-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ଜୟପୁର (ପ୍ରେରଣା ଖବର): ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବିମାନରେ ଉଡିବା ସ୍ବପ୍ନ ଆଉ କେତେ ବର୍ଷ ଗଲେ ପୁରୁଣ ହେବ ତାହାକୁ ନେଇ ଏବେ ଉଠିଛି ବିରାଟ ବଡ ପ୍ରଶ୍ନ। ଜୟପୁରରେ ଏୟାରପୋର୍ଟ ଆରମ୍ଭ ହେବାର ୫୯ବର୍ଷ ପରେ ବି ସାଧାରଣ ଲୋକେ ଆକାଶରେ ଉଡି ପାରିନଥିଲେ। କେନ୍ଦ୍ରସରକାରଙ୍କ ‘ଉଡେ ଦେଶକା ଆମ ନାଗରିକ’ ‘ଉଡାନ’ ଯୋଜନାରେ ଜୟପୁର ଏୟାରପୋର୍ଟକୁ ସାମିଲ କରାଯିବା ପରେ ଏଠାରୁ ବିମାନ ଉଡିବାର ଆଶା ଅବିଭକ୍ତ କୋରାପୁଟଜିଲ୍ଲାବାସୀଙ୍କ ମନରେ ସଂଚାର ହୋଇଥିଲା।ତାହା ବି ୫ବର୍ଷ ପରେ ପୁରଣ ହୋଇପାରିନି। ଏହାକୁ ଦୀର୍ଘ ମିଆଦି ଏବଂ ବଡ ବିମାନବନ୍ଦର କରିବା ଲକ୍ଷ୍ୟ ପରେ ଏହା କେବେ ଠାରୁ ଆରମ୍ଭ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା ପାଇଁ ଯୋଜନା ହୋଇଥିଲା। ଏହାର ନିର୍ମାଣ କାମ ସରିବାର ଅଳ୍ପ ଦିନ ପରେ ପୁଣି ରନୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର କରିବା ସହ ଭିତ୍ତିଭୁମିର ସାମାନ୍ୟ ବିକାଶ କରିବାକୁ ଯୋଜନା କରାଯାଇଥିଲା। ଏହି ପ୍ରସ୍ତାବକୁ ବି କେନ୍ଦ୍ରସରକାର ଅନୁମୋଦନ କରିବା ସହ ୫୫କୋଟିରେ କରିବାକୁ ଅନୁମୋଦନ ଦେଇଥିଲେ। ଏହାରି ମଧ୍ୟରେ ଟେଣ୍ଡର ସରିଛି। ଠିକା ସଂସ୍ଥା ବର୍ଷକ ମଧ୍ୟରେ କାମ ସାରିବାକୁ ଚୁକ୍ତି କରିଛି। ତେବେ ଏହି କାମ ସରିବାକୁ ପ୍ରାୟ ୨ବର୍ଷ ଲାଗିବ ୨୦୨୩ସୁଦ୍ଧା ସରିବ ବୋଲି ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀଇଂ. ଭାଷ୍କର ଚନ୍ଦ୍ର ସାମନ୍ତରାୟ ଓ ଏସଡିଓ ଇଂ.ବିଜୟ ବେହେରା କହିଛନ୍ତି । ପୁଣି ଏବେ ରନୱେ ୧୫ଶହ ମିଟରକୁ ବୃଦ୍ଧିର ପ୍ରସ୍ତାବ କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରଳାୟ ନିକଟରେ ଅନୁମୋଦନ ପାଇଁ ଯାଇଛି। ତେବେ ୧୫୦୦ମିଟର ପ୍ରସ୍ତାବ ଅନୁମୋଦନ ହୋଇ ମଂଜୁର ହୋଇ ଏହାରି ମଧ୍ୟରେ ଆସିଲେ ସବୁ କାମ ୨୦୨୩ସୁଦ୍ଧା ଶେଷ ହେବ ବୋଲି ଉଭୟ ଅଧିକାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ, ପ୍ରଥମ ପର୍ୟ୍ୟାୟରେ ଉଡାନ-୧ ଯୋଜନାରେ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା କରାଯାଇଛି। ଏହି ରନୱେ ରେ ଛୋଟ ବିମାନ ଚାଲିବ। ଅଗ୍ନିଶମ ନିରାପତ୍ତା କୋଠା, ଟର୍ମିନାଲ ଉପରେ ଏଟିଆର ଓ ପାଇଲଟ ରହଣୀସ୍ଥଳୀ ନିର୍ମାଣ କାମ ଶେଷ ହୋଇଛି। ଏହାରି ମଧ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ସହ ଦିଲ୍ଲୀ ଓ କୋଲାକାତାର ୩ ଜଣିଆ ଟିମ୍ ଜୟପୁର ଏୟାର ଷ୍ଟ୍ରିପ୍ ଆସି ବହୁବାର ସମୀକ୍ଷା କରିଥିଲେ। ଏହି ଟିମ୍ ଜୟପୁରରେ ଥିବା ରନେଵ, ଟର୍ମିନାଲ, ବିମାନ ରହଣିସ୍ଥଳୀ ଆଦିର ତଦାରଖ କରି ସମୀକ୍ଷା କରଥିଲେ। ଏହା ପରେ ପୁଣି ଏଠାକାର ଅନୁସଙ୍ଗିକ ଭିତ୍ତିଭୁମିକୁ ପରିବର୍ଦ୍ଧିତ ଏବଂ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ୧୮ସିଟ୍ ବଦଳରେ ୭୨ସିଟ୍ ଚଳାଚଳ କରିବାକୁ ଯୋଜନା କରାଯାଇଥିଲା। ତେଣୁ ରନୱେ ସମ୍ପ୍ରସାରଣ କରିବା ଓ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୫୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହାରି ମଧ୍ୟରେ ଏହାର କାମ ପାଇଁ ୪୨କୋଟିରେ କଟକର ଗୁରୁ ମହାରାଜ କନଷ୍ଟ୍ରକ୍ସନ୍ ଠିକା ନେବା ସହ କାମ ଆରମ୍ଭ କରିଛି। ଏବେ ରନ୍ୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର, ପୁଲିସ ବାରକ, ଇ ଟାଇପର ବ୍ଲକ, ଟେର୍ମିନାଲ କୋଠାର ସଂପ୍ରସାରଣ, ୨ମହଲା ୱାର୍କସପ୍ ଆଦି ନିର୍ମାଣ କରାଯିବାର କାର୍ୟ୍ୟକ୍ରମ ରହିଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଇଂ. ସାମନ୍ତରାୟ ଓ ଏସଡିଓ ଇଂ.ବେହେରା। ଚୁକ୍ତି କରିଥିବା କଂପାନୀ ଏହାରି ମଧ୍ୟରେ କାମ ଆରମ୍ଭ କରିଛି। ଆଜି ପୁଲିସ ବାରକ୍ ପାଇଁ ଜମି ଚିହ୍ନଟ କରାଯାଇଛି। ସେଭଳି ଏୟାରପୋର୍ଟ ମଧ୍ୟରେ ଥିବା ମାଟି ସଜାଡିବା କାମ ସହ ରନୱେ ବୃଦ୍ଧି କାମ ବି ଆରମ୍ଭ ହୋଇଛି। ତେବେ ରନୱେ ପାଇଁ ବାଧା ସୃଷ୍ଟି କରିଥିବା ଧନପୁର କେନାଲକୁ ସାମାନ୍ୟ ଘୁଚାଂଇବା ଯୋଜନା ଜିଲ୍ଲାପ୍ରଶାସନ ନିକଟକୁ ଯାଇଛି। ଯଦିଓ ଏହା ୩୦୦ମିଟରର କେନାଲ ବିମାନ ବନ୍ଦର ପାର୍ଶ୍ବରେ ରହିଛି ତେବେ ଏହାକୁ ୫୦୦ମିଟର ପର୍ୟ୍ୟନ୍ତ ଘୁଛାଁଇବା ପ୍ରସ୍ତୁତି ଜିଲ୍ଲାପ୍ରଶାସନ ଜାରୀ ରଖିଛି ବୋଲି କହିଛନ୍ତି ନିର୍ବାହୀଯନ୍ତ୍ରୀ ଓ ଏସଡିଓ। ଜାତୀୟ ରାଜପଥ ୨୬ରୁ ବିମାନବନ୍ଦର ସଂଯୋଗ ରାସ୍ତାକୁ ପ୍ରଶସ୍ତିକରଣ ପାଇଁ ଜମି ଅଧିଗ୍ରହଣ କାମ ବି ଜାରୀ ରହିଛି। ୧ କିମି ବିଶିଷ୍ଟ ରାସ୍ତାର ବିକାଶ ପାଇଁ ୩.୨ ଏକର ଘରୋଇ ଜମିକୁ ଅଧିଗ୍ରହଣ କରାଯିବ। ଏନେଇ ଏସ୍ଆଇଏ ୟୁନିଟ ସର୍ଭେ କରି ଫେରିଛନ୍ତି। ଏହି ରାସ୍ତା ଡବଲ ଲାଇନ ହେବ ବୋଲି ରାସ୍ତା ଓ ଗୃହ ବିଭାଗ ନିବାହୀ ଯନ୍ତ୍ରୀ ଭାଷ୍କର ଚନ୍ଦ୍ର ସାମନ୍ତରାୟ କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ବପ୍ନ ପୁରଣ ପାଇଁ ଆଉ କେତେ ବର୍ଷ ଲାଗିବ ତାହା ସମୟ କହିବ। ସ୍ବପ୍ନ ପୁରଣ ହେବା ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।