-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ଜଗତସିଂପୁର, ( ପ୍ରେରଣା ଖବର ) : ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ୍ର ଜଡତିରା ଗ୍ରାମରେ ଗୁରୁବାର ଦିନ ବିଳମ୍ବିତ ରାତିରେ ଅମ୍ବିକା ବିଶ୍ଵାଳଙ୍କ ଘରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଦ୍ଵାରା ସାତ ବଖରା ଘର ଜଳିପୋଡ଼ି ଭସ୍ମୀଭୂତ ହୋଇଯିବା ସହିତ ଲକ୍ଷାଧିକ ଟଙ୍କାର ଧନସମ୍ପତି ନଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଘରର ପଶ୍ଚିମ ଭାଗରେ କୌଣସି ଏକ କାରଣରୁ ନିଆଁ ଲାଗିଯିବା ପରେ ପ୍ରଥମେ ବଡ଼ପୁଅ ଉଠି ଦେଖିଥିଲେ । ପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସାତ ବଖରା ଘର ସଂପୂର୍ଣ୍ଣ ଭାବେ ଜଳିପୋଡି ଧ୍ଵଂସ ହୋଇଯିବା ସହିତ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଘଟଣାରେ ଦୁଃଖ ପ୍ରକାଶ କରି ଶିକ୍ଷକ ତଥା ରେଡ଼କ୍ରସକର୍ମୀ ନିରଞ୍ଜନ ବିଶ୍ୱାଳ ରବିବାର ଦିନ ଘଟଣା ସ୍ଥଳରେ ପହଞ୍ଚି ସଫେଇ କାର୍ଯ୍ୟ କରିଥିଲେ। ଘରପୋଡ଼ିରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ସହିତ କଥାହେବା ସହିତ ସମବେଦନା ଜଣାଇଥିଲେ।
ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ଚୁଡ଼ା, ଅଟା, ସୁଜି, ମୁଢ଼ି,ଡାଲି, ବିସ୍କୁଟ,ସୋରିଷ ତେଲ, ନଡ଼ିଆ ତେଲ,ଗୁଡ, ଚିନି, ସାବୁନ, ମସଲା ମସଲି ଇତ୍ୟାଦି ଶୁଖିଲା ଖାଦ୍ୟ ସହିତ ବସ୍ତ୍ର ଓ ରହିବା ପାଇଁ ପଲିଥିନ ପ୍ରଦାନ କରିଥିଲେ। ଶିକ୍ଷକ ନିରଞ୍ଜନ ବିଶ୍ୱାଳ ପୁର୍ବରୁ ଏଇଭଳି ବହୁତ ସମାଜସେବା ମୂଳକ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ସେଳଦା ଗ୍ରାମର ନିତ୍ୟାନନ୍ଦ ବିଶ୍ଵାଳ ଓ ଉର୍ମିଳା ବିଶ୍ଵାଳଙ୍କ ସୁପୁତ୍ର ହୋଇଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ବୃତ୍ତିରେ ଅଛନ୍ତି। ସେ ଜଣେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ସହିତ ମାନବପ୍ରେମି ଓ ପ୍ରକୃତିପ୍ରେମି ବ୍ୟକ୍ତି ଅଟନ୍ତି। ତାଙ୍କର ଏହି ମହନୀୟତା କାର୍ଯ୍ୟ ପାଇଁ ସମସ୍ତ ଶିକ୍ଷକ ସମାଜ ତଥା ସମାଜ ପାଇଁ ଉଦାହରଣ ହୋଇପାରିଛନ୍ତି।