-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ବଲାଙ୍ଗିର(ପ୍ରେରଣା ଖଖବର) କୋଶଲର ଭାଷା, ସାହିତ୍ୟ, ସଂସ୍କୃତି,ସଭ୍ୟତା, ପରମ୍ପରା ବିଶ୍ୱ ପ୍ରଶିଦ୍ଧ । ଗୋଟିଏ ଭାଷା ଗୋଟିଏ ସଂସ୍କୃତିକୁ ଜନ୍ମ ଦିଏ । କୋଶଲୀ ଭାଷା, କୋଶଲୀ ସଂସ୍କୃତିକୁ ଜନ୍ମ ଦେଇଛି । କୋଶଲୀ ସଂସ୍କୃତି ହେଉଛି ଯୋଗ ସଂସ୍କୃତି । ଯେଉଁ ଯୋଗ ସଂସ୍କୃତି ପରମଯୋଗୀ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଚାଲି ଆସୁଛି । ତେଣୁ ଦେବାଦେବୀଙ୍କ ନାଁରେ ଯେଉଁ ନିରୀହ ପଶୁଙ୍କ ବଲି ଦିଆଯାଉଛି ତାହା ବନ୍ଦ ହେଉ ବୋଲି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡ଼େମୀର ଏକ ବିଶେଷ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ କହିଛନ୍ତି ।
ଶ୍ରୀ ଗୁରୁ ଆହୁରି ଉଲ୍ଲେଖ କରି କହିଥିଲେ ଯେ,ପୂର୍ବରୁ ବଲି ଯାତ୍ରରେ ଗୁଆ ଘିଅକୁ ହୋମ ଯଜ୍ଞରେ ପୋଡା ଯାଉଥିଲା । ସନ୍ଥକବି ଭୀମ ଭୋଇଙ୍କ ପୀଠରେ ମଧ୍ୟ ସତ୍ୟ ମହିମା ଧର୍ମରେ ଘିଅ ପୋଡା ଯଜ୍ଞ ଆଜି ମଧ୍ୟ ହୁଏ । ଏହା ଦ୍ୱାରା ଠିକ ଭାବେ ବର୍ଷା ହୁଏ । ଅକାଳ ପଡେ ନାହିଁ । ବର୍ତ୍ତମାନ ଯଜ୍ଞ କର୍ମ ଛାଡି ଲୋକେ ପଶୁ ବଲିରେ ରକ୍ତର ନଦୀ ବୋହୁଛି । ପଶୁ ବଲି ଦ୍ୱାରା ପଶୁମାନଙ୍କର ବୁକୁଫଟା ଆଃ ଚିତ୍କାର ଯୋଗୁଁ ପ୍ରଚଣ୍ଡ ଭୂମିକମ୍ପ,ସୁନାମୀ ହେଉଛି । ଏହାକୁ ବୈଜ୍ଞାନିକମାନଙ୍କ ଭାଷାରେ ବେଦନା ତରଙ୍ଗ ତତ୍ତ୍ୱ ବୋଲି କୁହାଯାଏ ବୋଲି ବୈଜ୍ଞାନିକ ଉଦାହରଣ ଦେଇ କହିଥିଲେ ।
ସମ୍ମାନିତ ଅତିଥି ପଦ୍ମଶ୍ରୀ ଲୋକକବିରତ୍ନ ହଲଧର ନାଗ ଗଣାବଜା,ମାଲେଶ୍ରୀ ତଥା କୋଶଲାଞ୍ଚଳରେ ପ୍ରଚଳିତ ବାଦ୍ୟ ଉପରେ ନିଜର ବକ୍ତବ୍ୟ ରଖି ଷୋହଲ ବିଶିଷ୍ଟ ଭରନି ଉପରେ ପ୍ରାମାଣିକ ବ୍ୟାଖ୍ୟା କରିଥିଲେ । ଏହା ସହ ତାଙ୍କ ଦ୍ୱାରା କୋଶଲୀ ଭାଷାରେ ଲିଖିତ ହଲଧର ସାହିତ୍ୟ ୩୦ରୁ ଉର୍ଦ୍ଧ୍ୱ ଭାଷାରେ ଅନୁବାଦ ହୋଇଥିବା ବେଳେ ମା’ ମାଟିର କୋଶଲୀ ଭାଷା ଆମ ପାଇଁ ଅଦ୍ୱିତୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
ଅନ୍ୟତମ ଅତିଥି ଡ.ଗୋପବନ୍ଧୁ ରଥ ଗବେଷଣା ଦ୍ୱାରା ଅନେକ ମାର୍ଗ ଉନ୍ମୁକ୍ତ ହୋଇଥାଏ । କୋଶଳାଞ୍ଚଳର ଅନେକ ବିଷୟବସ୍ତୁ ଉପରେ ଗବେଷଣା ହେବା ଜରୁରୀ । ଯାହା ଫଳରେ ଅନେକ ନୂଆ ନୂଆ ତଥ୍ୟ ଜନସମ୍ମୁଖକୁ ଆସିପାରିବ । ତେଣୁ ଡିଗ୍ରୀ ନୁହେଁ ଏଥି ପାଇଁ ଆଗ୍ରହ ରହିବାର ଆବଶ୍ୟକତା ରହିଛି । ଯାହା ‘ପ୍ରଜ୍ଞାଲୋକ’ ପୁସ୍ତକ ଆଜି ପ୍ରମାଣିତ କରିଛି ବୋଲି ସେ କହିଥିଲେ ।
କୋଶଲ ସାହିତ୍ୟ ସଂସ୍କୃତି ଏକାଡ଼େମୀର ସଭାପତି ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତାଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ସଭାକୁ ସଂଯୋଜନା କରିଥିଲେ । ଏହି ଅବସରରେ ମଞ୍ଚାସିନ ଅତିଥି,ଲେଖକ,ଲେଖିକା ତଥା ସମୀକ୍ଷକମାନଙ୍କ ଦ୍ୱାରା ୩ ଗୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଲେଖକ ଗୋରେଖନାଥ ସାହୁଙ୍କ କୋଶଲୀ ଭାଷାରେ ରଚିତ ‘ପ୍ରଜ୍ଞାଲୋକ’କୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମୀକ୍ଷା କରିଥିଲେ । ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତାଙ୍କ ଦ୍ୱାରା ‘ଅଦ୍ୱୟସିଦ୍ଧି’ ହିନ୍ଦୀ ଭାଷାରେ ଅନୁବାଦିତ ହୋଇଥିବା ବେଳେ ଏହି ପୁସ୍ତକକୁ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର ସମୀକ୍ଷା କରିଥିଲେ । ସେହିପରି ପ୍ରାଧ୍ୟାପିକା ମୀନା ମହାରାଣାଙ୍କ ଦ୍ୱାରା ଓଡ଼ିଆ ଭାଷାରେ ଲିଖିତ ‘ମନଗହନ’ ସତ୍ୟ କଥା ସଙ୍କଳନକୁ ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା ସମୀକ୍ଷା କରିଥିଲେ । ଗବେଷିକା ସୀମା ରାଣୀ ରଥ ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଭାଷା ମାନ୍ୟତା ଓ ଏହାର ଉପଲବ୍ଧି ବିଷୟରେ ଆଲୋଚନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ,ବୁଦ୍ଧିଜୀବୀ, ସାହିତ୍ୟିକ,ସାମ୍ବାଦିକମାନେ ଉପସ୍ଥିତ ଥିଲେ ।