-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ବଲାଙ୍ଗୀର, ବଲାଙ୍ଗୀର ସହରରେ ଜମି ଦଲାଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚଳଚଂଚଳ ହୋଇ ଉଠିଛନ୍ତି ଜମି ମାଫିଆ । ନିରୀହ ଚାଷୀଙ୍କ ଅଜାଣତରେ ବିକ୍ରୀ ହୋଇଯାଉଛି ତାଙ୍କ ଚାଷ ଜମି । ଚାଖଣ୍ଡେ ଜମିରେ ଚାଷବାସ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଜମି ମାଫିଆଙ୍କ କବଳରୁ ରକ୍ଷା ପାଉନି ଚାଷ ଜମି ।
ଏଭଳି ଏକ ଘଟଣା ଘଟିଯାଇଛି ପୁଇଁନ୍ତଳା ବ୍ଲକ ବୁଢ଼ିଷିଣ୍ଢୋଳ ଗ୍ରାମରେ । ଏହି ଗ୍ରାମର ଦୁଇଟି ଚାଷୀଙ୍କ ଚାଷ ଜମିକୁ ଚଂଚକତା କରି ବିକ୍ରୀ କରିଥିବା ହୋଇଛି ଅଭିଯୋଗ । ଲୋକେ ଭରସା କରି ଜନପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି କିନ୍ତୁ ସେଇ ଜନପ୍ରତିନିଧି ଯଦି ଭକ୍ଷକ ସାଜେ ତେବେ ଗ୍ରାମବାସୀ ଭରସା କରିବେ କାହାକୁ ?
ପ୍ରମୋଦ କୁମାର ବିଶି ବହଲପଦର ପଂଚାୟତର ଜଣେ ପୂର୍ବତନ ସରପଂଚ । ଥରେ ନୁହେଁ ସେ ଦୁଇ ଦୁଇ ଥର
ସରପଂଚ ହୋଇଥିଲେ । ସେ ୨୦୨୩ ନଭେମ୍ବର ମାସରେ ବୁଢ଼ିଷିଣ୍ଢୋଳ ଗାଁ ରେ ଥିବା ଜନୈକ ଚାଷୀ ଅମରିଶ କର୍ମୀଙ୍କ ୧ ଏକର ୮ ଡିସିମିଲ ଜମିକୁ ଜାଲ ଆଇଡି ପ୍ରୁଫ୍ ଦେଇ ହଡପ କରିଥିବା ଅଭିଯୋଗ ହୋଇଛି । ବିକ୍ରି ହୋଇଥିବା ଜମିର ପ୍ଲଟ ନମ୍ବର ହେଉଛି ୧୬୭/୧୮୩ ଯାହାକି ଅମରିଶ କର୍ମୀ ଙ୍କ ନାମରେ ଥିଲା । ଜାଲିଆତି ହୋଇ ବିକ୍ରି ହେବା ପରେ ତାହା ପ୍ରମୋଦ ବିଶିଙ୍କ ନାମରେ ପର୍ଚ୍ଚାପଟ୍ଟା ହୋଇ ୨୬୭/୨୪୫ ପ୍ଲଟ ନମ୍ବରକୁ ପରିବର୍ତ୍ତନ ହୋଇଛି । ଏହା ପରେ ପ୍ରମୋଦ ବିଶି ଉକ୍ତ ୨୬୭/୨୪୫ ପ୍ଲଟ ନମ୍ବର ଥିବା ଜମିକୁ ଗାନ୍ଧୀନଗର ପଡା ନିବାସୀ ଜ୍ଞାନରଂଜନ ଦର୍ଜିଙ୍କୁ ଗତ ତା-୨୧.୩,୨୦୨୪ରେ ବଲାଙ୍ଗୀର ସବରେଜିଷ୍ଟ୍ରି ଅଫିସରେ
ରେଜିଷ୍ଟି କରି ଦେଇଥିଲେ । ସେହି ତାରିଖରେ ବୁଢ଼ିଷିଣ୍ଢୋଲ ଗ୍ରାମର ବାଗଦଲ ଗାଏଗରିଆ ଙ୍କ ୬୭ ଡିସିମିଲ ଜମିକୁ ଜ୍ଞାନରଂଜନ ଦର୍ଜି ଜାଲ ଆଇଡି ପ୍ରୁଫ୍ ବଳରେ ତାଙ୍କ ନାମରେ ରେଜଷ୍ଟ୍ରି କରାଇ ନେଇଥିବା ଅନୁସନ୍ଧାନରୁ ଜଣାପଡିଛି ଯାହାର ପ୍ଲଟ ନମ୍ବର ୨୬୭/୮୩ । ଗୋଟଏ ଦିନରେ ଦୁଇ ଦୁଇଟି ଜାଲ ରେଜଷ୍ଟ୍ରି ବଳରେ ଜ୍ଞାନରଂଜନ ଦର୍ଜି ତାଙ୍କ ନାମରେ ରେଜଷ୍ଟ୍ରି କରାଇ ନେଇଥିବା ବେଳେ ବଲାଙ୍ଗିର ସାବ୍ରେଜିଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ ଏହାର ଟେର ମଧ୍ୟ ପାଇ ପାରିଲେ ନାହିଁ କାହିକି ? ଜମି କିଣାବିକା ହେବାର କିଛି ଦିନ ପରେ ଜମିର ନୂତନ ମାଲିକ ଜ୍ଞାନରଂଜନ ଦର୍ଜି ବୁଢ଼ିଷିଣ୍ଢୋଲ ରେ କିଣିଥିବା ଜମି ଦେଖିବାକୁ ଯାଇଥିଲେ । ସେଠାରେ ଥିବା ପ୍ରକୃତ ଜମି ମାଲିକ ଅମରିଶ କର୍ମୀ ଏବଂ ବାଗଦଲ ଗାଏଗରିଆ ତାଙ୍କ ଅନୁପସ୍ଥିତିରେ ଜମି ବିକ୍ରି ହୋଇଥିବା ବିଷୟ ଶୁଣି ଅବାକ୍ ହୋଇଯାଇଥିଲେ । ପରେ ବଲଙ୍ଗୀର ସବରେଜିଷ୍ଟରଙ୍କ ଠାରେ ଏହି ସମସ୍ତ ଘଟଣା ସଂପର୍କରେ ଦୃଷ୍ଟିଆକର୍ଷଣ କରିଥିଲେ । ବଲାଙ୍ଗୀର ସବରେଜିଷ୍ଟାର ପ୍ରକୃତ ଜମି ମାଲିକଙ୍କ ଅଭିଯୋଗକୁ ଭିତ୍ତିି କରି ଟାଉନ୍ ଥାନାକୁ ଜଣାଇଥିଲେ । ଦୁଇ ଗୋଟି ପ୍ଲଟ ଜାଲିଆତି ହୋଇ ଗୋଟିଏ ଦିନ(୨୧.୩.୨୦୨୪)ରେ ରେଜିଷ୍ଟି ହୋଇଥିବା ବେଳେ ସବରେଜିଷ୍ଟାର ମାତ୍ର ଗୋଟିଏ ପ୍ଲଟ ଯାହାକି ଅମରିଶ କର୍ମୀଙ୍କ ନାମରେ ଥିଲା ତାକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବାଗଦଲଙ୍କ ଜମିକୁ ଜାଲିଆତି କରି କିଣିଥିବା ଜ୍ଞାନରଂଜନଙ୍କ ନାମରେ ଟାଉନ ଥାନାରେ ସବରେଜିଷ୍ଟର କୌଣସି ଅଭିଯୋଗ ଏଜାବତ ଦେଇ ନଥିବା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି । ତେବେ ସବରେଜିଷ୍ଟାର ଏବଂ ଜ୍ଞାନରଂଜନଙ୍କ ଭିତରେ ହୋଇଥିବା କିଛି ଅସାଧୁ ମେଣ୍ଟର ସନ୍ଦେହକୁ
ଏଡାଇ ଦିଆଯାଇ ନ ପାରେ ଏହି ପରିପ୍ରେକ୍ଷୀରେ ।
ପ୍ରକାଶ ଥାଉକି, ଏହା ପୂର୍ବରୁ ବଲାଙ୍ଗୀର ନିକଟସ୍ଥ ଧୂମାମରା ଗାଁ ରେ ଜଣେ ମୃତକଙ୍କ ନାମରେ ଜାଲିଆତି କରି ତାଙ୍କ ଜମିକୁ ବିକ୍ରି କରାଯାଇଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ହରଡଘଣାରେ ପଡିଥିଲେ । ତେବେ ଘଟଣାର କିଛି ବର୍ଷ ବ୍ୟବଧାନରେ ଏଭଳି ଜାଲିଆତିର ପୁନଃରାବୃତ୍ତି ହୋଇଥିବା ବିଷୟ ଲୋଲୋଚନକୁ ଆସିଛି ।
ତେବେ ଏତେ ସବୁ ସଙ୍ଗୀନ ଘଟଣା ଘଟିଗଲା ପରେ ବି ଏଜାବତ ଜିଲ୍ଲା ସବରେଜିଷ୍ଟର ଟାଉନ ଥାନାରେ ଲିଖିତ ଅଭିଯୋଗ କରିନlହାନ୍ତି । ଏତେ ସବୁ ଘଟଣା ଘଟି ଗଲା ପରେ ମଧ୍ୟ ସବରେଜିଷ୍ଟର ଉପରୋକ୍ତ ବିଷୟ କିପରି ଜାଣିପାରିଲେ ନାହିଁ, ଏ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଏବେ ସବୁଠୁ ବଡ ପ୍ରଶ୍ନ ହେଲା, ଏହି ସମସ୍ତ ଘଟଣାରେ କିଛି ର୍ୟାକେଟ୍ କାମ କରୁଛି କି ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି ।