-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
(ପ୍ରେରଣା ଖବର) ଭୁବନେଶ୍ବର: ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଏକ ସ୍ବତନ୍ତ୍ର ପୋର୍ଟାଲ୍ ‘ପରିଶ୍ରମ’ ଆଜି ଲୋକାର୍ପିତ ହୋଇଛି। ଏଥିରେ ଶ୍ରମ ବିଭାଗ ଅଧୀନରେ ୨୨ ପ୍ରକାର ସେବା ଅନ୍ଲାଇନ୍ରେ ଉପଲବ୍ଧ ହେବ। ଆଗାମୀ ଦିନରେ ଏହି ପୋର୍ଟାଲ୍ରେ ୫୨ ପ୍ରକାର େସବା ମିଳିବ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ‘ପରିଶ୍ରମ’କୁ ଲୋକାର୍ପଣ କରି କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ। ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ। ଏହି ପୋର୍ଟାଲ ଓ ୨୨ ପ୍ରକାର ସେବା ରାଜ୍ୟରେ ସ୍ବଚ୍ଛନ୍ଦ ବ୍ୟବସାୟ (ଇଜ୍ ଅଫ୍ ଡୁଇଂ ବିଜ୍ନେସ୍) ପାଇଁ ବିଶେଷ ସହାୟକ ହେବ। ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ। ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍ଧ ହେବ। ଏହା ଦ୍ବାରା ବିଭିନ୍ନ ଶିଳ୍ପ ସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ। ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବାଗୁଡ଼ିକୁ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଆ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି। ଏଣିକି ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍ସ, କାରଖାନାର ନୂତନ ନକ୍ସାର ଅନୁମୋଦନ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ। ଏଥି ସହିତ ପୋର୍ଟାଲରୁ ବିଭାଗ ଅଧୀନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପଇଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଆଜିର ଏହି ନୂତନ ପୋର୍ଟାଲର ଉନ୍ମୋଚନ ଓ ଅନ୍ଲାଇନ ସେବା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଶିଳ୍ପସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଚିତ୍ରା ଅରମୁଗମ ସ୍ବାଗତ ଭାଷଣ ଦେଇଥିଲେ ଓ ଶ୍ରମ କମିସନର ତିରୁମଲ୍ଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ୫-ଟି ଭି. କେ. ପାଣ୍ଡିଆନ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।