-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
କଟକ (ପ୍ରେରଣା ଖବର): ସରକାରୀ ଖର୍ଚ୍ଚରେ ଚାଲୁଥିବା କଟକର ସବୁ ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦିଆଗଲା। ସେଠାରେ ଆଉ ନୂଆ ରୋଗୀ ଆଡମିସନ ହୋଇପାରିବେ ନାହିଁ। ବର୍ତ୍ତମାନ ଯେଉଁ ରୋଗୀ ସେଠାରେ ଚିକିତ୍ସିତ ହେଉଛନ୍ତି, ସେମାନେ ସୁସ୍ଥ ହେବା ଯାଏ ସେଠାରେ ରହି ଚିକିତ୍ସିତ ହେବେ। ଏଣିକି କଟକରେ କେବଳ କଟକ ବଡ ମେଡିକାଲ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ସରକାରୀ ଖର୍ଚ୍ଚରେ ରୋଗୀଙ୍କୁ ଚିକିତ୍ସା କରାଯିବ। କଟକରେ ସରକାରୀ ଖର୍ଚ୍ଚରେ ଯେଉଁ ସବୁ ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା ସେଥିରୁ ପୂର୍ବରୁ ସନ୍ ହସ୍ପିଟାଲରେ ରୋଗୀ ଚିକିତ୍ସା ବନ୍ଦ କରି ଦିଆଯାଇଥିବା ବେଳେ ଏବେ ଜଗତପୁରର ସଦଗୁରୁ, କଟକ ସହରରେ ଥିବା ଅଶ୍ବିନୀ, ସୃଷ୍ଟି, ସାଉଥପଏଣ୍ଟ ଓ ଆଠଗଡ଼ରେ ଥିବା ଜିଏମ୍ସାରରେ କୋଭିଡ ରୋଗୀ ଚିକିତ୍ସା ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହା ସହିତ ଏହି ସବୁ କୋଭିଡ୍ ହସ୍ପିଟାଲରେ ଠିକାରେ ସରକାରଙ୍କ ପକ୍ଷରୁ ନିୟୋଜିତ ୭ଶହ କର୍ମଚାରୀଙ୍କୁ ଛଟେଇ କରାଯାଇଛି। କିନ୍ତୁ ସେଥିରୁ ୨୫ ପ୍ରତିଶତ କର୍ମଚାରୀଙ୍କୁ ଜାନୁଆରି ୧ରୁ ପୁନଃନିଯୁକ୍ତି ଦିଆଯିବ ବୋଲି କଟକ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଏସ୍ସିବି କୋଭିଡ୍ ହସ୍ପିଟାଲରେ ଏବେ ୬୪ ଜଣ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ୨୩ଜଣ ଆଇସିୟୁରେ ଅଛନ୍ତି। ଅନ୍ୟପଟେ ଆଜି ଗଜପତି ଜିଲ୍ଲାପାଳଙ୍କ ସମେତ ୬ଜଣ ଆଜି ଡିସ୍ଚାର୍ଜ ହୋଇ ଘରକୁ ଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସୁଦ୍ଧା ସଦଗୁରୁ ଓ ଜିମସାରରେ କେହି ଜଣେ ବି ରୋଗୀ ନ ଥିବା ବେଳେ ଅଶ୍ବିନୀ, ସୃଷ୍ଟି ଓ ସାଉଥପଏଣ୍ଟରେ ୩୦ ଭିତରେ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି। ଏସବୁ କୋଭିଡ ହସ୍ପିଟାଲ ବନ୍ଦ ହୋଇଥିବା ବେଳେ ଦିନ ଦୁଇ ଦିନ ପରେ ଯେଉଁ ରୋଗୀ ରହିବେ, ସେମାନଙ୍କୁ କଟକ ବଡ ମେଡିକାଲ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଯୋଜନା ରହିଛି।