-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ପୁରୀ, (ପ୍ରେରଣା ଖବର) ବୁଧବାର ଏକାଦଶୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ। ପ୍ରଥମ ଦିନରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ଏଥିସହ ଶ୍ରୀମନ୍ଦିରରେ ପାଳନ ହେବ ହରିଉତ୍ଥାପନ ଏକାଦଶୀ । ତୃତୀୟ ଦିନ ୨୭ ତାରିଖ ଶୁକ୍ରବାର ଶ୍ରୀବିଗ୍ରହଙ୍କ ନାଗାର୍ଜୁନ ବେଶ ସମ୍ପନ୍ନ ହେବ । ଏଥର ଶ୍ରୀମନ୍ଦିରକୁ ପ୍ରବେଶ ବାରଣ ରହିଛି । ଏଣୁ ଠାକୁରଙ୍କ ଦର୍ଶନ ବିନା ହିଁ ପଞ୍ଚୁକ ପାଳନ କରିବାକୁ ହେବ!! ପଞ୍ଚୁକର ପ୍ରଥମ ଦିନରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀଭୁଜରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ମୂଷଳ ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ । ଚଳିତ ବର୍ଷ ପଞ୍ଚୁକ ୬ ଦିନ । ୨୫ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରହିଛି ପଞ୍ଚୁକ । ଅଧିକ ଗୋଟେ ଦିନ ଥିବାରୁ ତୃତୀୟ ଦିନ (ଦ୍ୱାଦଶୀ ମଳ) ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ୬ଦିନରେ ଦାରୁଦିଅଁଙ୍କର ୬ଟି ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ । ପୁଷ୍ପାଳକ ସେବକମାନେ ଠାକୁରଙ୍କ ବେଶ ସମ୍ପନ୍ନ କରିବେ । ଗୁରୁବାର ମହାପ୍ରଭୁଙ୍କ ବାଙ୍କଚୁଡ଼ କିମ୍ବା ବାମନ ବେଶ ଅନୁଷ୍ଠିତ ହେବ । ଏଥି ସହିତ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ!!*ଶନିବାର ଦିନ ଠାକୁରଙ୍କ ଆଡିକିଆ ବେଶ ବା ତ୍ରିବିକ୍ରମ ବେଶ, ରବିବାର ମହାପ୍ରଭୁଙ୍କ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ହେବ । ଶେଷ ଦିନ ୩୦ ତାରିଖ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ କରାଯିବ । ସେହିଦିନ ଠାକୁରଙ୍କ ଦୋଳଗୋବିନ୍ଦ ଅଭିଷେକ ନୀତି ଅନୁଷ୍ଠିତ ହେବ । କରୋନା ସଙ୍କଟ ଯୋଗୁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନଥିବା ପରିଲକ୍ଷିତ ହେଉଛି!!