-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ସ୍ୱରାଜ ହସପିଟାଲରେ ଗତ ଜୁନ ୧୨ ତାରିଖରେ ଜଣେ ଦଳିତ ମହିଳା ଶ୍ରଦ୍ଧାଞ୍ଜଳି ମହାନନ୍ଦ ଭର୍ତ୍ତିହୋଇ ସିଜରିଆନ ଅପରେସନ ହୋଇଥିଲେ । କିନ୍ତୁ ସିଜରିଆନ ଅପରେସନ ପରେ ପରେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାସ୍ଥ୍ୟରେ ଅବନତୀ ହୋଇଥିଲା । ପ୍ରାୟ ୬ଦିନ ପର୍ଯ୍ୟନ୍ତ ତାଙ୍କୁ ଆଇସିୟୁରେ ରଖି ହସପିଟାଲ କତ୍ତୃପକ୍ଷ ୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଲ କରିଥିଲେ । କିନ୍ତୁ ଶେଷରେ ଅଚେତ ଅବସ୍ଥାରେ ଥିବା ଶ୍ରଦ୍ଧାଞ୍ଜଳିଙ୍କୁ ସ୍ୱରାଜ ହସପିଟାଲ କତ୍ତୃପକ୍ଷ ରେଫର କରିଦେଇଥିଲେ । ଭେଣ୍ଟିଲେଟର ଲାଗିବା ଅବସ୍ଥାରେ ତାଙ୍କୁ ବିକାଶ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା କ୍ଷଣି ଶ୍ରଦ୍ଧାଞ୍ଜଳିଙ୍କର ବହୁ ସମୟ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ । ଏହା ପରେ ସେହି ୧୭ ତାରିଖ ରାତିରେ ଶବକୁ ଆଣି ଶ୍ରଦ୍ଧାଞ୍ଜଳିଙ୍କ ପରିବାର ବର୍ଗ ସ୍ୱରାଜ ହସପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ । ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଓ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ହସପିଟାଲ କତ୍ତୃପକ୍ଷ ରେଫର କରିଦେଇଥିବା ଅଭିଯୋଗ କରିବା ସହିତ ଘଟଣାର ତଦନ୍ତକରି କ୍ଷତିପୂରଣ ଦାବି କରିଥିଲେ । ଏହା ସହିତ ସଦର ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଥିଲା । ସେହି ରାତିରେ ବଲାଙ୍ଗୀର ସଦର ଏସଡିପିଓ ପ୍ରଦୀପ ସାହୁ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ୫ଦିନ ବିତିଯାଇଥିଲେ ହେଁ ପୋଲିସ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ୨୧ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ବଲାଙ୍ଗୀର ଗସ୍ତ ସମୟରେ ସ୍ଥାନୀୟ ଭାଜପାଦଳର ଜିଲ୍ଲା କାର୍ଯ୍ୟାଳୟଠାରେ ମୃତକଙ୍କ ପରିବାର ସହିତ ଏଡଭୋକେଟ ଦୀନେଶ ନାଗ ମନ୍ତ୍ରୀ ଡ.ମହାଲିଙ୍ଗଙ୍କୁ ଭେଟି ଏକ ଅଭିଯୋଗପତ୍ର ଦାଖଲ କରିବା ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ । ଏହି ଅଭିଯୋଗକୁ ନେଇ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଦୀନେଶ ନାଗ କହିଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ୧୨ ତାରିଖରେ ଶ୍ରଦ୍ଧାଞ୍ଜଳିଙ୍କ ଅପରେସନ ପରେ କୁଆଡେ ତାଙ୍କର ହୃଦରୋଗ ବାହାରିଥିଲା । ହସପିଟାଲ କତ୍ତୃପକ୍ଷ ହୃଦରୋଗ ବିଶେଷଜ୍ଞଙ୍କୁ ଡକାଇ ପରଦିନ ଇକୋ କରାଇଥିଲେ । ତେବେ ହସପିଟାଲର ଜଣେ ଡାକ୍ତର ହୃଦରୋଗ ବିଶେଷଜ୍ଞଙ୍କୁ ଡାକି ଇକୋ କରାଇଥିବା ଥିବା କଥା କହୁଥିବା ବେଳେ ଆଉ ଜଣେ ଡାକ୍ତର କେବଳ ଜଣେ ହୃଦରୋଗ ଡାକ୍ତରଙ୍କୁ ଫୋନରେ କନସଲ୍ଟ କରାଯାଇଥିବା କହିଥିଲେ । ଫଳରେ ଉଭୟଙ୍କ କଥାରେ ତାଳମେଳ ଖାଉନାହିଁ । ଠିକ ସେହିପରି ରୋଗୀର କିଡନୀରେ ମଧ୍ୟ ସମସ୍ୟା ଥିଲା ଓ ତାର ଅଧିକ ରକ୍ତଚାପ ବଢାଯାଇ ପରେ ରକ୍ତରେ ଇନଫେକ୍ସନ ହୋଇଥିଲା ବୋଲି ହସପିଟାଲ କତ୍ତୃପକ୍ଷ କହୁଛନ୍ତି । ସେହି କାରଣରୁ କାହିଁକି ୬ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇ କଣ କଣ ସବୁ ଚିକିତ୍ସା କରାଯାଇଥିଲା ସେ ବିଷୟରେ ତଦନ୍ତ କରିବାକୁ ମୃତକଙ୍କ ପରିବାର ଦାବି କରୁଛନ୍ତି । ମୃତକ ଜଣେ ଦଳିତ ସମ୍ପ୍ରଦାୟର ହୋଇଥିବା ବେଳେ ଏତେ ଟଙ୍କା ଖର୍ଚ୍ଚ କରିବା ସତ୍ୱେ କାହିଁକି ଚିକିତ୍ସାରେ ଅବହେଳା କରାଯାଇଥିଲା ତଥା ଅପରେସନରେ ତୃଟିଥିବା ସନ୍ଦେହ କରି ତଦନ୍ତ ଦାବି କରାଯାଇଛି ।