-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2024
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ବିନିକା ସ୍ଥିତ ପାପକ୍ଷୟ ଘାଟରେ ଅଞ୍ଚଳର ଜନସାଧାରଣ ଓ ସରକାରଙ୍କ କିଛି ଅନୁଦାନରୁ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସଂପନ୍ନ ହୋଇଛି ।ଦୀର୍ଘ ୮ଦିନ ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ଜଗତରନାଥ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା ।ଯେଉଁ ଆଡେ ଦେଖିବ ଜୟ ଜଗନ୍ନାଥ ଧ୍ବନିରେ ଏକ
ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ୫୬ ପ୍ରହର ନାମ ଯଂଜ୍ଞ ସହିତ ଭାଗବତ ପଠନ,ରାମାୟଣ ପାରାୟଣ,ବିଶ୍ୱ ଶାନ୍ତି ଯଂଜ୍ଞ,ଅଷ୍ଟାଦଶ ପୁରାଣ,ଅନନ୍ତମୁଖୀ ପଠନ,ଭଜନ କୀର୍ତ୍ତନରେ ପରିସର ପ୍ରକମ୍ବିତ ହୋଇଥିଲା ।ଏହି ଅବସରରେ ବିଭିନ୍ନ ଦିବସରେ ବ୍ରାହ୍ମଣ ମାନଙ୍କ ଦ୍ଵାରା ମନ୍ତ୍ର,ଶ୍ଳୋକରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଚତୁର୍ଥାମୂତୀଙ୍କ ବିଗ୍ରହକୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।ପ୍ରତିଷ୍ଠା ଦିବସର ଶେଷ ଦିନରେ ତିନି ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନିରେ ଶୋଭାଯାତ୍ରା ମାଧ୍ୟମରେ ନବ ନିର୍ମିତ ମନ୍ଦିରକୁ ନେଇ ରତ୍ନ ସିଂହାସନରେ ବିରାଜମାନ କରାଇଥିଲେ ।ପ୍ରଭୁଙ୍କୁ ନେବାବେଳେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରିବାର ସୁଯୋଗ ପାଇଥିଲେ।ଅନ୍ୟ ପକ୍ଷରେ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟରେ ବୁଡ଼ ପକାଇ ନିକଟରେ ଥିବା ବଟବୃକ୍ଷ ଅର୍ଗଲି ରେ ଗଲିଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଗଲିବା ପାଇଁ ସେଠାରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ସେହିପରି ପରିସରରେ ଥିବା ବିରାଟ ହନୁମାନ ମୂର୍ତ୍ତି ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା ।ଅନ୍ୟ ପକ୍ଷରେ ରାଧାକୃଷ୍ଣ ମନ୍ଦିର,ଶିବ ପାର୍ବତୀ ମନ୍ଦିର,ହନୁମାନ ମନ୍ଦିର ଆଦି ସ୍ଥାନ ମାନଙ୍କରେ ମଧ୍ୟ
ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।ଆଶାତୀତ ଭିଡ଼ ହେବାରୁ ପାପକ୍ଷୟ ରାସ୍ତା ଲୋକଙ୍କ ସମାଗମରେ ଟ୍ରାଫିକ ବ୍ୟବସ୍ଥା ଜଟିଳ ହୋଇଥିଲା ଫଳରେ ପ୍ରଶାସନ ଉପସ୍ଥିତ ବୃଦ୍ଧି ଖଟାଇ ପାପକ୍ଷୟ ଠାରୁ ୩କିମି ବିନିକା ମୁଖ୍ୟ ସଡ଼କ ସଂଯୋଗ ରାସ୍ତାରେ ଥିବା ପାପକ୍ଷୟ ମୁଖ୍ୟ ଫାଟକ ଏବଂ ଉର୍ଲେ ଗ୍ରାମ୍ୟ ରାସ୍ତାକୁ କିଛି ସମୟ ବନ୍ଦ କରିଦେବାରୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ନପାରି ଫେରି ଯାଇଥିଲେ ।ପରେ ପୋଲିସ,ସ୍ଵେଚ୍ଛାସେବୀ ମାନଙ୍କ ତରଫରୁ ଟ୍ରାଫିକ ବ୍ୟାପକ ବ୍ୟବସ୍ଥାକୁ ସଜଡ଼ାଇବା ସହ ପୋଲିସ ବାହିନୀ,ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ସ୍ଥାନରେ ଏହି ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପଦକ୍ଷେପ ନେଇଥିଲେ ।