-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
07-Jan-2023
ନବରଙ୍ଗପୁର: ଅବିଭକ୍ତ କରାପୁଟ ତଥା ଆମ ଜିଲ୍ଲା ନବରଙ୍ଗପୁର ଠାରେ ବାରମାସରେ ତେର ପର୍ବ।ବର୍ଷ ତମାମ ଅନେକ ପର୍ବ ପର୍ବାଣୀ ଆମ ରାଜ୍ୟରେ ପାଳନ କରାଯାଏ।ପୌଷ ପୂର୍ଣ୍ଣିମା ବା ପୁଷପୁନି ସେ ମଧ୍ୟରୁ ଅନ୍ୟତମ।କୃଷି ଭିତ୍ତିକ ଏହି ପର୍ବ ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ| ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକରେ ମହା ସମାରୋହରେ ପାଳିତ ହେଉଛି ପୁଷପୁନି ତିହାର।ଧାନ ଅମଳ ପରେ ପରେ
ଏହି ପର୍ବ ପାଳନ କରାଯାଏ।ବର୍ଷକର କଷ୍ଟ ଉପାର୍ଜିତ ଧାନ ଘରକୁ ଆସିବା ଖୁସିରେ ଚାଷୀ ପୁଷ ପୁନି ମାନି ଥାଏ।ଏହି ପର୍ବର ଦୁଇ ମୁଖ୍ୟ ବିଶେଷତ୍ୱ ହେଉଛି ବିରିପିଠା ,ମଣ୍ଡାପିଠା ଓ ଛେର ଛେରା।ଘରେ ଘରେ ନୁଆଁ ଧାନର ଚାଉଳରେ ମଣ୍ଡା ପିଠା ତିଆରି କରାଯାଏ।ଗ୍ରାମାଞ୍ଚଳରେ ପୁଅ ଝିଅ ମାନେ ଏପରିକି ବଡ଼ ଲୋକ ଘର ଘର ବୁଲି ଛେର ଛେରା ମାଗିଥାନ୍ତି।ଟଙ୍କା ପଇସା, ଧାନ, ଚାଉଳ ଓ ମଣ୍ଡା ପିଠା ଲୋକେ ଦେଇ ଥାଆନ୍ତି।ପରେ ମିଳିଥିବା ସାମଗ୍ରୀକୁବି ନେଇ ଭୋଜି ଭାତର ଆସର ଜମିଥାଏ।ଅନେକ ସ୍ଥାନରେ ଲୋକେ ଦଉଡି ଟାଣି ରାସ୍ତା ରୋକ କରିଥାନ୍ତି ଓ ଛେର ଛେରା ମାଗିଥାନ୍ତି।
ଆଗେ ଏହି ପର୍ବ ଦିନ ଗାଁ ର ଗଉନ୍ତିଆ ଓ ଧନି ଲୋକ ମାନେ ଲୋକଙ୍କୁ ଭାତ୍ତିଆ (ଉପହାର) ବାଣ୍ଟୁଥିଲେ।ଏହି ଦିନ ପୁରୁଣା ମଜୁରିଆ (ହଲିଆ)ଙ୍କୁ ବିଦାୟ ସ୍ୱରୂପ ବିଭିନ୍ନ ସାମଗ୍ରୀ ଦିଆ ଯାଉଥିଲା।ପୁଣିଥରେ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆ ଯାଇଥିଲା କିବା ନୁଆଁ ମଜୁରିଆ କୁ ବର୍ଷକ ପାଇଁ ଚୁକ୍ତି କରା ଯାଉଥିଲା।ଏବେ ଏସବୁ ଦେଖିବାକୁ ମିଳୁନି।ପୂର୍ବ ପରି ପୌଷ ପୂର୍ଣ୍ଣିମାର ଉତ୍ସବ ଏବେ ଦେଖିବାକୁ ମିଳୁନି। ଗାଁ ସବୁରେଫିକା ଫିକା ଲାଗୁଛି ଏହି ପର୍ବ।ତଥାପି ପୁଷପୁନି ତିହାର ବଞ୍ଚିଛି ଓ ଚାଷୀ ମାନେ ଏହି ଦିନ ଉତ୍ସବ ମନାଉଛନ୍ତି।
(ରିପୋର୍ଟ: ମିହିର ଶଙ୍କର ପାତ୍ର,ନବରଙ୍ଗପୁର)