-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ଟିଟିଲାଗଡ଼ - ମହିଳାଙ୍କ ଅଧିକାରର ସୁରକ୍ଷା, ଲିଙ୍ଗଭିତ୍ତିକ ହିଂସାର ମୁକାବିଲା, ସାମାଜିକ ନ୍ୟାୟ ଓ ମହିଳାଙ୍କ ନେତୃତ୍ୱର ବିକାଶ ଲକ୍ଷ୍ୟ ନେଇ ଟିଟିଲାଗଡ଼ ସ୍ଥିତ ମହାବୀର ଧର୍ମଶାଳାଠାରେ ନଭେମ୍ବର ୫ ଓ ୬ ତାରିଖ ଦୁଇଦିନ ଧରି ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆକ୍ସନ ଏଡ ଆସୋସିଏସନ୍ ଭୁବନେଶ୍ୱର ପକ୍ଷରୁ ଲିଡରସିପ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ତାଲିମ ଶିବିରରେ ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକର ୮୫ ଜଣ କମ୍ୟୁନିଟୀ ହ୍ୟୁମାନ ରାଇଟ୍ସ ଡିଫେଣ୍ଡରସ ଯୋଗ ଦେଇଥିଲେ। ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା।ଏହି ତାଲିମ କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ଶ୍ରୀଯୁକ୍ତ ଅଜିତ କୁମାର ପଣ୍ଡା ଯୋଗଦେଇ ମହିଳାଙ୍କ ସାମ୍ବିଧାନିକ ଅଧିକାର, ସମାନତା, ମର୍ଯ୍ୟାଦା, ସ୍ୱାଧୀନତା, ସାମାଜିକ ଓ ଆର୍ଥିକ ନ୍ୟାୟ ଏବଂ ସମାଜରେ ମହିଳାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶେଷକରି ମହିଳାମାନେ ଘର, ପରିବାର, କର୍ମକ୍ଷେତ୍ର ଓ ସମାଜରେ କେଉଁ କେଉଁ ପ୍ରକାରର ଭେଦଭାବ ଓ ହିଂସାର ସମ୍ମୁଖୀନ ହେଉଛନ୍ତି, ତାହାର କାରଣ ଓ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଘରୋଇ ହିଂସା, ମାନସିକ ନିର୍ଯାତନା, ଯୌନ ଉତ୍ପୀଡ଼ନ, ଆର୍ଥିକ ଶୋଷଣ, ବାଲ୍ୟବିବାହ ଓ ମହିଳାଙ୍କ ପ୍ରତି ସାମାଜିକ ଭେଦଭାବ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହିତ ହିଂସାର ଶିକାର ହେଉଥିବା ମହିଳାମାନେ କିପରି ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବେ, ଆଇନଗତ ସହାୟତା ଓ ସରକାରୀ ସେବା କିପରି ପାଇପାରିବେ ଏବଂ ଗ୍ରାମସ୍ତରରେ ଏଭଳି ଘଟଣାର ପ୍ରତିରୋଧ ଓ ସମାଧାନ ପାଇଁ
ସିଏଚଆରଡିଏସ ମାନେ କିପରି ଦାୟିତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ସେ ସମ୍ପର୍କରେ ମଧ୍ୟ ମାର୍ଗଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବ୍ଲକର ବାଞ୍ଜିପଦର, ବିଜେପୁର, ମହୁଲପଡ଼ା ଓ ଭାଲେଗାଁ ଅଞ୍ଚଳରୁ ଏବଂ ମୁରିବାହାଲ ବ୍ଲକର ଶିରୋଲ, ବିଟାବନ୍ଦ ଓ ମାଲିଶିରା ଗ୍ରାମପଞ୍ଚାୟତରୁ ମହିଳାମାନେ ଯୋଗଦେଇଥିଲେ।
ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ମହିଳା ମାନଙ୍କ ମଧ୍ୟରେ ଅଧିକାର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କୁ ନିଜ ଗ୍ରାମ ଓ ସମାଜରେ ମହିଳା ଅଧିକାରର ସୁରକ୍ଷା, ଲିଙ୍ଗଗତ ସମାନତା ଏବଂ ହିଂସାମୁକ୍ତ ପରିବେଶ ଗଠନ ପାଇଁ ଜଣେ ଜଣେ ସକ୍ରିୟ ନେତୃତ୍ୱ ଭାବେ ଗଢ଼ିତୋଳିବା। କାର୍ଯ୍ୟକ୍ରମରେ ଆକ୍ସନ ଏଡ ପକ୍ଷରୁ ମୁରଲୀ ଚରଣ ଦାସ, ଶୁଚିସ୍ମିତା ଚନ୍ଦନ, ଜଳି ମହାନନ୍ଦ ଓ ସଞ୍ଜୀବ ରଣା ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।