-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ସମ୍ବଲପୁର (ପ୍ରେରଣା ଖବର): ଧନୁପାଲି ଥାନା ସାକ୍ଷୀପଡ଼ାର ବହୁଚର୍ଚ୍ଚିତ କୁନି ଓରଫ ବିଜୟ ନାୟକ ହତ୍ୟା ଘଟଣାରେ ବୁଧବାର ସମ୍ବଲପୁର ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ(୧୯)କୁ ଗିରଫ କରିଛି। ଗୋବିନ୍ଦକୁ ଧରିବା ପାଇଁ ଧନୁପାଲି ପୁଲିସ୍ର ଗୋଟିଏ ଟିମ୍ ଝାଡ଼ଖଣ୍ଡକୁ ଯାଇଥିବା ସମୟରେ ମଙ୍ଗଳବାର ତାକୁ ଜାମସେଦପୁରରୁ ଗିରଫ କରାଯାଇଥିବା ନେଇ ଏସ୍ପି ବି.ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଏହି ଘଟଣାରେ ଆହୁରି ମଧ୍ୟ ଅଭିଯୁକ୍ତ ଫେରାର୍ ରହିଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ଶ୍ରୀ ଗଙ୍ଗାଧର କହିଛନ୍ତି। ତେବେ ଏହି ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଟ୍ୟାଗ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଏହା ପ୍ରଥମ ରେଡ୍ ଫ୍ଲାଗ୍ ମାମଲା। ୧ ମାସ ମଧ୍ୟରେ ଏହି ମାମଲାର ତଦନ୍ତ ଶେଷ ହୋଇ ସାଇଣ୍ଟିଫିକ୍ ଉପାୟରେ ପ୍ରମାଣ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି। କିଭଳି ଭାବେ ମୃତ କୁନିଙ୍କ ପରିବାରକୁ ନ୍ୟାୟ ମିଳିପାରିବ ସେଥିପାଇଁ ତଦନ୍ତକୁ ସୁଦୃଢ଼ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ପ୍ରସ୍ତୁତି ଚାଲିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।ସ୍ମରଣଯୋଗ୍ୟ, ଗତ ୧୫ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ କୁନି ଓ ତାଙ୍କ ବନ୍ଧୁ ସନି ଓରାମ ବାହାଲପଡ଼ାରୁ ବାହାରି ସାଇକଲ ଯୋଗେ ସାକ୍ଷୀପଡ଼ାକୁ ଯାଉଥିଲେ। ଏହି ସମୟରେ ସାକ୍ଷୀପଡ଼ା ହନୁମାନ କଲୋନି ଲେନ୍-୪ ନିକଟରେ ଗୋବିନ୍ଦ ଓ ତାର ସହଯୋଗୀମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନଙ୍କୁ ଆକ୍ରମଣ କରିଥିଲେ। ବେଟେନ୍ ଓ ବେସ୍ବଲ୍ ଷ୍ଟିକ୍ରେ ମାଡ଼ ଯୋଗୁ କୁନି ଓ ସନି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର କୁନିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ୪ ଦିନ ପରେ ଅର୍ଥାତ୍ ୧୯ ତାରିଖରେ ଧନୁପାଲି ପୁଲିସ୍ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମୟରେ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ବେଟେନ୍ ଓ ବେସ୍ବଲ୍ ଷ୍ଟିକ୍କୁ ଜବତ କରିଥିଲା।