଇ ଧନୁରେ ଶର ଜୋଛି ଆକାଶକୁ ଧନୁ ଟାଣନ୍ତି। ସେହି ସମୟରେ ନିର୍ମଳ ଆକାଶେ ମେଘ ଘୋଟି ବର୍ଷା ହୋଇଥିଲା। ତାଙ୍କ ବିୟୋଗ ପରେ ଏଅଞ୍ଚଳର ଖରମୁଣ୍ଡା,ଗଣ୍ଡପାଲି, ରଙ୍ଗମାଟିଆ,କନ୍ଧଡିହ ତଥା ଆଖପାଖ ଗ୍ରାମର ଲୋକମାନେ ପବିତ୍ର ଶ୍ରାବଣ ମାସରେ ଅଡାଙ୍ଗୁରୀ ଠାରେ ଇନ୍ଦ୍ରଙ୍କ ପୂଜାର୍ଚ୍ଚନା କରୁଥିଲେ ଏବଂ ପୂଜାର୍ଚ୍ଚନା ଦିନ ନିଶ୍ଚିତ ଭାବେ ଅସରାଏ ହେଲେ ବର୍ଷା ହେଉଥିବା ନଜର ଆଜି ପର୍ଯ୍ୟନ୍ତ ରହିଛି।
ଡୁଙ୍ଗୁରିର ଏକ କ୍ଷୁଦ୍ର ପଥର କୋରଡରେ ଛୋଟ ଛୋଟ ଦୁଇଗୋଟି ନାଗସର୍ପ ରହୁଥିବା ଦେଖା ଦିଅନ୍ତି । ଅନେକ ଲୋକ ଏହି ସର୍ପକୁ ନିଜ ହାତରେ ଧରି ଆଉଁସିଲେ ମଧ୍ୟ ସେମାନେ କାହାର ଆଜି ପର୍ଯ୍ୟନ୍ତ କ୍ଷତି କରି ନାହାଁନ୍ତି ବୋଲି ସୂଚନା ମିଳେ।
ଆଉ ଏକ ଘଟଣା ମୁଁ ନିଜେ ରଙ୍ଗମାଟିଆ ଗ୍ରାମର ସ୍ୱର୍ଗତ ଶତାୟୁ ମାଁ ଦୂର୍ଗା ସାଧକ ମାର୍କଣ୍ଡ ଦାଶଙ୍କ ମୁଖରୁ ଶୁଣି ଥିବା ମନେ ଅଛି।ସେ ଜଣେ ଜ୍ୟୋତିଷ,ସାଧକ ଥିଲେ। ପଶ୍ଚିମବଙ୍ଗର ତାରା ପୀଠରୁ ଉଗ୍ର ତାରା ଦୂର୍ଗାଙ୍କ ମୂର୍ତ୍ତି ଆଣି ସାଧନା କରିଥିଲେ।ସେ ସମୟରେ ରଙ୍ଗମାଟିଆ ଗ୍ରାମକୁ ଚୁଡ଼ି ବିକ୍ରି କରି ଆସୁଥିବା ବିକାଳୀ ହଠାତ ଦିନେ ଆସି କହିଲା ତୁମ ଘର ଭୁଆସୁଣୀ ଅଡାଡୁଙ୍ଗୁରି ଠାରେ ଲାଲ ରଙ୍ଗର ଚୁଡ଼ି କିଣି ପିନ୍ଧିଛନ୍ତି ଏବଂ ଘରୁ ପଇସା ନେଇ ଯିବାକୁ କହିଛନ୍ତି।ଏହା ଶୁଣି ଘରେ ପଚାରିବାରୁ ସମସ୍ତ ସ୍ତ୍ରୀ ଲୋକ ମନା କଲେଯେ, ସେମାନେ ନୂଆ ଚୁଡ଼ି ଏହି ବିକାଳୀ ଠୁ ଧାରଣ କରି ନାହାଁନ୍ତି।ଏ ସମୟରେ କୁଠିଶାଳ(ପୂଜାଗୃହ)ରୁ ଚୁଡିର ଝଣଝଣ ଶବ୍ଦ ଶୁଣି ଦେଖିବାକୁ ସମସ୍ତେ ଗଲାବେଳେ ଦେଖିଲେ, ସ୍ୱୟଂ ମାଁ ଦୂର୍ଗା ତାଙ୍କ ହାତରେ ଲାଲ ଚୁଡ଼ି ଧାରଣ କରିଛନ୍ତି। ଏଭଳି ଅନେକ କିମ୍ବଦନ୍ତୀ ରହିଛି ଅଡାଡୁଙ୍ଗୁରି ଉପରେ।୨୦୦୭ ମସିହାରେ ଗ୍ରାମର କେଇଜଣ ବ୍ୟକ୍ତି ଏହି ଐତିହାସିକ ଅଡାଙ୍ଗୁରୀ ଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ଗ୍ରହଣ କଲେ।ହେଲେ ତତ୍ କାଳୀନ ବିଧାୟକ ତଥା ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିରରେ ନିର୍ମାଣ ହୋଇଛି। ଉକ୍ତ ମନ୍ଦିର ପୂଜକଙ୍କ କହିବାନୁସାରେ ଏହି ମନ୍ଦିରରେ ପୂଜା ଦେଇ ଦୀପ ଯଜ୍ଞ କରି ଅନେକଙ୍କ ବିବାହ, ବ୍ରତ ମଧ୍ୟ ହୋଇ ଚାଲିଛି। ଉକ୍ତ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ମାର୍ଚ୍ଚ ୬ ତାରିଖରୁ ମାର୍ଚ୍ଚ ୧୦ ତାରିଖ ଯାଏଁ ନିମ୍ନ ସୂଚୀ ମଧ୍ୟେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ପ୍ରତିଷ୍ଠା ମହୋତ୍ସବ ପାଇଁ ୧୬ ଜଣିଆ କମିଟି ,ସବକମିଟି ଗଠନ କରାଯାଇଛି। କମିଟିରେ ବଳରାମ ଦୀପ, କିଶୋର ଦାଶ, ଦିଲିପ ଦୀପ, ଆନନ୍ଦ ସାହୁ, ସୁଦାଂଶୁ ଦାଶ, ଅଚ୍ୟୁତ ଦାଶ,ପରିତୋଷ ମଲ୍ଲିକ, ବ୍ରଜମୋହନ କଉଡି, ଆନନ୍ଦ ଭୋଏ ପ୍ରମୁଖ ବିଭିନ୍ନ ଦାୟିତ୍ଵରେ ଅଛନ୍ତି। ଉକ୍ତ ଉତ୍ସବରେ ୧୧ ଯୋଡି ଦମ୍ପତି ପୂଜାରେ ବସିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।