-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2023
ବରଗଡ଼:-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଚାରପାଲି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଶ୍ରୀ କଳ୍ପନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ବ ସ୍ତନ୍ଯପାନ ସପ୍ତାହ ଅବସରରେ ଚାରପାଲି ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ଏକ ସଭା ଅନୁଷ୍ଠିତ ହେବା ସହିତ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲି ଯୋଗେ ଗ୍ରାମ ଭ୍ରମଣ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ସ୍ତନ୍ଯପାନ ଉପରେ ସଚେତନ କରାଯାଇଥିଲା। ବିଶ୍ବ ସ୍ତନ୍ଯପାନ ସପ୍ତାହ ପାଳନର ଲକ୍ଷ୍ୟ ହେଉଛି, ସ୍ତନ୍ଯପାନ ଦ୍ବାରା ମା ଏବଂ ପିଲାକୁ ହେଉଥିବା ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା। ପ୍ରଥମତଃ ସ୍ତନ୍ଯପାନ ଦ୍ବାରା ମା ଏବଂ ଶିଶୁ ମଧ୍ୟରେ ଏକ ଆନ୍ତରିକତା ବୃଦ୍ଧି ହୁଏ। ଶିଶୁ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ଯପାନ କରିବା ଦ୍ବାରା ଶିଶୁର ସମସ୍ତ ଖାଦ୍ୟର ଆବଶ୍ୟକତା ପୂରଣ ହୋଇଥାଏ। ଛଅ ମାସ ପରେ ସ୍ତନ୍ଯପାନ ସହିତ ସ୍ନେହ ଓ ଯତ୍ନ ରେ ପାରିବାରିକ ଖାଦ୍ୟ ପ୍ରଦାନ କରିବା ଦରକାର। ମା ର କଷ କ୍ଷୀର ସହଜରେ ହଜମ ହେବା ସହିତ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏବଂ ଶିଶୁକୁ ସଂକ୍ରମଣ ରୋଗରୁ ରକ୍ଷା କରେ। ଯେମିତି କି ଶିଶୁକୁ ଡାଇରିଆ, ଛାତି ଓ କାନର ସଂକ୍ରମଣରୁ ରକ୍ଷା କରିବା ସହିତ ଶିଶୁର ମସ୍ତିଷ୍କ ବିକାଶରେ ମଧ୍ୟ ସହାୟକ ହୋଇଥାଏ। ସ୍ତନ୍ଯପାନ ଦ୍ବାରା ମା ର ମଧ୍ୟ ବହୁ ଉପକାର ହୁଏ। ମା ଶିଶୁକୁ
ସ୍ତନ୍ଯପାନ କରାଇବା ଦ୍ବାରା ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ହେବାର ବହୁତ କମ ସମ୍ଭାବନା ଥାଏ, ତାହା ସହିତ ସନ୍ତାନ ପ୍ରସବ କରିବା ପରେ ହେଉଥିବା ରକ୍ତ ସ୍ରାବକୁ ମଧ୍ଯ କମ କରିବାରେ ସାହାଯ୍ୟ କରିଥାଏ। ଏଥି ସହିତ ଡବା କ୍ଷୀର ପାନ କରିବା ଦ୍ବାରା କଣ କଣ ଅସୁବିଧା ହୋଇଥାଏ ତାହା ମଧ୍ଯ ଏହି ସଭାରେ କୁହାଯାଇଥିଲା।
ଏହି ସଭାରେ ଚାରପାଲି ଗ୍ରାମ ପଞ୍ଚାୟତର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଶ୍ରୀ କଳ୍ପନା ମହାନ୍ତି ଅଧକ୍ଷତା, ଅଙ୍ଗନବାଡି କର୍ମୀ ଶ୍ରୀମତୀ ସନ୍ତୋଷିନୀ ପ୍ରଧାନ ଓ ପୁଷ୍ପାଞ୍ଜଳି ସାହୁ, ଆଶା କର୍ମୀ ପ୍ରଭାସିନୀ ଭୋସାଗର ଓ ଯମୁନା ଦୀପ୍ ଏବଂ ପାରାସ ନାୟକ ସହୋଯାଗ କରିଥିଲେ। ଏହି ସଭାରେ ଗ୍ରାମର ବହୁ ଗର୍ଭବତୀ ମହିଳା ଏବଂ ସ୍ତନ୍ଯପାନ କରାଉଥିବା ମହିଳା ମାନଙ୍କ ସହିତ ସେମାନଙ୍କ ଶାଶୁ ମାନେ ମଧ୍ୟ ଉପସ୍ଥିତ ଥିଲେ।