-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ୱର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ହେବ ଛାତ୍ରସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ କାର୍ଯ୍ୟକ୍ରମରେ ଏନେଇ ସକାରାତ୍ମକ ମନ୍ତବ୍ୟ ଦେବା ପରେ ନିର୍ବାଚନ ହେବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି। ବିଧିବଦ୍ଧ ଭାବେ ସରକାର ଏନେଇ କୌଣସି ଘୋଷଣା କରି ନଥିବା ବେଳେ ଆସନ୍ତା ଦୁର୍ଗାପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି। ୨୦୧୭- ୧୮ ଶିକ୍ଷାବର୍ଷରେ ଶେଷଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା।
କରୋନା ମହାମାରୀ ଏବଂ ଶିକ୍ଷାନୁଷ୍ଠାନରେ ହିଂସାକାଣ୍ଡ ହେଉଥିବା ଦର୍ଶାଇ ୬ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ପୂର୍ବରୁ ବିଭିନ୍ନ ଛାତ୍ର ସଂଗଠନ ଦାବି କରିଛନ୍ତି। ନିକଟରେ ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗଦେଇ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରୁ ଯୁବ ନେତୃତ୍ୱ ସୃଷ୍ଟି ହୁଅନ୍ତି। ଏଣୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିର୍ବାଚନର ଆବଶ୍ୟକତା ରହିଛି। ସରକାର ଏହାକୁ ଗୁରୁତ୍ବର ସହ ବିଚାର କରୁଥିବା ମଧ୍ୟ ସେ କହିବା ପରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶା ଦୃଢ଼ୀଭୂତ ହୋଇଛି। ସେପଟେ ନିର୍ବାଚନ ପାଇଁ ମଧ୍ୟ ସମସ୍ତ ଛାତ୍ର ସଂଗଠନ ପାଗ ଭିଡ଼ିଲେଣି। ଆଜିଠୁ ଯୁକ୍ତ ୩ ନାମ ଲେଖା ଆରମ୍ଭ ହେଉଥିବାରୁ ଛାତ୍ର ସଂଗଠନ ଗୁଡିକ ହେଲ୍ପ-ଡେସ୍କ ଖୋଲି ନବାଗତ ବିଦ୍ୟାର୍ଥୀଙ୍କୁ ସହଯୋଗ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।