-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ଆଜି ବରଗଡ଼ ଜିଲ୍ଲା ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ପରିଷଦ ବୈଠକ ସଂଘର ସଭାପତି ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟା ଯୋଗଦେଇ ତାଙ୍କ ବକ୍ତବ୍ୟରେ ସମାଜରେ ସାମ୍ବାଦିକ ମାନଙ୍କର ଭୂମିକା ସମ୍ପର୍କରେ ବିଶଦ ଭାବରେ ମତବ୍ୟକ୍ତ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ, ସମାଲୋଚନା ଶୀର୍ଷକ ସମ୍ବାଦ ତଥା ସମସ୍ୟା ଭିତ୍ତିକ ଖବର ପ୍ରକାଶନ ଦିଗରେ ବିଶେଷ ଭାବେ ଧ୍ୟାନ ଦେଲେ ସରକାର ଜାଗ୍ରତ ହୋଇ ପାରିବେ। ସାମ୍ବାଦିକ ମାନଙ୍କ କଲମର ଲେଖା ସଦାବେଳେ ମର୍ଯ୍ୟାଦା ରକ୍ଷା କରି ଆସିଛି।ବନ୍ଧୁକର ବୁଲେଟ ଠାରୁ କଲମର ଶାଣିତ ଲେଖାର ଓଜନ ଅଧିକ ରହିଥାଏ।ସମାଜର ବିଭିନ୍ନ ଲୁକ୍କାୟିତ ହୋଇରହିଥିବା ବିଭିନ୍ନ ସମସ୍ୟା ଭିତ୍ତିକ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ,ସେମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ ବୋଲି ବିଧାୟକ ଶ୍ରୀଯୁକ୍ତ ଗଡତୀୟା ମତବ୍ୟକ୍ତ କରିଥିଲେ।ଏଇ ବୈଠକରେ ବରଗଡ଼ ଜିଲ୍ଲା ଅଧିନସ୍ଥ ବରଗଡ଼, ସୋହେଲା,ଭଟଲି, ଅମ୍ବାଭୋନା, ଅତାବିରା, ଭେଡେନ, ବରପାଲି, ବିଜେପୁର, ଗାଇସିଲେଟ, ପଦ୍ମପୁର,ପାଇକମାଲ, ଝାରବନ୍ଧ ବ୍ଲକରୁ ଆସିଥିବା କର୍ତ୍ତବ୍ୟ ରତ ସାମ୍ବାଦିକ ଭାଇମାନେ ନିଜନିଜ ଅଞ୍ଚଳର ସମସ୍ୟା ଉତ୍ଥାପନ କରିଥିଲେ।
ବୈଠକରେ ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କରିବା ସହ ବରପାଲି ଠାରେ ଦ୍ୱୀବାର୍ଷିକ ସମ୍ମିଳନୀ ଆଗକୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ପଶ୍ଚିମ ଓଡିଶାର ଐତିହାସିକ ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ଏକ ସାମ୍ବାଦିକ ଭବନ ନିର୍ମାଣ କରାଯିବା ପାଇଁ ଆଲୋଚନା ହୋଇଛି। ମାନ୍ୟବର ବିଧାୟକଙ୍କୁ ଉକ୍ତ ବୀମା ରାଶି ବୃଦ୍ଧି ଓ ବିଜେପୁର ନିର୍ବାଚନ ଅନ୍ତର୍ଗତ ତିନୋଟି ଯାକ ବ୍ଲକରେ ସାମ୍ବାଦିକ ଭବନ ନିର୍ମାଣ କରାଯିବା ସକାଶେ ଦୃଷ୍ଟି ଆକର୍ଷଣ କରାଯାଇଛି। ମଞ୍ଚରେ ସଂଘର ଉପସଭାପତି ପ୍ରଭୁ ଚରଣ ମହାନ୍ତି ଓ ବ୍ୟାମକେଶ କର, ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ କୁମାର ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ଦୁର୍ଗା ପ୍ରସାଦ ତ୍ରିବେଦୀ ମଞ୍ଚାସୀନ ଥିଲେ। ବୈଠକରେ ବିଜେପୁର ର ସାମ୍ବାଦିକ ଜିତେନ୍ଦ୍ର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସବା ଶେଷରେ ସାମ୍ବାଦିକ ପାଣ୍ଡବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।