-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Apr-2022
ସୁବର୍ଣ୍ଣପୁର -ସଂପ୍ରତି ବର୍ତ୍ତମାନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବଢ଼ି ଯେଭଳି ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି ତାକୁ ପ୍ରତିହତ ପାଇଁ ନଦୀକୂଳିଆ ଜଙ୍ଗଲ ସୃଷ୍ଟି ସହ ମହାନଦୀ ରେ ବ୍ୟାରେଜ୍ ନିର୍ମାଣ ଓ ଛୋଟ ଛୋଟ ଆନିକଟ ନିର୍ମାଣ ଦ୍ୱାରା ହିଁ ବର୍ଦ୍ଧିତ ତାପମାତ୍ରା କୁ ହ୍ରାସ କରିହେବ ବୋଲି ଏବେ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ଏବେ ରେକର୍ଡ ସଂଖ୍ୟକ ବଢ଼ି ଗତକାଲି ମଧ୍ୟ ରାଜ୍ୟରେ ୪୪.୪ ଡିଗ୍ରୀକୁବୃଦ୍ଧି ପାଇ ରାଜ୍ୟରେ ଏକ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇଛି। କେବଳ ରାଜ୍ୟରେ ନୁହେଁ ଏହା ଦେଶର ସର୍ବୋଚ୍ଚ ତାପମାତ୍ରା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଜିଲ୍ଲାରେ ମହାନଦୀ ଓ ତେଲ ଦୁଇଟି ଚୀର ସ୍ରୋତ ନଦୀ ରହିଛି। ନିବୃତ୍ତି ନଦୀ, ଅଙ୍ଗ , ସୁକତେଲ , ହରିହର ଯୋର ପ୍ରମୁଖ ମଧ୍ୟ ଜିଲ୍ଲାରେ ପ୍ରବାହିତ ହେଉଛି। ପ୍ରକୃତିର ଅମୂଲ୍ୟଦାନ ଭାବରେ ଉକ୍ତ ନଦୀମାନେ ପ୍ରବାହିତ ହେଲେ ମଧ୍ୟ ତାପମାତ୍ରା ବୃଦ୍ଧି ପାଉଛି। ଗଡଜାତ ସମୟରେ ନଦୀର ପରିବେଷ୍ଟନି ରେ ଥିବା ସହର ର ଜଳବାୟୁ ବେଶ ଉତ୍କୃଷ୍ଟ ଥିଲା। ଜିଲ୍ଲାରେ ଜଙ୍ଗଲ ସଂପଦ ଭରପୂର ରହିଥିଲା। ସତୁରୀ ଦଶକ ସମୟରେ ଜଙ୍ଗଲ ଲିଜ ନାମରେ ନିଲାମ ଦିଆଯାଇ ପ୍ରାକୃତିକ ସଂପଦ ଜଙ୍ଗଲ ନଷ୍ଟ ହୋଇ ପଦା ହୋଇଗଲା। ପରେ ସରକାରୀ କାଗଜପତ୍ରରେ ଜଙ୍ଗଲ ସୃଷ୍ଟି କଥା କହୁଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ଅନୁରୁପ ଜଙ୍ଗଲ ନାହିଁ ବୋଲି ଅଭିଯୋଗ ହେଉଛି। ପ୍ରତିବର୍ଷ ବ୍ୟାପକ ବୃକ୍ଷରୋପଣ ସରକାରୀ ସ୍ତରରେ ହେଉଥିଲେ ମଧ୍ୟ ବର୍ଷା,ଶୀତ, ଗ୍ରୀଷ୍ମ ଜଳବାୟୁ ଉପରେ ତାର କୌଣସି ପ୍ରଭାବ ପଡ଼ୁନାହିଁ। । ୧୯୯୮ ମସିହାରେ ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଲା। ତାପମାତ୍ରା ବୃଦ୍ଧି ନେଇ ଲୋକେମଧ୍ୟ ଅନୁଭବ କଲେ । ପୂର୍ବରୁ ଗରମ ପବନ ପ୍ରବାହ ହେଉଥିଲେ ମଧ୍ୟ ବିଶେଷ ଭାବରେ ତାପମାତ୍ରାର ଅନୁଭୂତ ହେଉନ ଥିଲା। ଏହାର ମୂଖ୍ୟ କାରଣ ଜଙ୍ଗଲ ରହିଥିଲା। ନଦୀକୂଳିଆ ଅଞ୍ଚଳରେ ଜଙ୍ଗଲ ରହିଥିଲା ଯାହା ମାଟିର କ୍ଷୟ ସହ ତାପମାତ୍ରା କମାଇ ପାରିବାରେ ସହାୟକ ହେଉଥିଲା। ବୀରମହାରାଜପୁର ଉପଖଣ୍ଡ ଓ ଉଲୁଣ୍ଡା ବ୍ଲକରେ ପ୍ରବଳ ମାତ୍ରାରେ ଆମ୍ବ ଜଙ୍ଗଲ ରହିଥିଲା। ସୋନପୁର ସହରକୁଲାଗି ଦିଲବାହାଲପୁର (ବୁଢାରାଜା, )ଛିନଛାନ ଡୁଙ୍ଗୁରୀ ଓ ଅର୍ଜୁନପୁର ଜଙ୍ଗଲ ରହିଥିଲା। ପରେ ଏହି ଜଙ୍ଗଲ ଉଜୁଡିଗଲା । ଏବେ ଖାଲି ଅର୍ଜୁନ ପୁର ଜଙ୍ଗଲ ପାଖାପାଖି ଗ୍ରାମର ଲୋକମାନଙ୍କ ଯୋଗୁଁ ସେଇଠି କିଛି ଜଙ୍ଗଲ ରହିଛି ଯାହାକି ପରିବେଶର ସନ୍ତୁଳନ ପାଇଁ ପର୍ଯ୍ୟାପ୍ତ ନୁହେଁ ତେଣୁ ହୁଏତ ସୁବର୍ଣ୍ଣପୁର ସହରରେ ତାପମାତ୍ରା ବୃଦ୍ଧି ପାଇବାର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ। ବୁଢାରାଜା ଜଙ୍ଗଲ ରେ ବୃକ୍ଷ ରୋପଣ ହୋଇଥିଲା କିନ୍ତୁ ଏହାର ସଂପୂର୍ଣ୍ଣ ରୂପରେଖ ଦିଆଗଲା ନାହିଁ। ଛିନଛାନ ଡୁଙ୍ଗୁରୀ ଲଣ୍ଡିତ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମଙ୍କୁ ଉପହାସ କରୁଛି। ଗଡଜାତ ସମୟରେ ସୋନପୁରରେ ଜଳବାୟୁ ସଙ୍କଟ ନ ହେବା ନେଇ ଅନେକ ବ୍ୟବସ୍ଥା ରହିଥିଲା I ସୋନପୁର ସହରର ଜଳଧାରଣ କ୍ଷମତା ବୃଦ୍ଧି କରିବାପାଇଁ ଅନେକ ପୋଖରୀମାନ ରହିଥିଲା । ପରବର୍ତ୍ତୀ ସମୟରେ ପୁନଃଉଦ୍ଧାର ହୋଇପାରିଲା ନାହିଁ। ପାରମ୍ପାରିକ ଜଳ ପ୍ରବାହ ଓ ଜଳ ସ୍ରୋତ ଧ୍ଵଂସ କରାଗଲା। ଏବେ ଜଳବାୟୁ ପରିବର୍ତ୍ତନ ଦେଖି ଜିଲ୍ଲାରେ ଅବସ୍ଥିତ ନଦୀମାନଙ୍କ ଉପରେ ଛୋଟ ଛୋଟ ଆନିକଟ ନିର୍ମାଣ କରାଯିବାସହ ମହାନଦୀ ର
ଖଇରମାଲ ଠାରେ ଏକ ବ୍ୟାରେଜ୍ ନିର୍ମାଣ ରଦାବି ଉଠିଛି ଯାହାକି ଗତକାଲି ଜକୋଶଳ ସାହିତ୍ୟ ଅନୁଷ୍ଠାନ ର ଗୋରେଖ ନାଥ ସାହୁ,ନାରାୟଣ ପ୍ରସାଦ ରାୟଗୁରୁ ,ବ୍ରଜମୋହନ ଦାନୀ,ହରିବନ୍ଧୁ ଶତପଥି,ମହାନଦୀ ସାହିତ୍ୟ ସଂସଦ ସଭାପତି ଗଦାଧର ବାରିକ,ମନୋରଞ୍ଜନ ପାଣିଗ୍ରାହୀ, ଜୋତିରଞ୍ଜନ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ବହିଦାର,ତାପସ କୁମାର ବେଉରା,ସତ୍ୟନାରାୟଣ ବସ୍ତିଆ କଂଗ୍ରେସ ଆଇନସେଲର ସୁଧିର କୁମାର ପଣ୍ଡା ପ୍ରମୁଖ ସହରର ଅନ୍ୟୁନ ୧୫ଟି ସଂଗଠନ ପକ୍ଷରୁ ମିଳିତ ଭାବରେ ଏକ ମୋଟର ସାଇକେଲ ରାଲିରେ ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ କରିଛନ୍ତି। ତାପମାତ୍ରା ର ବୃଦ୍ଧିହେତୁ ସମଗ୍ର ଜିଲ୍ଲାରେ ଏହି ପରି ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ସମାଧାନ ଉପରେ କିଛି କାର୍ଯ୍ୟକ୍ରମ ଆରମ୍ଭ ନେଇ ଠୋସ ପଦକ୍ଷେପ ନିଆଯାଇପାରୁ ନାହିଁ। ଯଦି ଆନିକଟ ଓ ବ୍ୟାରେଜ୍ ନିର୍ମାଣ ହୋଇପାରନ୍ତା ଏହାକୁ ନେଇ ଜଳସେଚନ ସହ ତାପମାତ୍ରା ସମତୁଲ ହୋଇ ପାରନ୍ତା । ଏବେ ଜିଲ୍ଲାରେ ଭୂତଳ ଜଳ ସ୍ତରର କମିଯିବାର ଅଭିଯୋଗ ହେଉଛି। ଶୀତ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରହୁ ଅଛି। ବର୍ଷା ଦିନରେ ବିଳମ୍ବରେ ବର୍ଷା ଓ ଅଦିନିକିଆ ବର୍ଷା ସହ ଖଣ୍ଡିତ ବର୍ଷା ହେଉଛି। ଜିଲ୍ଲା ର ପାଣିପାଗରେ କ୍ରମାଗତ ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହେଉଛି। ଜିଲ୍ଲାରେ ଜଳବାୟୁ ସଙ୍କଟକୁ ନେଇ ବିଶେଷ ଗବେଷଣା ମଧ୍ୟ ହେବା କଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।