-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
27-Aug-2026
ସିନାପାଲି (ଚିନ୍ତାମଣି ନେତାମ ) ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ମମତା, ବିଶ୍ୱାସ ଓ ପରସ୍ପର ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନ। ଏହି ପବିତ୍ର ସମ୍ପର୍କର ଭାବନାକୁ ଆହୁରି ଦୃଢ଼ କରିବା ସହ ଶିଶୁମାନଙ୍କ ମନରେ ସ୍ନେହ, ଭାଇଚାରା, ଏକତା ଓ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିନାପାଲିସ୍ଥିତ ରାଜଶ୍ରୀ ପବ୍ଲିକ ସ୍କୁଲ ପରିସରରେ ଗୁରୁବାର ଉତ୍ସାହ, ଆନନ୍ଦ ଓ ଭାବବିହ୍ୱଳ ପରିବେଶରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ ହୋଇଛି।
ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶାର ସହଯୋଗରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟ ବାର୍ତ୍ତା ଥିଲା— “ପ୍ରେମ, ଯତ୍ନ ଓ ଏକତାର ବନ୍ଧନ”। ରକ୍ଷାବନ୍ଧନର ପାରମ୍ପରିକ ଭାବନା ସହ ଏହାର ସାମାଜିକ ଓ ମାନବିକ ବାର୍ତ୍ତାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ମହୋତ୍ସବରେ ବିଭିନ୍ନ ସୃଜନଶୀଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୀଳଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସତ୍ୟବ୍ରତ ଗହୀର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅତୁଲ କୁମାର ପାତ୍ର ଓ ସାମ୍ବାଦିକ ଶ୍ରୀ ଚିନ୍ତାମଣି ନେତାମ ଉପସ୍ଥିତ ଥିଲେ। ରାଜଶ୍ରୀ ପବ୍ଲିକ ସ୍କୁଲର ଶ୍ରୀ ରାଜେଶ ଅଗ୍ରୱାଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।
ପ୍ରାରମ୍ଭରେ ଅତିଥିମାନଙ୍କୁ ଆଦର ଓ ସମ୍ମାନର ସହ ସ୍ୱାଗତ କରାଯାଇ ମଙ୍ଗଳଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ମହୋତ୍ସବର ଶୁଭାରମ୍ଭ ହୋଇଥିଲା। ପରେ ରକ୍ଷାବନ୍ଧନର ମହତ୍ତ୍ୱ, ପରମ୍ପରା, ଭାଇ-ଭଉଣୀଙ୍କ ସମ୍ପର୍କ ଏବଂ ଏହାର ସାମାଜିକ ବାର୍ତ୍ତା ଉପରେ ଆଲୋଚନା ହୋଇଥିଲା।
ମହୋତ୍ସବ ଅବସରରେ ବିଦ୍ୟାଳୟ ପକ୍ଷରୁ ବିତର୍କ, ଗୀତ, ଚିତ୍ରାଙ୍କନ (Drawing) ଓ ହାତରେ ତିଆରି ରାଖୀ (Handmade Rakhi Making) ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜର ପ୍ରତିଭା, ସୃଜନଶୀଳତା ଓ କଳାକୌଶଳର ପରିଚୟ ଦେଇଥିଲେ।
ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିବା ବେଳେ ବିତର୍କ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଚିନ୍ତନଶକ୍ତି ଓ ଯୁକ୍ତିପୂର୍ଣ୍ଣ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ କୁନି କୁନି ପ୍ରତିଭାମାନେ ରଙ୍ଗ ଓ ତୂଳୀ ମାଧ୍ୟମରେ ରକ୍ଷାବନ୍ଧନର ଭାବନାକୁ ଚିତ୍ରରେ ଫୁଟାଇଥିଲେ। ହାତତିଆରି ରାଖୀ ପ୍ରସ୍ତୁତିରେ ଛାତ୍ରଛାତ୍ରୀମାନେ ନିଜ ସୃଜନଶୀଳତାର ପରିଚୟ ଦେଇଥିଲେ।
ରାଖୀ ବନ୍ଧନ ସମୟରେ ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସିର ହସ ଓ ମନରେ ପରସ୍ପର ପ୍ରତି ଭଲପାଇବାର ଭାବନା ଦେଖିବାକୁ ମିଳିଥିଲା। ରାଖୀ କେବଳ ଏକ ସୂତା ନୁହେଁ, ଏହା ସମ୍ପର୍କକୁ ମଜବୁତ କରୁଥିବା ଏକ ଭାବନା ଏବଂ ପରସ୍ପର ପ୍ରତି ଯତ୍ନ, ସମ୍ମାନ ଓ ଦାୟିତ୍ୱର ନିରବ ପ୍ରତିଶ୍ରୁତି ବୋଲି ଅତିଥିମାନେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ରକ୍ଷାବନ୍ଧନର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ଭାଷଣ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୁନି ପ୍ରତିଭାମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ପୁରସ୍କାର ପାଇ ଛାତ୍ରଛାତ୍ରୀମାନେ ଆନନ୍ଦିତ ହୋଇଥିବା ବେଳେ ଅତିଥିମାନେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଅତିଥିମାନେ କହିଥିଲେ ଯେ, ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ସମ୍ପର୍କର ପର୍ବ ନୁହେଁ; ଏହା ପରସ୍ପର ପ୍ରତି ସମ୍ମାନ, ଭଲପାଇବା, ସହଯୋଗ ଓ ଏକତାର ମହାନ ବାର୍ତ୍ତା। ଶିଶୁମାନଙ୍କ ମନରେ ଏହି ମାନବିକ ମୂଲ୍ୟବୋଧ ସୃଷ୍ଟି ହେଲେ ଆଗାମୀ ସମାଜ ଅଧିକ ସୁନ୍ଦର, ସ୍ନେହପୂର୍ଣ୍ଣ ଓ ମାନବିକ ହୋଇପାରିବ।
ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଗୋବିନ୍ଦ ସାହୁ। କାର୍ଯ୍ୟକ୍ରମକୁ ସଫଳ ଓ ସୁଚାରୁ ଭାବେ ସମ୍ପନ୍ନ କରିବାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ସକ୍ରିୟ ସହଯୋଗ ରହିଥିଲା। ଶେଷରେ ରାଖୀର ପବିତ୍ର ସୂତା ମାଧ୍ୟମରେ ସ୍ନେହ, ମମତା, ଭାଇଚାରା, ଏକତା ଓ ମାନବିକତାର ବାର୍ତ୍ତା ସମସ୍ତଙ୍କ ମନରେ ଦୃଢ଼ ହୋଇଥିଲା।