-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଭୁବନେଶ୍ବରରେ ବିଜେଡି ଗଡ଼କୁ ସମ୍ପୂର୍ଣ୍ଣ ଭାଙ୍ଗିପାରିନି ବିଜେପି। ତିନିଟି ଆସନରୁ କେବଳ ଗୋଟିଏ ଆସନ ଦଖଲ କରିବାକୁ ଦଳ ସକ୍ଷମ ହୋଇଛି। କିନ୍ତୁ ରାଜ୍ୟରେ ବିଜେପି ସରକାର ଗଢ଼ିଥିବାରୁ ବିଜେପି ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ନିଜେ ସାଂସଦ, ବିଧାୟକ ଓ ଦୁଇ ବିଧାୟକ ପ୍ରାର୍ଥୀ ମିଳିତ ଭାବେ କସରତ ଚଳାଇଛନ୍ତି। ଆଗାମୀ ବିଏମ୍ସି ନିର୍ବାଚନ ଓ ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ହେଉଛି। ଅନ୍ୟ ପଟେ ଦୁଇ ବିଧାୟକ ଜିତିଥିଲେ ବି ବିଜେଡି ବ୍ୟାକ୍ଫୁଟ୍ରେ ରହିଛି। ରାଜ୍ୟରେ ସରକାର ବଦଳିଯାଇଥିବାରୁ ଓ ଦଳର ଆଭ୍ୟନ୍ତରୀଣ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ତାହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଯେ କୌଣସି ସମୟରେ ଭୁବନେଶ୍ବର ବିଜେଡି ସଂଗଠନରେ ବଡ଼ ଧରଣର ବିସ୍ଫୋରଣ ଘଟିବାର ଆଶଙ୍କା ଦେଖାଦେଇଛି।
୨୦୨୨ ମସିହାରେ ବିଏମ୍ସି ନିର୍ବାଚନ ହୋଇଥିଲା। ବିଜେପି ମାତ୍ର ୧୦ଟି ଆସନ ପାଇଥିବା ବେଳେ ବିଜେଡି ୫୧ ଆସନ ପାଇ କର୍ପୋରେସନକୁ କବ୍ଜା କରିଥିଲା। ମେୟର ସୁଲୋଚନା ଦାସଙ୍କ ନେତୃତ୍ବରେ ବିଜେଡି ବିଏମ୍ସିରେ ଶାସନ କଲା। ହେଲେ କିଛି କର୍ପୋରେଟର୍ଙ୍କୁ ମାତ୍ରାଧିକ ପ୍ରାଧାନ୍ୟ ଦେଇ ମେୟର ସବୁ କାମ କରୁଥିବାରୁ ତାହା ଅନ୍ୟମାନଙ୍କୁ କ୍ଷୁବ୍ଧ କରିଥିଲା। ବିଜେଡି ଶାସନରେ ଥିବାରୁ କେହି ମୁହଁ ଖୋଲୁ ନଥିଲେ। ଯେତେବେଳେ ବି କିଛି ସମସ୍ୟା ହେଉଥିଲା, ସେତେବେଳେ ଉପର ମହଲରେ ନେତାମାନେ ଡାକି ବୁଝାମଣା କରିଦେଉଥିଲେ। ପରେ ମେୟରଙ୍କ ଦୁଇ ହାତ କୁହାଯାଉଥିବା ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ଦୁଇ ନିର୍ବାଚନମଣ୍ଡଳୀରେ ଦଳ ପାଇଁ ଅଧିକ ଅଡ଼ୁଆ ବଢ଼ାଇଥିଲେ। ଉଭୟ ବିଜେଡି ଟିକେଟ ଆଶାରେ ସମାନ୍ତରାଳ ସମାବେଶ ଓ ସଂଗଠନ କରୁଥିଲେ। ସେମାନଙ୍କୁ ଦଳ ହାଇକମାଣ୍ଡ୍ ବୁଝାସୁଝା କରି ଅନ୍ୟ ଜିଲ୍ଲାରେ ପର୍ଯ୍ୟବେକ୍ଷକ କରି ପଠାଇ ଦେଇଥିଲେ। କିନ୍ତୁ ଉଭୟଙ୍କ ଖାସ୍ ସମର୍ଥକମାନେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କଲେ ବୋଲି ନବୀନ ନିବାସରେ ଅଭିଯୋଗ ହୋଇଛି। ଯେହେତୁ ସାରା ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ହେଲା, ତେଣୁ ଏହି ଅଭିଯୋଗ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନି।
ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା କଷ୍ଟେମଷ୍ଟେ ଜିତିଯାଇଥିଲା ବେଳେ ଏକାମ୍ରରେ ଅଶୋକ ଚନ୍ଦ୍ର ପଣ୍ଡା ପରାଜୟର ସମ୍ମୁଖୀନ ହେଲେ। ଏହା ପର ଠାରୁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଆହୁରି ବଢ଼ିବାରେ ଲାଗିଛି। ନବୀନ ନିବାସ ଯିବାକୁ ମେୟର ସମସ୍ତ କର୍ପୋରେଟରଙ୍କୁ ଡାକିଥିଲେ ବି ଅର୍ଦ୍ଧାଧିକ ଗଲେନି। ସେମାନେ ଯେ ମେୟରଙ୍କ ସହିତ ନାହାନ୍ତି, ସେହି ବାର୍ତ୍ତା ଗଲା। ସେମିତି ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ବିରଞ୍ଚିଙ୍କ ବିରୋଧରେ ବିଜେଡି କର୍ପୋରେଟର୍ ପ୍ରତିଦ୍ବନ୍ଦ୍ବିତା କରି ହାରିଲେ। ଜିତିବା ପରେ ବିରଞ୍ଚି ଯେବେ ବାହାରେ ଖୁସି ବାଣ୍ଟିଲେ, ସେବେ ତାଙ୍କ ସହିତ କେବଳ ବିଜେପି କର୍ପୋରେଟର ଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିର୍ବାଚନ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ନେତାଙ୍କୁ ଧରି ବିଏମ୍ସିରେ ସମୀକ୍ଷା କରିଛନ୍ତି। ସାଂସଦଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂହ ବିଏମ୍ସି ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି। ଯେହେତୁ ରାଜ୍ୟରେ ବିଜେପି ସରକାର ଅଛି, ତେଣୁ ମେୟର ଓ ଅନ୍ୟ ଅଧିକାରୀମାନେ ଆଉ ପୁରୁଣା ଭାଉ ଦେଖାଇପାରି ନାହାନ୍ତି। ସୁନା ପିଲା ପରି ସବୁ କଥା ଶୁଣିଛନ୍ତି। ବିଜେପି ବିଧାୟକ ଶ୍ରୀ ସିଂହ ଆକ୍ସନ୍ ମୋଡ୍ରେ ରହି ଘନ ଘନ କ୍ଷେତ୍ର ପରିଦର୍ଶନ କରି ବିଏମ୍ସିକୁ କାମ କରିବାକୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଛି। ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀରେ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ବରେ ସାଂଗଠନିକ କାର୍ଯ୍ୟ ଓ ବିକାଶମୂଳକ କାର୍ଯ୍ୟ ଚାଲିବ ବୋଲି ସାଂସଦ ଆଭାସ ଦେଇସାରିଲେଣି। ଫଳରେ ଦଳର ନେତା ଓ କର୍ମୀମାନେ ଏକାଠି ହୋଇ ବିଜେଡିକୁ ଆହୁରି ଦୁର୍ବଳ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।