-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2023
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ପୋଲିସ ଏହି ମାସରେ ପ୍ରାୟ ୩ଟି ବଡବଡ ଗଞ୍ଜାଇ ଚାଲାଣ କେସ ଧରିଛି । ଗତ କିଛିଦିନ ତଳେ ସୋନପୁର ରୋଡରେ ଏକ ବଡ ର୍ୟାକେଟ ଧରିଥିଲା । ସେଥିରେ ମଧ୍ୟ ତରଭାର ଗଞ୍ଜାଇ ବ୍ୟବସାୟୀ ଦୀପଙ୍କର ସାହୁ ଧରାପଡିଥିଲା । ଠିକ ସେହିପରି ଫାସଡଛକରେ ଧରାପଡିଥିବା ଗଞ୍ଜାଇର ମାଷ୍ଟରମାଇଣ୍ଡ କଫସିରଫ ମାଫିଆ ପ୍ରଶାନ୍ତ କ୍ଷେତି ସମେତ ୪ ଜଣଙ୍କୁ ପୋଲିସ ଧରି କୋର୍ଟ ଚାଲାଣ କରିଛି । ତେବେ ଗତକାଲି ରାତିରେ ଚୋରାଚାଲାଣ ହେଉଥିବା ୧୫କିଲୋ ଗଞ୍ଜାଇକୁ ପୋଲିସ ଜବତ କରି ଏହି ଚୋରାଚାଲାଣରେ ସଂପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଟାଉନଥାନା ପୋଲିସ ଗିରଫ କରିଛି । ଗିରଫ ଗଞ୍ଜାଇ ବ୍ୟବସାୟୀଙ୍କ ମଧ୍ୟରେ ତରଭା ଥାନାର ବିଜୟ ସାହୁ ନାମକ ଜଣେ ହୋମଗାର୍ଡ ମୁଖ୍ୟଅଭିଯୁକ୍ତ ଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ପଟୁ ଆସୁଥିବା ଗଞ୍ଜାଇକୁ ଚୋରାବ୍ୟବସାୟୀଙ୍କ ଜରିଆରେ ରାୟପୁରକୁ ବିଜୟ ହିଁ ଚାଲାଣ କରାଉଛି ବୋଲି ଜଣାପଡିଛିି । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ଗଞ୍ଜାଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଗଞ୍ଜାଇ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଟ୍ରାକକରି ତାଙ୍କୁ ଧରିବାରେ ସଫଳ ହୋଇଛି । ଗତକାଲି ବଲାଙ୍ଗୀର ପୋଲିସ ଏକ ବିଶେଷ ସୂତ୍ରରୁ ଗଞ୍ଜାଇ ଚୋରାଚାଲାଣ ନେଇ ସୂଚନା ପାଇଥିଲା ଓ ତାଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲା । ସେମାନଙ୍କ ପାଖରୁ ୧୫କେଜି ଗଞ୍ଜାଇ,୩ଟି ମୋଟରସାଇକେଲ,ମୋବାଇଲଫୋନ ଓ ୮ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ତରଭାଥାନାର ହୋମଗାର୍ଡ ବିଜୟ କୁମାର ସାହୁ, ପଣ୍ଡକିମାଲର ବିଶ୍ୱନାଥ ସାହୁ, ଚିରଗୁନମୁହାନର ଆଶିଷ ସେଲମା, ସାନଭଇଁରୋର ବଡ ଆଡଜୁଆଡି, ରେଢାଖୋଲର ନୀଲମାଧବ ବେହେରା, ଖୋର୍ଦ୍ଧାର ନର୍ମଦା ଦାସ ରହିଛନ୍ତି । ଏନେଇ ବଲାଙ୍ଗୀର ଟାଉନଥାନାରେ ଜିଡି କେସ ନମ୍ବର ୧୨/୨୦୨୩ ତା.୨୬.୯.୨୦୨୩ରେ ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ସଦର ଏସଡିପିଓ ତୋଫାନ ବାଗ ଓ ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।
ଗଞ୍ଜାଇ ଚୋରାଚାଲାଣ ପାଇଁ ବଦନାମରେ ତରଭା ପୋଲିସ
ବଲାଙ୍ଗୀର,-ବୋଦ୍ଧ ଓ କନ୍ଧମାଳ ଜିଲ୍ଲାରୁ ବାହାର ରାଜ୍ୟକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ଗଞ୍ଜାଇ ଚୋରାଚାଲାଣ ହେଉଛି । ଏହି ଜିଲ୍ଲାରୁ ସୋନପୁର ଓ ବଲାଙ୍ଗୀର ଜିଲ୍ଲାଦେଇ ଗାଡିମାନଙ୍କରେ ଗଞ୍ଜାଇ ପାରି ହେଉଛି ।
ତେବେ ଗତ କିଛିଦିନ ହେଲା ବଲାଙ୍ଗୀର ପୋଲିସ ଏକ୍ସନମୋଡକୁ ଆସି ଚଢାଉ କରୁଥିବାରୁ କିଛି ଗଞ୍ଜାଇ ବ୍ୟବସାୟୀ ଧରାପଡିଛନ୍ତି । କିନ୍ତୁ ଦୁଃଖର ବିଷୟ ହେଲା ତରଭା ଥାନାର ଜଣେ ହୋମାଗାର୍ଡ ବିଜୟ ସାହୁର ତତ୍ୱାବଧାନରେ ଗଞ୍ଜାଇ ବଲାଙ୍ଗୀର ଦେଇ ଚୋରାଚାଲାଣ ହେଉଥିବା ଜଣାପଡିଲା ପରେ ତରଭା ପୋଲିସର ଭୂମୀକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ତରଭାର ସାଧାରଣ ଜନତା ବହୁ ପୂର୍ବରୁ ଏସବୁ ଜାଣିଥିଲେ କିନ୍ତୁ ଖାକି ବର୍ଦ୍ଦିର ଭୟରେ କେହି ମୁହଁ ଖୋଲୁନଥିଲେ । ବିଜୟ ଜଣେ ହୋମଗାର୍ଡ ହୋଇ ମଧ୍ୟ ଆଇଆଇସିମାନଙ୍କୁ ବାଇପାସ କରି ଏସପି ଅଫିସ ପର୍ଯ୍ୟନ୍ତ ଚେର ଲମ୍ବାଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ସେତିକି ନୁହେଁ ସୋନପୁର ଜିଲ୍ଲାର କିଛି ପୋଲିସ ଗଞ୍ଜାଇ ଚୋରାଚାଲାଣର ସିଣ୍ଡିକେଟ ଚଳାଉଛନ୍ତି ବୋଲି ଏକ ବିଷେଶ ସୂତ୍ରରୁ ଜଣାପଡିଛି । ପୂର୍ବରୁ ତରଭାଥାନାର ଜଣେ ଆଇଆଇସି ତ୍ରୀପାଠୀବାବୁ ଗଞ୍ଜାଇ ଚୋରାଚାଲାଣ ନେଇ ବିବାଦରେ ରହିଥିଲେ । ତାଙ୍କ ନାମରେ ଅଭିଯୋଗ ପରେ ତଦନ୍ତ ମଧ୍ୟ ହୋଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତାଙ୍କ ସହିତ ଏସପି ଅଫିସର କିଛି କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ଉଠିଥିଲା । ସେପଟେ ସୋନପୁରର ପୋଲିସ କର୍ମଚାରୀ ସୁନାବାବୁଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି । ବିଜୟ ସାହୁଙ୍କ ଫୋନ ଟ୍ରାକିଂରେ କୁଆଡେ ବଲାଙ୍ଗୀର ପୋଲିସ ଅନେକ କିଛି ସୁରାକ ପାଇଛି । ଆଗକୁ ଗଞ୍ଜାଇ ଚୋରାଚାଲାଣର ମୁଖ୍ୟ ସିଣ୍ଡିକେଟକୁ ବଲାଙ୍ଗୀର ପୋଲିସ ଧରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।