-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ରାଉରକେଲା,(ପ୍ରେରଣା ଖବର ବ୍ୟୁରୋ) : ସଂପତ୍ତି ଲୋଭରେ ବାପା, ମା ଙ୍କୁ ହତ୍ୟା କରିଲା ପୁଅ । ଜମି ଭାଗବଂଟାକୁ ନେଇ ସୁନ୍ଦରଗଡ ନୂଆଗାଁ ବ୍ଲକ ଖୁଣ୍ଟଗା ପଞ୍ଚାୟତ ବିଶିପୁର ଗାଁରେ ହେଇଛି ଡବଲ ମର୍ଡର । ନିଜ ବାପା, ମାଆଙ୍କୁ ହତ୍ୟା କଲା ବଡ଼ପୁଅ । ପନିକିରେ ହାଣି, ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ବାପା, ମାଆଙ୍କୁ ହତ୍ୟା କରିଛି ପୁଅ । ସାନ ଭାଇର ବାହାଘର ପାଇଁ ଜମି ବିକ୍ରି ପ୍ରସ୍ତାବକୁ ବିରୋଧ କରି ଏଭଳି ହିଂସ୍ର ପାଲଟି ଯାଇଥିଲା ବଡଭାଇ। ମୃତକ ହେଲେ ୬୫ ବର୍ଷୀୟ ମନବୋଧ ସିଂ ଓ ତାଙ୍କ ପତ୍ନୀ ଲୀଳା ସିଂ ।
ଘରେ ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ସାନ ପୁଅର ବିବାହ ଭୋଜି ପାଇଁ ଟଙ୍କା ନଥିବାରୁ ଜମି ବିକିବାକୁ ବଡ ପୁଅକୁ ପ୍ରସ୍ତାବ ଦେଇଥିଲେ ମାଆ । ଏହି ପ୍ରସ୍ତାବରେ ବାପା ମଧ୍ୟ ରାଜିଥିଲେ । କିନ୍ତୁ ମା ର ନିଷ୍ପତ୍ତିକୁ ବଡ଼ ପୁଅ ବିରୋଧ କରୁଥିଲା । ଏହି କଥାକୁ ନେଇ ପରିବାର ମଧ୍ୟ ଭୀଷଣ ପାଟି ତୁଣ୍ଡ ହୋଇଥିଲା । ଅଧିକ ଉତ୍ୟକ୍ତ ହୋଇ ବଡପୁଅ ଜୟ, ପ୍ରଥମେ ବାପାଙ୍କୁ ପନିକିରେ ହାଣି ପକାଇଥିଲା । ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ପନିକିରେ ହାଣିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ତଳେ ପଡିଯାଇଥିଲେ । ଜୟର ତଥାପି ତାର ରାଗ ଶାନ୍ତ ନହେବାରୁ ଶିଳପୁଆ ଆଣି ଉଭୟଙ୍କ ମୁଣ୍ଡକୁ ଛେଚି ପକାଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଜଣେ ପଡୋଶୀ ଜୟର ଏଭଳି ନର ସଂହାର ଦେଖି ଚିକ୍ରାର କରିବା ପରେ ଆଖପାଖ ଲୋକ ଜମା ହୋଇଯାଇଥିଲେ । ତେଣୁ ଜୟ ସେଠାରୁ ଫେରାର ହୋଇଯାଇଥିଲା । ପରେ ବିଶ୍ରା ପୋଲିସ ଓ ସାଇଂଟିଫିକ ଟିମ ପହଂଚି ଛାନଭିନ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜୟକୁ ଗରିଫ କରି କୋର୍ଟ ଚାଲାଣ କରିଛି ବିଶ୍ରା ଥାନା ପୋଲିସ ।