-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
15-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନିକଟ ନଳିକୁପା ଜଙ୍ଗଲରେ ଆଜି ସକାଳୁ ଯବାନମାନଙ୍କ କୁମ୍ବିଙ୍ଗ ସମୟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିଲା l ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଯବାନ ଉତ୍କଳ ପଟେଲ ଓ ଆର.ଏସ. ନାୟକ ଗୁରୁତର ଆହତ ହୋଇଥିବା ଜଣାଯାଇଛି l ଆହତ ଦୁଇ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ମିଳିଥିବା ସୂଚନାରୁ ପ୍ରକାଶ l ସୂଚନାନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ଅଭ୍ୟନ୍ନ୍ତରୀଣ ନଳିକୁପା ଜଙ୍ଗଲରେ ଗୁରୁବାର ସକାଳେ ନଳିକୁପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାସୂଚନା ପାଇ ପ୍ରାୟ 30ଜଣ ଏସଓଜି ଯବାନ କୁମ୍ବିଙ୍ଗ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ l କୁମ୍ବିଙ୍ଗ ସମୟରେ ହଠାତ ମାଓବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏହି ଆଇଡି ବିସ୍ଫୋରଣ ରେ ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ l ଗୁରୁତର ଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ଯବାନଙ୍କ ମୁଣ୍ଡରେ ଆଘlତ ଲାଗିଛି l ଦୁଇ ଆହତ ଯବାନଙ୍କୁ ଅନ୍ୟ ଯବାନମାନେ ନଳୀକୁମ୍ପା ଜଙ୍ଗଲରୁ ବଳମତୁମ୍ବା ଆଣିଥିଲେ l ଖବରପାଇ ମନମୁଣ୍ଡା ଓ କଣ୍ଟାମାଳ ଡାକ୍ତରଖାନାରୁ ତୁରନ୍ତ ପାରାମେଡିକାଲ ଟିମ ବଲମତୁମ୍ବା ପହଞ୍ଚି ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ l ପରେ ଗୁରୁତର ଯବାନଙ୍କୁ 108ଆମ୍ବୁଲାନ୍ସ ଯୋଗେ ପ୍ରଥମେ କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି l ଘାଟଣା ପରେ ଏସଓଜି ଯବାନ କୁମ୍ବିଙ୍ଗ ଅପରେସନ କୁ ଜୋରଦାର କରିଥିବା ସୂଚନା ମିଳିଛି l ପ୍ରକାଶଥାଉକି ଗତ ଡିସେମ୍ବର 14ତାରିଖ ଦିନ ଏହି ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ବେଳେ ଏସଓଜି ଯବାନ ମାନେ ତିନୋଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ l ଏଥିସହ ଚାରିଥର ମାଓ କ୍ୟାମ୍ପ ଧ୍ବଂସ କରିଥିଲେ l ବୌଦ୍ଧ -କନ୍ଧମାଳ ସୀମାନ୍ତ ଅଞ୍ଚଳରେ କେକେବିଏନ ଡିଭିଜନ ଅଂଚଳର ମାଓବାଦୀ ସକ୍ରିୟ ହୋଇ ଉଠିଥିବା ବେଳେ ଗତ କିଛିଦିନ ମଧ୍ୟରେ ପାଞ୍ଚଥର ମାଓବାଦୀ ଓ ଯବାନ ମୁହଁlମୁହିଁ ହୋଇଛନ୍ତି l ଜିଲ୍ଲାର ବିଭିନ୍ନ ଅଭ୍ୟନ୍ତରୀଣ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ଲାଲବାହିନୀ l ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକାଧିକ ଥର ମାଓ ସଂଗଠନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇ ବେଆଇନ ଗଂଜେଇ ଚାଷ, ଜଳ, ଜମି, ଜଙ୍ଗଲ ଆଇନର ବ୍ୟବହାର, ଗରିବ ଚାଷୀ ମୂଳିଆଙ୍କୁ ସହଯୋଗ ଭଳି ବିଭିନ୍ନ ଆହ୍ୱାନ ଦିଆଯାଇଛି l ଗତ ଦୁଇମାସ ମଧ୍ୟରେ ଜିଲ୍ଲାର ମନମୁଣ୍ଡା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ବିଭିନ୍ନ ଅଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି l ଏ ସମସ୍ତ ମୁହାଁମୁହିଁ ଗୁଳିବିନିମୟରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ମାଓ ଶିବିରରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି l