-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ସ୍ବାଧୀନତାର ଏତେବର୍ଷ ପରେ ଶିକ୍ଷା ଓ ସଭ୍ୟତାର ଶୀର୍ଷକୁ ଛୁଇଁଥିବା ବଲାଙ୍ଗୀରଜିଲ୍ଲା ଗୁଣିଗାରେଡି , ଡାଆଣୀ ସନ୍ଦେହ ଓ ଶିଶୁବଳିଆଦି ଘଟଣା ପରେ ଅନ୍ଧବିଶ୍ବାସଜନିତ ହଣାମରାରୁ ମୁକ୍ତ ହୋଇପାରିନାହିଁ । ଗତ ୧୫ ତାରିଖରେ ସିନ୍ଧେକେଲା ଥାନାନ୍ତର୍ଗତ ସାଲେମୁଡୁଗା ଗ୍ରାମରେ ଏଭଳି ଏକ ସନ୍ଦେହ ଓ ଅନ୍ଧବିଶ୍ବାସକୁ ନେଇ ଜଣକର ମୁଣ୍ଡ ଗଡିଛି । କ୍ରମାଗତଭାବେ ଜଣେ ଭାଇର ପ୍ରଥମ ଓ ଦ୍ବିତୀୟପତ୍ନୀଙ୍କର ମୃତ୍ୟୁପରେ ଅସ୍ଥି ବିସର୍ଜନ ନକରି ଘରେ ରଖିଥିବା ଓ ଏଥିପାଇଁ ଅନ୍ୟଜଣେ ଭାଇର ପିଲାଛୁଆଙ୍କର ଦେହ ଅସୁସ୍ଥ ହେଉଥିବା ଅନ୍ଧବିଶ୍ବାସଜନିତ ସନ୍ଦେହକୁ କେନ୍ଦ୍ର କରି ଦୁଇଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଲା । ଏହି ଗଣ୍ଡଗୋଳରେ ଗୁରୁତର ଆହତ ହୋଇ ଟିଟିଲାଗଡ ହାସପାତାଳରେ ଡାକ୍ତର ହଂସ ( ୩୫ ) ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ପୁଲିସ୍ ଏସମ୍ପର୍କରେ ଏକ ମାମଲା ଋଜୁକରି ତଦନ୍ତ କରୁଛି ।
ତେବେ ପ୍ରକାଶଯୋଗ୍ୟ ଯେ , ଏହି ସିନ୍ଧେକେଲା ଥାନା ଅଞ୍ଚଳରେ ଦୁଇବର୍ଷତଳେ ଲାଗ୍ ଲାଗ୍ ଦୁଇଟି ଶିଶୁବଳି ଘଟଣା ଘଟିଥିଲା । ପତ୍ନୀର ଦେହ ଅସୁସ୍ଥତା ସନ୍ଦେହରେ ଜଣେ ଗୁଣିଆର ପରାମର୍ଶରେ ଜଣେ ଯୁବକ ତା'ର ସମ୍ପର୍କୀୟା ଭାଣିଜୀକୁ ଭୁଲାଇନେଇ ନଦୀପଠାରେ ବଳିଦେବାପରେ ଗିରଫ ହୋଇଥିଲା । ପୁଣି ଜାମିନରେ ଆସି ଆଉ ଏକ ବଳିକାଣ୍ଡ ଘଟାଇଥିଲା । ଏହି ଅଞ୍ଚଳରେ ଏସବୁ ଅନ୍ଧବିଶ୍ବାସର ଅପପ୍ରଚାର କଲାବାଲା କେତେକ ତଥାକଥିତ ଗୁଣିଆ ରହୁଛନ୍ତି ଓ ସେମାନଙ୍କର ଗୁରୁଚେଲାର ଆନ୍ତଃଜିଲ୍ଲା ରାକେଟ୍ ଲମ୍ବିଛି । ଏମାନଙ୍କ ଦ୍ବାରା ଆଖପାଖ ଖଡିଆଳ , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି ଓ ଅନ୍ୟାନ୍ୟ ଅଞ୍ଚଳରେ ଘଟୁଥିବା ବହୁ ଏଭଳି କାଣ୍ଡକାରଖାନାର ଉପଯୁକ୍ତ ଅଭିଯୋଗ , ଏତଲା , ମାମଲାଋଜୁ ଓ ତଦନ୍ତ ହୋଇପାରି ନଥିବାରୁ ଅନେକ ଅନ୍ଧବିଶ୍ବାସଜନିତ ନରହତ୍ୟାକାଣ୍ଡ ଲୋକଲୋଚନକୁ ଆସିପାରୁନାହିଁ । ତିନିଚାରିବର୍ଷତଳର କାଳୀପୂଜାଦିନ କଣ୍ଟାବାଞ୍ଜି ଥାନାର ଏକ ବାଳିକା ନିଖୋଜ୍ ଘଟଣା ଏଯାବତ୍ ରହସ୍ୟରେ ରହିଯାଇଛି । ସେହି ପାଖାପାଖି ଏହାର ଅଳ୍ପଦିନପୂର୍ବରୁ ବଙ୍ଗୋମୁଣ୍ଡା ଅଞ୍ଚଳରେ ଏକ ବାଳକକୁ ବଳିଦେବାକୁ ନିଆଯାଉଥିବାବେଳେ ସୌଭାଗ୍ଯବଶତଃ ତାକୁ ଉଦ୍ଧାର କରାଯାଇଥିଲା ।
ଏତଦ୍ ବ୍ୟତୀତ ଦୁଇବର୍ଷତଳେ ପାଟଣାଗଡ ନିକଟସ୍ଥ ଲରମ୍ଭାଥାନାର ଚିଟକାମାଲ ଗ୍ରାମର ଦୁଇଜଣ ବୃଦ୍ଧ ସ୍ବାମୀସ୍ତ୍ରୀଙ୍କୁ ଗ୍ରାମବାସୀମାନେ ଡାହାଣୀ ସନ୍ଦେହରେ ସଂଘବଦ୍ଧ ହତ୍ୟା କରି ଜଙ୍ଗଲରେ ପୋଡି ଦେଇଥିବା ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଅଦ୍ୟାବଧି ସେହିଘରର ପୁଅ ଘରଛାଡି ପଳାଇଯାଇ ଅନ୍ୟଗାଁ'ରେ ରହୁଛି ।
ଏହାର ପ୍ରାୟ ଚାରିବର୍ଷତଳେ ଖପ୍ରାଖୋଲ ବ୍ଲକ୍ ର ଲାଠୋରଥାନାର ବାଗଡିଆ ଗାଁ'ର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ମାରି ନିଖୋଜ୍ କରିଦିଆଯାଇଥିବା ଚର୍ଚ୍ଚା ପରେ ଚପି ଯାଇଥିଲା । ତେଣୁ ଏ କ୍ଷେତ୍ରରେ ସରକାର , ପ୍ରଶାସନ , ସ୍ବେଚ୍ଛାସେବୀଙ୍କର ଯଥେଷ୍ଟ ସଚେତନତା ସୃଷ୍ଟିର ଭୂମିକା ରହିଛି ।