-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ବଲାଙ୍ଗିର: ନିର୍ବାଚନୀ ଋତୁରେ ନେତା ପ୍ରଶାସକ ସମସ୍ତେ ବ୍ୟସ୍ତ। ବଲାଙ୍ଗିରରେ ପାରା ୪୨ ଡିଗ୍ରୀ ପାର ହୋଇଥିବା ସତ୍ତ୍ୱେ ପୌର ପ୍ରଶାସନ ତରଫରୁ ବଲାଙ୍ଗିର ସହରରେ ଜଳଛତ୍ରଟିଏ ମଧ୍ୟ ଖୋଲା ଯାଇ ପାରିନାହିଁ। ପ୍ରଚଣ୍ଡ ରୌଦ୍ରତାପରେ ଘରୁ ବାହାରକୁ ବାହାରୁଥିବା ଜନସାଧାରଣ ତାତିରେ କଲବଲ ହେଉଥିବା ବେଳେ ତାଙ୍କୁ ଟିକିଏ ଆଶ୍ୱସ୍ତି ପହଞ୍ଚାଇବା ପାଇଁ କାହାରି ନିଘା ନାହିଁ।
ତେଣୁକରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଏକ ଛୋଟ ପ୍ରୟାସ ଆରମ୍ଭ କରିଛି। ସଂଗଠନ ତରଫରୁ ଆଜି ସ୍ଥାନୀୟ କଚେରୀ ଛକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ଯାଉଥିବା ଲୋକେ ଗରମରୁ ଟିକିଏ ତ୍ରାହି ପାଇବା ନିମନ୍ତେ ଏଠାରେ ଅଟକି ଥଣ୍ଡା ଦହି ପାନୀୟର ମଜା ନେଉଥିବାର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା। ଆଜିଠାରୁ ଆରମ୍ଭ ହୋଇ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ପର୍ଯ୍ୟନ୍ତ ଏହିଭଳି ଭାବରେ ଆଗାମୀ ପ୍ରତ୍ୟେକ ରବିବାର ବଲାଙ୍ଗିରର ଭିନ୍ନ ଭିନ୍ନ ସ୍ଥାନରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ଲକ୍ଷ୍ୟ ରଖାଯାଇଛି।
ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ଜିତୁ ସାହୁ, ଲିଙ୍କନ ସେଠ, ଟୁଲୁ ସାହୁ, ନିତ୍ୟାନନ୍ଦ ଷଡଙ୍ଗୀ, ଉତ୍ତମ ନନ୍ଦ, ସୁରେନ୍ଦ୍ର ସେଠ, ରୂପକ ପ୍ରଧାନ, ଧନଞ୍ଜୟ ପାଣିଗ୍ରାହୀ, ପ୍ରଦୀପ ଜୁଏଡ, ସଞ୍ଜୟ ସାହୁ, ପିଙ୍କୁ ପୁଟେଲ, ସରୋଜ ଜାଲ, ଅନିତା ମିଶ୍ର, ଶ୍ୱେତା ସାହୁ, ଚିନ୍ମୟୀ ବୀର ପ୍ରମୁଖ ଓ ଅନ୍ୟାନ୍ୟ ସଦସ୍ୟ ମିଶି ପରିଚାଳନା କରିଥିଲେ। ଅଂଶୁମାନ ମିଶ୍ର ଓ ଶ୍ରେୟାଂଶୀ ପ୍ରିୟଦର୍ଶିନୀ ଚିଣ୍ଡା ବିଶେଷ ସହଯୋଗ କରିଥିଲେ।