-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ। ବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସଂଶୋଧନ କରାଯାଇପାରିବ। ଜୁଲାଇ ୧୨ ରୁ ୨୨ ତାରିଖ ମଧ୍ୟରେ ସଂଶୋଧନ କରିପାରିବେ। ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଫି’ ଦେଇ ସଂଶୋଧନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମାନେ ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାର ତଦାରଖ କରିବେ। କୌଣସି ଅସୁବିଧା ହେଲେ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପରାମର୍ଶ ଦିଆଯାଇଛି।
ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା(ପ୍ରଥମ), ମଧ୍ୟମା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୩୦ଟି କେନ୍ଦ୍ର କରାଯାଇଛି। କଟକ ଜିଲା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏହି ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ଖୋର୍ଦ୍ଧାରେ ଭୁବନେଶ୍ୱରସ୍ଥିତ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ବାଲେଶ୍ୱରରେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଗଞ୍ଜାମରେ ବ୍ରହ୍ମପୁର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ୱଲପୁରରେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ କୋରାପୁଟରେ ଜୟପୁରସ୍ଥିତ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ଅନୁଗୁଳ, ରାୟଗଡା, ନବରଙ୍ଗପୁର, ଝାରସୁଗୁଡା, ବୌଦ୍ଧ ଏବଂ କନ୍ଧମାଳରେ ଡିଇଓଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ଜଗତସିଂହପୁରରେ ଏସ.କେ ଏକାଡେମୀ, କେନ୍ଦ୍ରାପଡାରେ ଦୁହୁରିଆସ୍ଥିତ ରତ୍ନାକର ଉଚ୍ଚ ବିଦ୍ୟାଳୟ, ଯାଜପୁରରେ ଜିଲ୍ଲା ହାଇସ୍କୁଲ, ଢେଙ୍କାନାଳରେ ବି.ବି ଉଚ୍ଚ ବିଦ୍ୟାଳୟ, ପୁରୀରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ନୟାଗଡରେ ବ୍ରଜେନ୍ଦ୍ର ହାଇସ୍କୁଲ, ଭଦ୍ରକରେ ଜିଲା ହାଇସ୍କୁଲ, କେନ୍ଦୁଝରରେ ଏନ.ଏସ ପୁଲିସ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜରେ ଏମ.କେ.ସି ଉଚ୍ଚ ବିଦ୍ୟାଳୟ, ଗଜପତିରେ ପାରଳାଖେମୁଣ୍ଡିସ୍ଥିତ ପୁରୁଣା ଡିସିପି କାର୍ଯ୍ୟାଳୟ, କଳାହାଣ୍ଡି ପାଇଁ ଭବାନୀପାଟଣାସ୍ଥିତ ବି.ଏମ ହାଇସ୍କୁଲ, ନୂଆପଡାରେ ନ୍ୟାସନାଲ ହାଇସ୍କୁଲ,ବରଗଡରେ ଜର୍ଜ ଉଚ୍ଚ ବିଦ୍ୟାପୀଠ, ଦେବଗଡରେ ଆରବିଡି ହାଇସ୍କୁଲ, ବଲାଙ୍ଗୀର ପାଇଁ ପି.ଆର ହାଇସ୍କୁଲ, ସୁବର୍ଣ୍ଣପୁର ପାଇଁ ସୋନପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ସୁନ୍ଦରଗଡରେ ବିଏସ ହାଇସ୍କୁଲରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।