-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ତୁଷୁରା(ପଞ୍ଚାନନ ନାଏକ): ତୁଷୁରା ସଂକୁଳସ୍ତରୀୟ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ୨୬ ଜୁନ୍ ରାତ୍ର ୭ ଘଟିକା ସମୟରେ ସଂକୁଳ କେନ୍ଦ୍ର ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତୁଷୁରା ର ସଭାଗୃହ ଠାରେ ଉଦ୍ଘାଟିତ ହୋଇଯାଇଛି। ସଭାପତି ଶ୍ରୀ ଦୀନ ଦୟାଲ କେଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ତୁଷୁରା ର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ଜୟଶ୍ବାଲ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଶିଶୁ ମନ୍ଦିର ଯୋଜନା ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତାଭାବେ ସଂକୁଳ ପ୍ରମୁଖ ତଥା ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଆଶୁକବି ହେମନ୍ତ ଦାଶ ଯୋଗ ଦେଇ ପ୍ରଶିକ୍ଷଣ ଶିବିର ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶ୍ରୀ ଦାଶ କହିଥିଲେ ଯେ, ପ୍ରଶିକ୍ଷଣ ଶିବିର ର ଶିକ୍ଷାଦାନ ଶ୍ରେଣୀ କକ୍ଷରେ ପ୍ରତିଫଳିତ ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହୋଇ ପାରିବ। ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲ୍ଲା ସହ କାର୍ଯ୍ୟବାହ ସଞ୍ଜୟ କୁମାର ସାହୁ ଯୋଗ ଦେଇ "ଭାରତର ସ୍ବ ଜାଗରଣ " ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଂକୁଳ ସଂଯୋଜକ ତଥା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଶୀଳ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ବେଣୁଧର ମଧହୀରା ଓ ଉପ ସଭାପତି ଶ୍ରୀ ରାଧେଶ୍ୟାମ ମିଶ୍ର ସଭାରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ଜୟଶ୍ବାଲଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଗୁଡଭେଲା ବ୍ଲକ୍ ର ତୁଷୁରା, ତେନ୍ତୁଳି ଖୁଣ୍ଟି ଓ ଗୁଡଭେଲା, ସଇଁତଳା ବ୍ଲକ୍ ର ସଇଁତଳା, ଛନଛଡା ଓ ଟିକ୍ରାପଡା ଏବଂ ଦେଓଗାଁ ବ୍ଲକ୍ ର ଅର୍ଜୁନ ପୁର ଓ ଜରାସିଂହା ଏହିପରି ତିନୋଟି ବ୍ଲକ୍ ର ଆଠଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୧୧୬ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟମାନେ ପ୍ରଶିକ୍ଷକ ଭାବେ ଯୋଗ ଦେଇ ପ୍ରଶିକ୍ଷଣ କୁ ଆଗେଇ ନେଇଥିଲେ।