-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ବଲାଙ୍ଗୀର(ପ୍ରେରଣା ଖବର ): ଆଗାମୀ ଦିନରେ ଲୋୟର ସୁକତେଲ ସୁକତେଲ ବନ୍ଧରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳସେଚିତ ହେବ । ବଲାଙ୍ଗୀର ସହରକୁ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ବିସ୍ଥାପିତ ହୋଇଛନ୍ତି ହଜାର ହଜାର ପରିବାର । ଖୁଣ୍ଟପାଲି ଗ୍ରାମବାସୀଙ୍କୁ ବଲାଙ୍ଗୀର ସହର ଉପକଣ୍ଠ ସଦାଇପାଲି ଲର୍କିପାଲି ପାଞ୍ଚାୟତ ଅଞ୍ଚଳରେ ଥଇଥାନ କରାଯାଇଛି । କିନ୍ତୁ ଏହି ଥଇଥାନ କଲୋନୀର ବ୍ଲକ ଡିରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି ଫଳରେ ଖୁଣ୍ଟପାଲି ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ଯୋଗାଣରେ ନିୟମିତତା ନାହିଁ । ଦିନେ ପାଣି ଆସିଲେ ପାଞ୍ଚ ଦିନ ଆସୁନାହିଁ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ହାରିଗୁହାରି କଲେ ବେଶିରେ ଅଧଘଣ୍ଟା ପାଣି ଯୋଗାଇ ଦିଆଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଥଇଥାନ ଦେଇ କଲୋନୀରେ ପର୍ଯ୍ୟାପ୍ତ ସଂଖ୍ୟକ ବୋରୱେଲ ନଥିବାରୁ ସେମାନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି । ଅନ୍ୟ ଥଇଥାନ କଲୋନୀ ଗୁଡ଼ିକରେ ମଧ୍ୟ ପାନୀୟ ଜଳକୁ ନେଇ ବିସ୍ଥାପିତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳର ସ୍ଥାୟୀ ପ୍ରତିକାର ପାଇଁ ବ୍ଲକ ଡି କଲୋନୀର ନିଳମଣି ମେହେର, କାଶୀନାଥ ପଶାୟତ, ରକ୍ଷକ ସାହୁ,ଗୋଲେକ ପଧାନ, ହାଡୁ କୁମରା, ଶିବ ପଟେଲ, ସୁନୀଲ ସାହୁ, ରଘୁନାଥ ସାହୁ, ବନମାଳୀ ସାହୁ, ବିଶ୍ୱନାଥ ସାହୁ ପ୍ରମୁଖ ଗ୍ରାମବାସୀ ଏକ ପ୍ରେସ ବିବୃତି ମାଧ୍ୟମରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାର ଜଳାଭାବକୁ ଦୁର କରିବା ପାଇଁ ବିସ୍ଥାପିତ ହୋଇଥିବା ଲେକେ ଜଳାଭାବର ସମ୍ମୁଖୀନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ ପଣ୍ଡା କହିଛନ୍ତି । ସମ୍ପୃକ୍ତ ଅଧିକାରୀ ବିହିତ ପଦକ୍ଷେପ ନେବା ପାଇଁ ପଣ୍ଡା ଦାବୀ କରିଛନ୍ତି ।