-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2023
ବଲାଙ୍ଗୀର(ପ୍ରେରଣା ଖବର)-ଗତ ୧୨ ତାରିଖରେ ଜିଲ୍ଲାପରିଷଦ ବୈଠକରେ ସରକାରୀ ଅନୁଦାନ ଆବଣ୍ଟନକୁ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଧାୟକ ଶ୍ରୀ ସାଲୁଜା ତାଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ ତୁରେକେଲା,ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳର ବିଜୁକେବିକେ କୋଟାକୁ ଜିଲ୍ଲାପାଳ ମନମାନୀ କରି କାଟିଦେଇଥିବା ଅଭିଯୋଗ କରି ଜିଲ୍ଲାପାଳ ସରକାରୀ ଗାଇଡଲାଇନର ଉଲଂଘନ କରୁଛନ୍ତି ବୋଲି ଅଭିଯୋଗ କରି ତୁମ୍ବିତୁଫାନ କରିଥିଲେ । ଏପରିକି ସରକାରୀ ଅନୁଦାନ ତୁମର ବାପାର କି ପ୍ରଶ୍ନ କରିବା ସହିତ ଜିଲ୍ଲାରୁ ଅନେକ ଜିଲ୍ଲାପାଳ ମାଡ ଖାଇକରି ଯାଇଛନ୍ତି ବୋଲି ବୈଠକରେ କହିଥିଲେ । ଫଳରେ ଏହାକୁ ନେଇ ଜିଲ୍ଲା ଓଡିଶା ପ୍ରଶାସନିକସେବା (ଓଏଏସ) ସଂଘ,ରାଜସ୍ୱଅମଲା ସଂଘ,ସରକାରୀ ମୋଟର କର୍ମଚାରୀ ସଂଘ ବିଧାୟକଙ୍କ ଏଭଳି ବ୍ୟବହାରକୁ ତ୍ରୀବ୍ରନିନ୍ଦା କରିନବା ସହିତ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବାକୁ ନିସ୍ପତ୍ତି ନେଇଛି । ଏହି ସଂଘମାନଙ୍କର ଏଭଳି ନିସ୍ପତ୍ତି ପଛରେ କିଛି ରାଜନୀତିକରଣ ହୋଇସାରିଥିବା ଆଲୋଚନା ହେଉଛି । ଘଟଣାଦିନ ଉପସ୍ଥିତ ମନ୍ତ୍ରୀ ଟିକୁନୀ ସାହୁ ପ୍ରତିକ୍ରୀୟା ଦେଇ କହିଥିଲେ ଯେ,ଜନପ୍ରତିନିଧି ହୁଅନ୍ତୁ କି ଅଧିକାରୀ ସମସ୍ତେ ନିଜର ପରିସୀମା ମଧ୍ୟରେ ରହିବା ଉଚିତ ।
ଜିଲ୍ଲାପାଳ ନିଜେ ବୈଠକ ପରେ ତାଙ୍କ ପ୍ରତିକ୍ରୀୟାରେ ଗଣମାଧ୍ୟମ ଆଗରେ କହିଥିଲେ ଯେ,ଲୋିକପ୍ରତିନିଧିମାନେ ତାଙ୍କର ଦାନବି ଉପସ୍ଥାପନା କରିବା ଅଧିକାର ରହିଛି । ଆଜିର ଯାହା ଘଟଣା ହୋଇଛି ତାହା ମୁହାଁମୁହିଁ ହେଉ କି ଅନ୍ୟକିଛି ହେଉ କେବଳ ବୈଠକର ଏକ ଅଂଶବିଶେଷ ବୋଲି କହିଥିଲେ । ସେ ବିଶେଷ କିଛି ଅଧିକ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିନଥିଲେ । କିନ୍ତ ହଠାତ ପରଦିନ ପ୍ରଥମେ ଓଏଏସ ସଂଘ ପ୍ରତିକ୍ରୀୟାଶୀଳ ହୋଇ ଉଠିଥିଲା ।
ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା(କୁକୁସିଂ) କହିଛନ୍ତି ଯେ,ସେ କେବଳ ତାଙ୍କ ଅଞ୍ଚଳର ଲୋକଙ୍କ ନ୍ୟାର୍ଯ୍ୟଦାବିକୁ ଉପସ୍ଥାପନ କରିଛନ୍ତି । ଲୋକଙ୍କ ସେବା କରିବାକୁ ନିଯୁକ୍ତି ପାଇଥିବା ଅଧିକାରୀମାନେ ଲୋକପ୍ରତିନିଧିଙ୍କୁ ଅଣଦେଖା କରି ମନୋପଲି କଲେ ତାକୁ ବରଦାସ୍ତ କରାଯିବ ନାହିଁ । ଜିଲ୍ଲାପାଳ ଶାସକଦଳର ଏଜେଣ୍ଟ ଭଳି ବ୍ୟବହାର କରୁଛନ୍ତି । ନିଜେ ଗାଇଡଲାଇନ ଉଲଂଘନ କରି ପାଣ୍ଠିଗୁଡିକର ଆବଣ୍ଟନ କରୁଛନ୍ତି । ମୋ ନିର୍ବାଚନମଣ୍ଡଳିର ବ୍ଲକଗୁଡିକର ଅନୁଦାନ କାଟି ଦିଆଯାଇଥିବାରୁ ଆଗକୁ ଏହାକୁ ନେଇ ଆନ୍ଦୋଳନ କରାଯିବ । ଆସନ୍ତା ୧୬,୧୭ ତାରିଖରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ବଙ୍ଗୋମୁଣ୍ଡା,ତୁରେକେଲା ଓ ମୁରିବାହାଲ ବ୍ଲକକୁ ଘେରାଉ କରାଯାଇ ୧୮ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ଲୋକଙ୍କ ଅଧିକାରକୁ ନେଇ ଯାହା ଆବଶ୍ୟକ ସେହି ପନ୍ଥା ଅବଲମ୍ବନ କରାଯିବ ବୋଲି କୁକୁ ସିଂ କହିଛନ୍ତି । ଫଳରେ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ସେପଟେ ଜିଲ୍ଲାପାଳ ଓ ବିଧାୟକଙ୍କ ଲଢେଇ ମଧ୍ୟରେ ଜିଲ୍ଲାରେ ଅନେକ ରୋଚକ ଆଲୋଚନା ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ତାଙ୍କ ଅଧସ୍ଥନ କର୍ମଚାରୀମାନଙ୍କୁ ଅସଭ୍ୟଭାଷାରେ ଗାଳିକରୁଥିବା,ଅଭିଯୋଗ କରିଯାଇଥିବା ଲୋକଙ୍କୁ ଧମକଦେଇ ଦୁର୍ବ୍ୟବହାର କରୁଥିବା,ନିଜ ମନଇଚ୍ଛା ସରକାରୀ କାର୍ଯ୍ୟକୁ କରାଉଥିବା ବିଷୟ ଆଲୋଚନାରେ ସ୍ଥାନ ପାଇଛି ଲୋକପ୍ରତିନିଧି ହିସାବରେ ବିଧାୟକଙ୍କ କାର୍ଯ୍ୟାବଳିକୁ ସୋସିଆଲମିଡିଆରେ ଅନେକଲୋକ ସମର୍ଥନ ଦେଉଥିବା ଲକ୍ଷ୍ୟ କରାଯାଇଛି । ଜଣେ ସରକାରୀ କର୍ମଚାରୀ ହିସାବରେ ଜିଲ୍ଲାପାଳଙ୍କ ମନୋପଲିକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖାଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମାଡ ଥିଓରୀକୁ ମନେ ପକାଇ ଦେଉଛନ୍ତି । କିନ୍ତୁ ଶାସକଦଳର କିଛି ଲୋକ ଓ ଜିଲ୍ଲାପାଳଙ୍କ ସହ ଭିତିରି ବୁଝାମଣାରେ ଅନୁଦାନ ନେଇପାରୁଥିବା ନେତା ,କର୍ମକର୍ତ୍ତା ବିଧାୟକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି ।