-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
15-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଅଜଣା ଗାଡ଼ି ଧକ୍କାରେ ମୃତ ଗୋବିନ୍ଦ ଗୁରୁର ଶବକୁ ଧରି ଗତକାଲି ରାତିରୁ ବିନିକା ଡାକ୍ତରଖାନା ସମ୍ଭୂଖ,କଲେଜ ଓ ପାପକ୍ଷୟ ଗେଟ ଛକ ଠାରେ ଚାଲିଥିବା ରାସ୍ତାରୋକ ଆନ୍ଦୋଳନ ୧୧ଘଣ୍ଟା ପରେ ଅର୍ଥାତ ଆଜି ସକାଳ ୭.୩୦ ମି ପରେ ପ୍ରତ୍ୟାହୃତ ହୋଇଛି ।ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ,ଅତିରିକ୍ତ ଏସପି,ବିନିକା ବିଡିଓ,ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ପରିବାରକୁ ସରକାରୀ ସହାୟତା ଓ ଧକ୍କା ଦେଇଥିବା ଗାଡ଼ିକୁ ଏକ ମାସ ଭିତରେ ଧରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।ସୂଚନା ଯୋଗ୍ୟ ଯେ ବିନିକା ବେତେରାପଡ଼ାର ଗୋବିନ୍ଦ ସବୁଦିନ ପରି ଗତକାଲି ମଧ୍ୟ ବିଶାଳପାଲି ସ୍ଥିତ କନ୍ୟକା ରାଇସ ମିଲରୁ କାମ ସାରି ସନ୍ଧ୍ୟା ପ୍ରାୟ ୮ଘଣ୍ଟା ସମୟରେ ସାଇକଲ ଯୋଗେ ଘରକୁ ଫେରୁଥିବା ବେଳେ ବିନିକା-ଏସ ରାମପୁର ରାସ୍ତାର ଦାନିପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ପଛପଟରେ ଧକ୍କା ଦେଇ ଚାଲି ଯାଇଥିଲା ।ଫଳରେ ସେ ଛଟିକି ପଡି ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ ।ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ସଙ୍ଗେ ସଙ୍ଗେ ଆମ୍ପୁଲେନସ ଡକାଇ ବିନିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ହେଲେ ଡାକ୍ତର ଦେଖିବା ପରେ ତାକୁ ମୃତ ଘୋଷଣା କରିଥିଲେ ।ପରେ ପରିବାର ଓ ଆଖପାଖର ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ତୁରନ୍ତ ଧକ୍କା ଦେଇ ଥିବା ଗାଡ଼ିକୁ ଚିହ୍ନଟ କରି ଜବତ କରାଯାଉ,ମୃତ ବ୍ୟକ୍ତିଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ଆଦି ଦାବିନେଇ ଶବକୁ ଧରି ରାସ୍ତାରୋକ ଆନ୍ଦୋଳନ ଆରମ୍ଭ ହୋଇଥିଲା ଫଳରେ ଦୀର୍ଘ ୧୧ଘଣ୍ଟା ଧରି ଆନ୍ଦୋଳନ ଯୋଗୁଁ ବିନିକା-ସୁବର୍ଣ୍ଣପୁର,ବିନିକା-ଏସ ଉ ରାସ୍ତାରେ ଶହ ଶହ ଗାଡି ଅଟକି ରହିଥିଲା ।ପୁରାପୁରି ଠପ ହୋଇପଡ଼ିଥିଲା ବିନିକା ।ପୋଲିସ ପ୍ରଶାସନ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।ସକାଳେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହେବା ପରେ ଏକ କାଗଜରେ ମୃତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସରୁ ୧୦ହଜାର,ହରିଶ୍ଚନ୍ଦ୍ର ଯୋଜନାରୁ ୩ହଜାର ଏବଂ ଏକ ମାସ ମଧ୍ୟରେ ଧକ୍କା ଦେଇଥିବା ଗାଡ଼ିକୁ ଜବତ କରିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ଯେତେ ପ୍ରକାର ସାହାଯ୍ୟ କରାଯିବ ସେ ଦିଗରେ ପଦକ୍ଷେପ ଆଦି ବିଷୟରେ ଲିଖିତ କାଗଜ ଦେବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।